ନୂଆଦିଲ୍ଲୀ: ମହାପୁରୁଷ ମହମ୍ମଦଙ୍କୁ ନେଇ ପୂର୍ବତନ ବିଜେପି ନେତା ନୂପୁର ଶର୍ମାଙ୍କ ବୟାନ ପରେ ପୂରା ଦେଶ ଅଶାନ୍ତ ହୋଇପଡ଼ିଛି । ଏହାକୁ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୋଲିସ ମୁଖ୍ୟଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରଣାଳୟ । ରାଞ୍ଚି, କୋଲକାତା, ଜଳନ୍ଧର, ନୂଆଦିଲ୍ଲୀ, ପ୍ରୟାଗରାଜ, ଲକ୍ଷ୍ନୌ ଭଳି ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଲୋକେ ଆଜି ତୀବ୍ର ପ୍ରଦର୍ଶନ କରିଥିଲେ । ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଛି ।
ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କୌଣସି ଦଙ୍ଗା ହେବା ନେଇ ଆଲର୍ଟ କରାଯାଇଛି । ଏହାକୁ ନେଇ ଏକ ଚିଠି କରାଯାଇଥିବା ବେଳେ ଏହି ପ୍ରସଙ୍ଗୁ ନେଇ ସୋସିଆଲ ମିଡିଆ କିମ୍ବା ବାହାରେ କୌଣସି ବ୍ୟକ୍ତି ଯେଭଳି ଘୃଣା ମନ୍ତବ୍ୟ ନରଖନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । କୌଣସି ଦଙ୍ଗା ହେବାପୂର୍ବରୁ ସମସ୍ତ ପ୍ରସ୍ତୁତି କରିବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଏହାକୁ ନେଇ ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, "ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ମୁତୟନ କରିବାକୁ ରାଜ୍ୟଗୁଡ଼ିକର ପୋଲିସ ମୁଖ୍ୟଙ୍କୁ କୁହାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ମାହୋଲକୁ ଅଶାନ୍ତ କରିବାକୁ ଚେଷ୍ଟା କରାଯାଉଛି । କୌଣସି ଦଙ୍ଗା ଭଳି ପରିସ୍ଥିତି ପାଇଁ ପୋଲିସ ଓ ପାରାମିଲିଟାରୀ ଫୋର୍ସକୁ ଆଲର୍ଟ କରାଯାଇଛି ।" ଝାଡ଼ଖଣ୍ଡର ରାଞ୍ଚି, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶର ପ୍ରୟାଗରାଜ, ଲକ୍ଷ୍ନୌ, ଫିରୋଜାବାଦ ଆଦି ସ୍ଥାନରେ ଶୁକ୍ରବାର ଅତି ଅଶାନ୍ତ ହୋଇ ପଡ଼ିଥିଲା ସ୍ଥିତି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆଲର୍ଟ କରାଇଛି ଗୃହ ମନ୍ତ୍ରଣାଳୟ ।