ନୂଆଦିଲ୍ଲୀ: ଚଳିତବର୍ଷ ସ୍ବାଧୀନତା ଦିବସରେ ପ୍ଲାଷ୍ଟିକ ନିର୍ମିତ ତ୍ରିରଙ୍ଗା ପତାକା ବ୍ୟବହାର ନ କରିବା ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ଅବଗତ କରାଯାଇଛି ।
କେନ୍ଦ୍ରର ଉକ୍ତ ଚିଠିରେ ଉଲ୍ଲେଖ କରିଛି ଯେ, ଜାତୀୟ ପତାକା ଦେଶର ଲୋକଙ୍କ ଆଶା, ଆକାଂକ୍ଷାକୁ ପ୍ରତିପାଦିତ କରୁଛି । ତେଣୁ ଏହାକୁ ସର୍ବଦା ସମ୍ମାନ ଦିଆଯିବା ଉଚିତ । ଜାତୀୟ ପତାକା ପାଇଁ ସମସ୍ତଙ୍କ ମନରେ ସ୍ନେହ, ସମ୍ମାନ ଏବଂ ବିଶ୍ବସନୀୟତା ମଧ୍ୟ ରହିଛି। ତଥାପି ଜାତୀୟ ପତାକା ପ୍ରଦର୍ଶନ ଓ ଉତ୍ତୋଳନ ପାଇଁ ଭାରତୀୟ ସମ୍ବିଧାନରେ ଥିବା ପ୍ରୋଟୋକଲ ଏବଂ ନିୟମାବଳୀ ସମ୍ବନ୍ଧରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଏପରି କି ସରକାରୀ ସ୍ତରରେ ମଧ୍ୟ ସଚେତନତାର ଅଭାବ ରହିଛି ।
ସେହିପରି ଗୃହ ମନ୍ତ୍ରଣାଳୟ ଆହୁରି ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଜାତୀୟ, ସାଂସ୍କୃତିକ ତଥା କ୍ରୀଡା ଇଭେଣ୍ଟରେ କପଡା ନିର୍ମିତ ଜାତୀୟ ପତାକା ବଦଳରେ ପ୍ଲାଷ୍ଟିକରେ ନିର୍ମିତ ଜାତୀୟ ପତାକା ମଧ୍ୟ ବ୍ୟବହାର କରାଯାଉଥିବା ଗତକିଛି ଦିନ ବର୍ଷ ହେବ ଦୃଷ୍ଟିକୁ ଆସିଛି । ତେଣୁ ଜାତୀୟ, ସାଂସ୍କୃତିକ ଇଭେଣ୍ଟରେ 'ଫ୍ଲାଗ୍ କୋଡ୍ ଅଫ୍ ଇଣ୍ଡିଆ, 2002' ର ଅଧିନିୟମ ଅନୁଯାୟୀ ଜନସାଧାରଣ କାଗଜ କିମ୍ବା ପ୍ଲାଷ୍ଟିକ ତିଆରି ପତାକା ବ୍ୟବହାର କରିବେ ନାହିଁ । ତେଣୁ ଜାତୀୟ ଧ୍ବଜା ପ୍ରୋଟୋକଲ ଅନୁସାରେ ପ୍ଲାଷ୍ଟିକ ନିର୍ମିତ ପତାକାର ବ୍ୟବହାର ସମ୍ପୂର୍ଣ୍ଣ ବର୍ଜନୀୟ ।
ପ୍ଲାଷ୍ଟିକ ପତାକା ବ୍ୟବହାର ପରେ ନଷ୍ଟଶୀଳ ହୋଇ ନ ଥିବାରୁ ଯୋଗୁ ଏହା ମଧ୍ୟ ଏକ ପ୍ରମୁଖ ସମସ୍ୟା । ତେଣୁ ଏହାକୁ ଭୂମିରେ ଫିଙ୍ଗିବା ଉଚିତ୍ ନୁହେଁ । ରାଜ୍ୟମାନଙ୍କ ଅବଗତି ପାଇ ଗୃହ ମନ୍ତ୍ରଣାଳୟର ଚିଠିରେ 'ଜାତୀୟ ଗୌରବ ଅଧିନିୟମ 1971' ଏବଂ 'ଫ୍ଲାଗ୍ କୋଡ୍ ଅଫ୍ ଇଣ୍ଡିଆ, 2002'ର ଏକ କପି ମଧ୍ୟ ସଂଲଗ୍ନ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ