ଶ୍ରୀନଗର: ଆଜି (ସୋମବାର)ଠୁ ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଆରମ୍ଭ ହେବାକୁ ଯାଉଛି ତିନି ଦିନିଆ ଜି୨୦ ଶିଖର ସମ୍ମିଳନୀ । ଏଥିରେ ଅନେକ ଦେଶ ସାମିଲ ହେବାକୁ ଥବା ବେଳେ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏନେଇ ପର୍ଯ୍ୟଟନ ମନ୍ତ୍ରଣାଳୟର ସଚିବ ଅରବିନ୍ଦ ସିଂ ସୂଚନା ଦେଇଛନ୍ତି । ସେ କହିଛନ୍ତି, "କୌଣସି କାରଣବଶତଃ ନେଇ କିଛି ଦେଶ ଜି 20 ବୈଠକରେ ସାମିଲ ହୋଇପାରିନାହାନ୍ତି । ଆମେ ଖୁସି ଯେ ଅନେକ ଦେଶର ପ୍ରତିନିଧୀ ମଣ୍ଡଳୀ ଏହି ସମ୍ମିଳନୀରେ ସାମିଲ ହେବେ । ସିଙ୍ଗାପୁରକୁ ସବୁଠୁ ବଡ ପ୍ରତିନିଧୀ ମଣ୍ଡଳୀ ପଠାଯାଇଛି ।''
ଜି 20 କୋଡିନେଟର ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଶିଖର ସମ୍ମିଳନୀର ମହତ୍ତ୍ବ ଉପରେ ଗୁରୁତ୍ବ ଦେଇ କହିଛନ୍ତି, "ଆମେ ବର୍ତ୍ତମାନ ଅଧା ରାସ୍ତାରେ ରହିଛୁ, ବର୍ତ୍ତମାନ ପର୍ଯ୍ୟନ୍ତ 118 ରୁ ଅଧିକ ବୈଠକ ଆମେ ଶେଷ କରିଛୁ । କିଛି ମାସ ପୂର୍ବରୁ ଶ୍ରୀନଗରରେ ଅନେକ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା, ସେବେଠାରୁ ସହରର ରୂପ ବଦଳିଯାଇଛି । ''
''ଜି୨୦ ଶିଖର ସମ୍ମିଳନୀରେ ପର୍ଯ୍ୟଟନ ସମ୍ବନ୍ଧୀୟ ସମସ୍ତ ବିଷୟକୁ ଆମେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରୟାସ କରିଥିଲୁ । ଜି -20କୁ ନେଇ ଲୋକଙ୍କ ମନରେ ଥିବା ଧାରଣାକୁ ସ୍ପଷ୍ଟ କରିବା କରିବା ପାଇଁ ଅନେକ ଚେଷ୍ଟା କରାଯାଉଛି । ଜମ୍ମୁ କାଶ୍ମୀର ଫିଲ୍ମ ପର୍ଯ୍ୟଟନ ପାଇଁ ଜଣାଶୁଣା । ଜମ୍ମୁ କାଶ୍ମୀରର ସଂସ୍କୃତି, ଐତିହ୍ୟ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ ତଥା ପୁନର୍ଜୀବିତ କରିବା ଏହି ବୈଠକର ମୂଳ ଲକ୍ଷ୍ୟ । ''
''କାଶ୍ମୀରରେ ଜି20 ଶିଖର ସମ୍ମିଳନୀ ହେଉଥିବାରୁ ପୋଲିସ ପ୍ରଶାସନ ନିଜକୁ ପ୍ରସ୍ତୁତ ରଖିଛି । ସମ୍ମିଳନୀରେ ସାମିଲ ହେବାକୁ ଥିବା ପ୍ରତିନିଧିମାନେ ମାନେ ସ୍ଥାନୀୟ ଦର୍ଶନୀୟ ସ୍ଥାନ ଏବଂ ଡାଲ ହ୍ରଦ ଯିବାର କାର୍ଯ୍ୟକ୍ରମ ରହିଛି । ଡାଲ ହ୍ରଦ କୂଳରେ ଅବସ୍ଥିତ ଶେର୍ କାଶ୍ମୀର ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ଆରମ୍ଭ ହେବାକୁ ଥିବା ଅଧିବେଶନରେ ଅନ୍ତର୍ଜାତୀୟ ପ୍ରତିନିଧି ମଣ୍ଡଳୀ ଏବଂ ମନୋନୀତ ହୋଇଥିବା ଭାରତୀୟ ଅଧିକାରୀଙ୍କ ସମେତ 180ରୁ ଅଧିକ ବ୍ୟକ୍ତି ଯୋଗ ଦେବେ ।''
ଆସନ୍ତା 24 ତାରିଖ ପର୍ଯ୍ୟନ୍ତ କାଶ୍ମୀରରେ ଜାରି ରହିବ ଜି 20 ଶିଖର ସମ୍ମିଳନୀ । ତୃତୀୟ G20 ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ ବୈଠକରେ G20 ଦେଶର ପ୍ରାୟ ୬୦ଟି ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ ଭାରତ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ କୌଣସି ବଡ଼ ଅନ୍ତର୍ଜାତୀୟ ବୈଠକ ଏଠାରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ବୈଠକ ପୂର୍ବରୁ ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
G20ରେ ଭାରତ ବ୍ୟତୀତ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା,ଫ୍ରାନ୍ସ, ଇଟାଲୀ, ଜାପାନ, ଦକ୍ଷିଣ କୋରିଆ, ମେକ୍ସିକୋ, ଋଷ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ ଜର୍ମାନୀ, ଇଣ୍ଡୋନେସିଆ, ଏବଂ ଆମେରିକା ଏବଂ ୟୁରୋପୀୟ ୟୁନିଅନ୍ ସାମିଲ ହେବେ ।