ଚଣ୍ଡିଗଡ: ଆତଙ୍କବାଦୀ ଆକ୍ରମଣରେ ଦେଶ ପାଇଁ ବଳିଦାନ ଦେଇଛନ୍ତି 5 ଜଣ ବୀର ଯବାନ । ଜମ୍ମୁ କାଶ୍ମୀରର ପୁଞ୍ଚ ସେକ୍ଟରରେ ସେନା ଗାଡିକୁ ଆତଙ୍କୀ ଆକ୍ରମଣ ହୋଇଥିଲା ଯେଉଁଥିରେ 5 ଜଣ ଯବାନ ଶହୀଦ ହୋଇଥିଲେ । ସେହି ଶହୀଦ ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଲାନ୍ସ ନାୟକ କୁଳବନ୍ତ ସିଂହ । ଯିଏ 1999 ମସିହା କାରଗୀଲ ଯୁଦ୍ଧରେ ଶହୀଦ ହୋଇଥିବା ବଳଦେବ ସିଂହଙ୍କ ପୁଅ ଥିଲେ । କୁଳବନ୍ତଙ୍କ ବାପା ଯେଉଁ ବୟସରେ ଶହୀଦ ହୋଇଥିଲେ ପୁଅ ବି ସେହି ବୟସରେ ଦେଶ ପାଇଁ ଜୀବନ ଦେଇଛନ୍ତି ।
ତାଙ୍କ ପିତା କାର୍ଗିଲ ଯୁଦ୍ଧରେ ଶହୀଦ ହେବାର 11 ବର୍ଷ ପରେ ସେ 2010ରେ ସେନାରେ ଯୋଗ ଦେଇଥିଲେ । କୁଳବନ୍ତଙ୍କ ଦେଢ ବର୍ଷର ଝିଅ ଓ ତିନି ମାସର ପୁଅ ଅଛି ଯିଏକି ପଞ୍ଜାବ ମୋଗାର ଚାଡିକ୍ ଗ୍ରାମରେ ରହୁଛନ୍ତି । କୁଳବନ୍ତଙ୍କ ଶହୀଦ ହେବା ଖବର ଶୁଣିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ଶହୀଦଙ୍କ ପାର୍ଥୀବ ଶରୀର ଗାଁରେ ପହଞ୍ଚିବା ପରେ ଗ୍ରାମରେ ବୀର ପୁଅକୁ ସମ୍ମାନର ସହିତ ଅନ୍ତିମ ବିଦାୟ ଦିଆଯାଇଥିଲା ।
ଏହା ମଧ୍ୟ ପଢନ୍ତୁ-Virginity Test: ବିବାହ ପୂର୍ବରୁ ହେଲା କୁମାରୀତ୍ବ ପରୀକ୍ଷା, ମଣ୍ଡପରୁ ଫେରିଲେ ଅନେକ ଯୁବତୀ
ସୂଚନା ଯୋଗ୍ୟ ଯେ, ଦକ୍ଷିଣ କାଶ୍ମୀର ପୁଞ୍ଚରେ ଗୁରୁବାର ଦିନ ଅପରାହ୍ନରେ ପୁଞ୍ଚରୁ 60 କିମି ଦୂର ଭଟା ଧୁରିଆଁ ନାମକ ସ୍ଥାନରେ ଏହି ଆକ୍ରମଣ ଘଟିଥିଲା । ସେନା ଟ୍ରକଟି ଭୀମବେର ଗଳିରୁ ପୁଞ୍ଚର ସାଙ୍ଗିଓଟ ଅଭିମୁଖେ ଯାଉଥିବା ବେଳେ ଯବାନଙ୍କ ଗାଡିକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ପ୍ରଥମେ ଆତଙ୍କୀ ମାନେ ଗୁଳି ଚଳାଇ ଥିଲେ । ପାଖା ପାଖି 50 ରାଉଣ୍ଡ ଗୁଳି ଚଳାଇ ଥିଲେ । ଏହା ପରେ ସେନା ଗାଡିକୁ ଗ୍ରେନେଡ ମାଡ କରିଥିଲେ ଫଳରେ ଗାଡିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।
ସମସ୍ତ ଶହୀଦ 5 ଯବାନ ରାଷ୍ଟ୍ରୀୟ ରାଇଫଲର ସଦସ୍ୟ । ସେମାନେ ଆତଙ୍କବାଦୀ ନିରୋଧ ଅଭିଯାନରେ ସାମିଲ ଥିବା ବେଳେ ଗାଡିରେ ଥିବା 5 ଜଣ ଯବାନ ଶହୀଦ ହୋଇଥିଲେ । ଶହୀଦ ଯବାନଙ୍କ ମଧ୍ୟରେ ଜଣେ ଓଡିଆ ଯବାନ ଲାନ୍ସ ନାୟକ ଦେବାଶିଷ ବିଶ୍ବାଳ ଯିଏ କି ଦେଶ ପାଇଁ ଜୀବନ ଦେଇଛନ୍ତି ।