ହାଇଦ୍ରାବାଦ: ଗତ ଏକ ସପ୍ତାହ ମଧ୍ୟରେ ସାରା ବିଶ୍ବରୁ 34 ଲକ୍ଷ ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଯାହା ପୂର୍ବ ସପ୍ତାହ ଅପେକ୍ଷା 12 ପ୍ରତିଶତ ଅଧିକ ଅଟେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସୂଚନା ଦେଇଛନ୍ତି । ସଂଯୁକ୍ତ ରାଷ୍ଟ୍ର ଏଜେନ୍ସି ଅନୁଯାୟୀ, କୋରୋନା ମୃତ୍ୟୁ ହାର ଦିନକୁ ଦିନ କମୁଛି । ଗତ ସପ୍ତାହରେ ବିଶ୍ବରେ 57 ହଜାର କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ।
WHO ଅନୁଯାୟୀ, ଯଦି ଏହି କ୍ରମରେ କୋରୋନା ମାମଲା ସାମ୍ନାକୁ ଆସୁଛି, ତେବେ ଆସନ୍ତା 3 ସପ୍ତାହ ମଧ୍ୟରେ ବିଶ୍ବର ମୋଟ କୋରୋନା ମାମଲା 20 କୋଟି ପାର କରିବା ଆଶଙ୍କା ରହିଛି । ପଶ୍ଚିମ ପ୍ରଶାନ୍ତ ଏବଂ ୟୁରୋପୀୟ ଦେଶଗୁଡିକରେ କୋରୋନା ମାମଲା ସର୍ବାଧିକ ସଂଖ୍ୟା ବୃଦ୍ଧି ପାଇଛି । କିନ୍ତୁ ଗତ ସପ୍ତାହରେ ଇଣ୍ଡୋନେସିଆ, ବ୍ରିଟେନ, ବ୍ରାଜିଲ, ଭାରତ ଏବଂ ଆମେରିକାରେ ସର୍ବାଧିକ କୋରୋନା ମାମଲା ସାମ୍ନାକୁ ଆସିଛି ।
WHO ଆହୁରି ମଧ୍ୟ କହିଛି ଯେ, ଭାଇରସର ନୂଆ ନୂଆ ମ୍ୟୁଟାଣ୍ଟ, କୋରୋନା ଗାଇଡଲାଇନରେ କୋହଳ ଏବଂ ଟୀକାକରଣ ସତ୍ତ୍ବେ କେତେକ ଦେଶରେ ଅସୁରକ୍ଷିତ ଜନସଂଖ୍ୟା ହେତୁ ସଂକ୍ରମଣ ବୃଦ୍ଧି ପାଇଛି । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ମୋଟ ଜନସଂଖ୍ୟାର ଅତିକମରେ 40 ପ୍ରତିଶତ ଲୋକଙ୍କର ଟୀକାକରଣ କରିବାକୁ ଦେଶଗୁଡିକୁ WHO ଅପିଲ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ