ମୁମ୍ବାଇ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ବିସ୍ଫୋରକ ବୟାନ । ମହାତ୍ମା ଗାନ୍ଧୀଙ୍କ ପିତା ଜଣେ ମୁସଲିମ ଜମି ମାଲିକ ବୋଲି କହିଛନ୍ତି ବାମପନ୍ଥୀ ନେତା ତଥା ଅମରାବତୀ ସ୍ଥିତ ଶ୍ରୀଶିବପ୍ରତିଷ୍ଠାନ ହିନ୍ଦୁସ୍ଥାନ ସଂସ୍ଥାର ପ୍ରତିଷ୍ଠାତା ମନୋହର ଓରଫ ସମ୍ଭାଜି ଭିଡେ । ଗାନ୍ଧିଜୀଙ୍କ ପିତା କରମଚାନ୍ଦ ଗାନ୍ଧୀ ନୁହନ୍ତି ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ ଏହି କଥାକୁ ପ୍ରମାଣ କରିବା ଲାଗି ତାଙ୍କ ନିକଟରେ ଯଥେଷ୍ଟ ତଥ୍ୟ ଅଛି ବୋଲି ସେ କହିଛନ୍ତି ।
ଏକ ରାଲିରେ ଉଦବୋଧନ ଦେଇ ମନୋହର କହିଛନ୍ତି, "ମୋହନ ଦାସ କରମଚାନ୍ଦ ଗାନ୍ଧୀ ହେଉଛନ୍ତି କରମଚାନ୍ଦଙ୍କ ୪ର୍ଥ ପତ୍ନୀଙ୍କ ପୁଅ । କରମଚାନ୍ଦ ଜଣେ ମୁସଲିମ ଜମି ମାଲିକଙ୍କଠାରୁ ବିପୁଳ ଅର୍ଥ ଚୋରି କରିଥିଲେ । ଏହି ଜମି ମାଲିକଙ୍କ ନିକଟରେ କରମଚାନ୍ଦ କାମ କରୁଥିଲେ । ଏହାପରେ କ୍ରୋଧବଶତଃ ଜମି ମାଲିକ ଜଣକ କରମଚାନ୍ଦଙ୍କ ପତ୍ନୀଙ୍କୁ ଅପହରଣ କରିନେଇଥିଲେ । ସେ କରମଚାନ୍ଦଙ୍କ ପତ୍ନୀଙ୍କ ସହିତ ନିଜ ସ୍ତ୍ରୀ ପରି ବ୍ୟବହାର କରୁଥିଲା । ଏଣୁ କରମଚାନ୍ଦ ଗାନ୍ଧୀ ମୋହନଦାସଙ୍କ ପ୍ରକୃତ ପିତା ନୁହେଁ, ବରଂ ଉକ୍ତ ମୁସଲିମ ଜମି ମାଲିକଙ୍କ ପୁଅ ହେଉଛନ୍ତି ମହାତ୍ମା ଗାନ୍ଧୀ ।"
ଏହା ବି ପଢନ୍ତୁ- ଗାନ୍ଧିଜୀଙ୍କ ହତ୍ୟା ନେଇ ଶଙ୍କରାଚାର୍ଯ୍ୟଙ୍କ ବଡ ବୟାନ, ଏମିତି କହିଲେ ଜଗତଗୁରୁ
ତେବେ ଏହି କଥାକୁ ପ୍ରମାଣିତ କରିବା ଲାଗି ତାଙ୍କ ନିକଟରେ ଯଥେଷ୍ଟ ପ୍ରମାଣ ଥିବା ସେ ଦୃଢତାର ସହ କହିଛନ୍ତି । ଏନେଇ ସେ କହିଛନ୍ତି, "ମହାତ୍ମା ଗାନ୍ଧୀଙ୍କୁ ଉକ୍ତ ମୁସଲିମ ଜମି ମାଲିକ ଜଣକ ଲାଳନପାଳନ କରିବା ସହ ତାଙ୍କ ଶିକ୍ଷା ଖର୍ଚ୍ଚ ମଧ୍ୟ ବହନ କରୁଥିଲା । ଭାରତ ହେଉଛି ଏକ ହିନ୍ଦୁ ବହୁଳ ରାଷ୍ଟ୍ର । ହିନ୍ଦୁମାନଙ୍କ ସାହସିକତାର କୌଣସି ଜବାବ ନାହିଁ । ହେଲେ ହିନ୍ଦୁମାନେ ନିଜ ପରମ୍ପରା, ସଂସ୍କୃତି, କର୍ତ୍ତବ୍ୟ ଓ ଦାୟିତ୍ବବୋଧକୁ ଭୁଲି ଯାଉଛନ୍ତି ।" ହିନ୍ଦୁଙ୍କୁ ତଳିତଳାନ୍ତ କରିବା ପଛରେ ମହାତ୍ମା ଗାନ୍ଧୀଙ୍କ ଭୂମିକା ଅଛି ବୋଲି ମଧ୍ୟ କହିଛନ୍ତି ମନୋହର ।
ମନୋହରଙ୍କ ଏଭଳି ଆପତ୍ତିଜନକ ମନ୍ତବ୍ୟକୁ ଦୃଢ ବିରୋଧ କରିଛନ୍ତି କଂଗ୍ରେସ ବିଧାୟକ ବାଲାସାହେବ ଥୋରାଟ । ସେ କହିଛନ୍ତି, "ମନୋହର ଜାତିର ପିତାଙ୍କୁ ନେଇ ଅପମାନ ଜନକ ମନ୍ତବ୍ୟ ଦେଇଛନ୍ତି । ଏହାର ପ୍ରତ୍ୟେକ ବର୍ଗର ଲୋକଙ୍କୁ ପ୍ରଭାବିତ କରିଛି । ସେ ଏପରି ଭାବରେ ଆପତ୍ତିଜନକ ମନ୍ତବ୍ୟ ଲଗାତର ଭାବେ ଦେଇ ଆସୁଛନ୍ତି । ତାଙ୍କୁ ଏଥିରେ କିଏ ସାହାଯ୍ୟ କରୁଛି ତାହା ତଦନ୍ତ ସାପେକ୍ଷ । ଏହା ପଛରେ ତାଙ୍କର ବାସ୍ତବ ଉଦ୍ଦେଶ୍ୟ କଣ ତାହା ଜାଣିବା ଉଚିତ । ଏଭଳି ମନ୍ତବ୍ୟ ଲାଗି ମନୋହରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସରକାର ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।"