ନୂଆଦିଲ୍ଲୀ: ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନ ( Kuno National Park) ଓ ଅନ୍ୟ ଉପଯୁକ୍ତ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚିତା ପୁନର୍ବାସ ନୀରିକ୍ଷଣ କରିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ ହୋଇଛି । କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (Ministry of Environment Forest and Climate Change) ଏହି ଟାସ୍କ ଫୋର୍ସ ଗଠନ କରିଛି ।
ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (National Tiger Conservation Authority) ଚିତା (Cheetah) ଟାସ୍କ ଫୋର୍ସର କାର୍ଯ୍ୟାବଳୀ ସୁଗମ କରିବା ସହ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବେ । ଏହି ଟାସ୍କ ଫୋର୍ସର ଅବଧି ଦୁଇ ବର୍ଷ ରହିବ । ଟାସ୍କ ଫୋର୍ସ ଦ୍ୱାରା ନିର୍ଦ୍ଧାରିତ ସମୟରେ ନିୟମିତ ଚିତା ପୁନର୍ବାସ ଅଞ୍ଚଳ ଗସ୍ତ କରିବା ପାଇଁ ଏକ ସବ-କମିଟି ଗଠନ କରାଯିବ ।
ଚିତାଙ୍କ ମୂଳ ବାସସ୍ଥାନ ଓ ସେମାନଙ୍କ ଜୈବ ବିବିଧତା ସଂରକ୍ଷଣ ପାଇଁ ଚିତା ପୁନର୍ବାସନ ଏକ ପ୍ରୋଟୋଟାଇପ ତଥା ମଡେଲର ଅଂଶବିଶେଷ । ଏହା ଜୈବ ବିବିଧତାର ଅବକ୍ଷୟ ଓ ତ୍ୱରିତ କ୍ଷତି ରୋକିବାରେ ସାହାଯ୍ୟ କରିବ । ଏକ ପ୍ରମୁଖ ଶିକାରୀ ଜୀବର ପୁନର୍ବାସନ ଦ୍ୱାରା ଐତିହାସିକ ବିବର୍ତ୍ତନୀୟ ଭାରସାମ୍ୟ ପୁନଃ ସ୍ଥାପିତ ହୋଇ ପରିବେଶ ପ୍ରଣାଳୀର ବିଭିନ୍ନ ସ୍ତରରେ ବ୍ୟାପକ ପ୍ରଭାବ ପକାଇବ । ଚିତାକୁ ଫେରାଇ ଆଣିବା ଦ୍ୱାରା ସେମାନଙ୍କ ସଂରକ୍ଷଣ ଉଦ୍ୟମ ବେଶ ପ୍ରଭାବିତ ହେବ ।
ଭାରତୀୟ ମୃଗ ଓ ସମ୍ବରଙ୍କ ମଧ୍ୟରେ ଦୃତ ଗତି ଉପଯୋଜନ କରାଇବାରେ ଚିତା ବିବର୍ତ୍ତନୀୟ ପ୍ରାକୃତିକ ଚୟନ ଶକ୍ତି ଭାବେ କାମ କରିଥିଲା । ଚିତା ପୁନର୍ବାସନ ଦ୍ୱାରା ଆମେ କେବଳ ଏମାନଙ୍କ ଆଧାରକୁ ବଞ୍ଚାଇବାରେ ସକ୍ଷମ ହେବା ନାହିଁ ବରଂ ଚାରଣଭୂମି ବିଲୁପ୍ତ ପ୍ରାୟ ପ୍ରଜାତି ତଥା ଖୋଲା ବନ୍ୟ ପରିବେଶ ପ୍ରଣାଳୀକୁ ବଞ୍ଚାଇ ପରିବା ବୋଲି କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ କହିଛି ।
ଟାସ୍କ ଫୋର୍ସର ଦାୟିତ୍ବ
ଚିତାଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା, ଅଗ୍ରଗତି ଓ ନୀରିକ୍ଷଣ ସହ ଏକାନ୍ତବାସ ଓ ସଫ୍ଟ ରିଲିଜ ଖୁଆଡର ରକ୍ଷଣାବେକ୍ଷଣ । ସମୁଦାୟ ଅଞ୍ଚଳର ସଂରକ୍ଷଣ ସ୍ଥିତି, ବନ୍ୟ ଓ ପଶୁ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ରୋଟୋକଲ ପାଳନ ସୁନିଶ୍ଚିତ କରିବା ତଥା ଭାରତରେ ଚିତା ପୁନର୍ବାସନ ସମ୍ପର୍କରେ ଏନଟିସିଏ ଓ ମଧ୍ୟପ୍ରଦେଶ ବନ ବିଭାଗକୁ ଚିତାଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ, ବ୍ୟବହାର ଓ ରକ୍ଷଣାବେକ୍ଷଣ ପରାମର୍ଶ ପ୍ରଦାନ କରିବା ପାଇଁ ।
- କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କ ଶିକାର ଦକ୍ଷତା ଓ ଉପଯୋଜନ ସ୍ଥିତି ନୀରିକ୍ଷଣ ।
- ଚିତାଙ୍କୁ ଏକାନ୍ତବାସରୁ ସଫ୍ଟ ରିଲିଜ ଖୁଆଡ ଏବଂ ପରେ ଚାରଣ ଭୂମି ଓ ଖୋଲା ଜଙ୍ଗଲକୁ ଛାଡିବା ନୀରିକ୍ଷଣ କରିବା ।
- ପରିବେଶ ପର୍ଯ୍ୟଟନ ପାଇଁ ଚିତା ବାସସ୍ଥଳୀ ଖୋଲିବା ଓ ଏଥିପାଇଁ ଦିଶାନିର୍ଦ୍ଦେଶ ପରାମର୍ଶ ଦେବା ।
- କୁନୋ ଜାତୀୟ ଉଦ୍ୟାନ ଓ ଅନ୍ୟ ସଂରକ୍ଷିତ ଅଞ୍ଚଳର ସୀମାନ୍ତ କ୍ଷେତ୍ରରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ଉପଦେଶ ଓ ପରାମର୍ଶ ଦେବା ।
- ଚିତା ମିତ୍ର ଓ ସ୍ଥାନୀୟ ଲୋକଙ୍କ ସହ ନିୟମିତ ଆଲୋଚନା କରି ସେମାନଙ୍କ ସଚେତନତା ବୃଦ୍ଧି ସହ ସେମାନଙ୍କୁ ଅଞ୍ଚଳ ସହ ଚିତା ସଂରକ୍ଷଣରେ ସାମିଲ କରିବା ।
କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଗଠନ କରିଥିବା ଟାସ୍କ ଫୋର୍ସରେ ପ୍ରମୁଖ ସଚିବ (ବନ ବିଭାଗ ), ମଧ୍ୟପ୍ରଦେଶ, ପ୍ରମୁଖ ସଚିବ (ପର୍ଯ୍ୟଟନ), ମଧ୍ୟପ୍ରଦେଶ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ଶକ୍ତି ମୁଖ୍ୟ, ମଧ୍ୟପ୍ରଦେଶ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟାପ୍ରାଣୀ ୱାର୍ଡେନ, ମଧ୍ୟପ୍ରଦେଶ, ଆଲୋକ କୁମାର, ଅବସରପ୍ରାପ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟାପ୍ରାଣୀ ୱାର୍ଡେନ ମଧ୍ୟପ୍ରଦେଶ, ଡା. ଅମିତ ମଲ୍ଲିକ ମହାନୀରିକ୍ଷକ, ଏନଟିସିଏ ନୂଆଦିଲ୍ଲୀ ଡା. ବିଷ୍ଣୁ ପ୍ରିୟା, ବୈଜ୍ଞାନିକ, ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ, ଡେରାଡୁନ, ଅଭିଲାଷ ଖାଣ୍ଡେକର ସଦସ୍ୟ, ମଧ୍ୟପ୍ରଦେଶ ଏସବିଡବ୍ଲୁଏଲ, ଭୋପାଳ ଓ ଶୁଭୋରଞ୍ଜନ ସେନ, ଏପିସିସିଏଫ- ବନ୍ୟପ୍ରାଣୀ ସଦସ୍ୟ ସଂଯୋଜକ ପ୍ରମୁଖ ରହିଛନ୍ତି ।