ନୂଆଦିଲ୍ଲୀ: ଆଜି ଦେଶର ପ୍ରଥମ ନାଜାଲ ଭ୍ୟାକ୍ସିନ ଲଞ୍ଚ ହୋଇଛି । ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ନାଜାଲ ଭ୍ୟାକ୍ସିନ ଇନକୋଭାକ(iNCOVACC) ଲଞ୍ଚ କରିଛନ୍ତି । କୋରୋନାକୁ ମାତ୍ ଦେବା ପାଇଁ ଭାରତ ବାୟୋଟେକ ଦ୍ବାରା ଏହି ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇଛି । ସରକାରଙ୍କୁ ଏହି ସ୍ବଦେଶୀ ଭ୍ୟାକ୍ସିନ ଡୋଜ ପିଛା ୩୨୫ ଟଙ୍କାରେ ଏବଂ ଘରୋଇ ହସ୍ପିଟାଲଗୁଡିକୁ ଡୋଜ ପ୍ରତି ୮୦୦ ଟଙ୍କାରେ ବିକ୍ରୟ କରାଯିବ ।
ଜାନୁୟାରୀ ୨୬ ତାରିଖରେ ସ୍ବଦେଶୀ ନାଜାଲ ଭ୍ୟାକ୍ସିନ ଲଞ୍ଚ କରାଯିବା ବୋଲି ଭାରତ ବାୟୋଟେକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ କୃଷ୍ଣା ଏଲ୍ଲା ପୂର୍ବରୁ ସୂଚନା ଦେଇଥିଲେ । ଭୋପାଳରେ ଆୟୋଜିତ ସାଇନ୍ସ ଫେଷ୍ଟାଭାଲରେ ସେ ଏହି ଘୋଷଣା କରିଥିଲେ । ନାଜାଲ ଭ୍ୟାକ୍ସିନ iNCOVACC ନାକରେ ଦିଆଯିବ । କୋଭାକ୍ସିନ ଟିକା ପ୍ରସ୍ତୁତ କରିଥିବା ହାଇଦ୍ରାବାଦର ଭାରତ ବାୟୋଟେକ କମ୍ପାନୀ ୱାଶିଂଟନ ୟୁନିଭର୍ସିଟି ସ୍କୁଲ ଅଫ ମେଡିସନ ସହ ମିଳିତ ଭାବରେ ଏହି ଭ୍ୟାକ୍ସିନ ତିଆରି କରିଛି । ନାକରେ ଦିଆଯିବାକୁ ଥିବା ଏହି ଟିକାକୁ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଗତବର୍ଷ ନଭେମ୍ବରରେ ମଞ୍ଜୁରୀ ଦେଇଥିଲା ।
ନାଜାଲ୍ ଭ୍ୟାକ୍ସିନ ଇନକୋଭାକର ୩ଟି ପର୍ଯ୍ୟାୟରେ ପରୀକ୍ଷଣ ସଫଳ ହୋଇଛି । ଏହି ଭ୍ୟାକ୍ସିନ ଶରୀରରେ କୋରୋନା ସଂକ୍ରମଣ ଓ ଅନ୍ୟକୁ ଟ୍ରାନ୍ସମିଶନ ହେବାରୁ ରୋକିବ । କୋଭାକ୍ସିନ ଓ କୋଭିସିଲ୍ଡ ଭ୍ୟାକ୍ସିନ ନେଇଥିବା ବ୍ୟକ୍ତିଙ୍କୁ ଇନକୋଭାକ ଭ୍ୟାକ୍ସିନ ବୁଷ୍ଟର ଡୋଜ ଭାବେ ଦିଆଯିବ । ଅର୍ଥାତ୍ ପୂର୍ବରୁ ବୁଷ୍ଟର ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ଏହି ଭ୍ୟାକ୍ସିନ ନେଇପାରିବେ ନାହିଁ । କୋୱିନ ପୋର୍ଟାଲରେ ଭ୍ୟାକ୍ସିନ ପାଇଁ ବୁକିଂ କରାଯାଇପାରିବ ବୋଲି ଭାରତ ବାୟୋଟେକ ସୂଚନା ଦେଇଛି ।
ଏହାମଧ୍ୟ ପଢନ୍ତୁ: ବେକାରୀ ଭତ୍ତା ଦେବ ଛତିଶଗଡ ସରକାର, ସାଧାରଣତନ୍ତ୍ର ଦିବସରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଇନକୋଭାକ ଭ୍ୟାକ୍ସିନ ଲଞ୍ଚ ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, '' ଟିକା ଉତ୍ପାଦନ କ୍ଷେତ୍ରରେ ନାଜାଲ ଟିକା ଭାରତର ଶକ୍ତି ଓ କ୍ଷମତାର ଏକ ଉଦାହରଣ ପାଲଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଏହି ଟିକା ଲଞ୍ଚ କରିଛୁ, ଯାହାକି ନୂତନ ଭାରତର ଦୃଷ୍ଟାନ୍ତ ।''