ନୂଆଦିଲ୍ଲୀ: ନାନା ବାଦବିବାଦ ପରେ ଶେଷରେ ପଞ୍ଜାବ କଂଗ୍ରେସ କମିଟିର ସଭାପତି ମୁକୁଟ ପିନ୍ଧିଛନ୍ତି କଂଗ୍ରେସ ନେତା ନବଜ୍ୟୋତି ସିଂହ ସିଦ୍ଧୁ । ବିଜୁଳି ଦର ନେଇ ପଞ୍ଜାବ ସରକାର ବିରୋଧରେ ସ୍ବର ଉଠାଇଥିବା ସିଦ୍ଧୁଙ୍କୁ ଶେଷରେ ସଭାପତି ଦାୟିତ୍ବ ଦେବାକୁ ବାଧ୍ୟ ହୋଇଛନ୍ତି ଦଳୀୟ ସୁପ୍ରିମୋ ସୋନିଆ ଗାନ୍ଧୀ । ବିଦ୍ୟୁତ ବିତରଣ ଦରକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ବିପକ୍ଷରେ ସ୍ବର ଉତ୍ତୋଳନ କରିଥିଲେ ସିଦ୍ଧୁ । ଏଥିରେ ତାଙ୍କର ଭରୁପୁର ସହଯୋଗ କରିଥିଲେ ତାଙ୍କ ସମର୍ଥକ ।
ତେବେ ସେ କ୍ରିକେଟ ହେଉ କି ରାଜନୀତି ନିଜ କ୍ୟାପଟେନଙ୍କ ସହ ସବୁବେଳେ ସିଦ୍ଧୁଙ୍କ ବିବାଦ ରହି ଆସିଛି । ନିଜ କ୍ରିକେଟ କ୍ୟାରିଅରରେ ମଧ୍ୟ କମ ବିବାଦରେ ଫସି ନଥିଲେ ପଞ୍ଜାବ କଂଗ୍ରେସ କମିଟି ସଭାପତି ନବଜ୍ୟୋତି ସିଂହ ସିଦ୍ଧୁ । ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ରହିଥିବା ବେଳେ ମଧ୍ୟ ଭାରତୀୟ ଦଳର ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ସହ ବିବାଦ ଯୋଗୁଁ ଅଧା ସିରିଜରୁ ସ୍ବଦେଶ ଫେରି ଆସିଥିଲେ ନବଜ୍ୟୋତି ସିଂହ ସିଦ୍ଧୁ । ବର୍ତ୍ତମାନ ପରିସ୍ଥିତିରେ ମଧ୍ୟ ସେ ନିଜ କ୍ୟାପଟେନ ବା ପଞ୍ଜାବ କଂଗ୍ରେସ କମିଟିର ପୂର୍ବତନ ସଭାପତି କ୍ୟାପେଟନ ଅମରିନ୍ଦର ସିଂହ ବିବାଦରେ ରହିଥିଲେ ।

ସିଦ୍ଧୁଙ୍କ ବିବାଦୀୟ କ୍ରିକେଟ କ୍ୟାରିଅର
୧୯୮୩ରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ନବଜ୍ୟୋତ ସିଂହ ସିଦ୍ଧୁ । ଭାରତର ଉତ୍ତର ଜୋନ ଓ ସେହି ସମୟର ଶକ୍ତିଶାଳୀ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ନବଜ୍ୟୋତ ସିଂହ ସିଦ୍ଧୁ ୧୨୨ ରନର ଇନିଂଶ ଖେଳିଥିଲେ । ସେହି ମ୍ୟାଚରେ ୱେଷ୍ଟଇଣ୍ଡିଜର ଫାଷ୍ଟ ବୋଲର ବା ସେହି ସମୟର ବିଶ୍ବର ଏକ ପ୍ରମୁଖ ବୋଲର ଲାରି ଗୋମ୍ସଙ୍କ ବଲରେ ସେ ଛକା ବର୍ଷା କରିଥିଲେ । ଅଚାନକ ନବଜ୍ୟୋତ ସିଂହ ସିଦ୍ଧୁଙ୍କ ନାମ ଚର୍ଚ୍ଚା ହେବାକୁ ଲାଗିଲା । ଏହି ପ୍ରଦର୍ଶନ ଯୋଗୁଁ ପଞ୍ଜାବର ତତ୍କାଳୀନ ଆଡଭକେଟ ଜେନେରାଲ ବା ସିଦ୍ଧୁଙ୍କ ବାପା ଭାଗବନ୍ତ ସିଂହ ସିଦ୍ଧୁ ଲାଉଡ ସ୍ପିକରରେ ନବଜ୍ୟୋତ ସିଂହ ସିଦ୍ଧୁଙ୍କ ପାଇଁ ୫ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲେ ।
ଏହାପରେ ସେ ଭାରତୀୟ ଚୟନକର୍ତ୍ତାଙ୍କ ନଜରକୁ ଆସିଥିଲେ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଟେଷ୍ଟ ସ୍କ୍ବାଡରେ ତାଙ୍କୁ ସାମିଲ କରାଯାଇଥିଲା । ଏହାପରେ ସେ ସିରିଜରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ । ଗୋଟିଏ ଅହମ୍ମଦାବାଦ ଓ ଅନ୍ୟ ଗୋଟିଏ ଚେନ୍ନାଇରେ ଖେଳିଥିଲେ । କିନ୍ତୁ ଦୁଇଟି ଟେଷ୍ଟ ମ୍ୟାଚରେ ସେ ଫେଲ ମାରିଥିଲେ । ଏହାପରେ ଜଣେ ସୁପରିଚିତ କ୍ରୀଡ଼ା ସାମ୍ବାଦିକ ସିଦ୍ଧୁଙ୍କୁ ନେଇ ଏକ ଆର୍ଟିକେଲ ଲେଖିଥିଲେ । ସେ ଲେଖିଥିଲେ ଯେ, ସିଦ୍ଧୁ ହେଉଛନ୍ତି ଏମିତି ଜଣେ ବ୍ୟାଟସମ୍ୟାନେ ଯାହାଙ୍କ ବ୍ୟାଟରୁ ଷ୍ଟ୍ରୋଟ ଦେଖିବାକୁ ମିଳେନାହିଁ । ସେତେବେଳେକୁ ସିଦ୍ଧୁଙ୍କ ନାମ ଏତେଟା ଚର୍ଚ୍ଚା ହେଉନଥିଲା । କିନ୍ତୁ ସେହି ଆର୍ଟିକେଲକୁ ସିଦ୍ଧୁ କାଟି ନେଇ ନିଜ ଘରେ ଲଗାଇ ଦେଇଥିଲେ ।
ଏହାପରେ ୪ ବର୍ଷ ବିତିଗଲା । ଏହାପରେ ପଟିଆଲାରେ ଜୋରଦାର ଅଭ୍ୟାସ ଆରମ୍ଭ କରିଥିଲେ ସିଦ୍ଧୁ । ପଞ୍ଜାବର ଦୁଇ ଅଫ୍ ସ୍ପିନର ଉମେଶ କୁମରା ମହେଶ ଇନ୍ଦର ସିଂହ ବିପକ୍ଷରେ ସେ ବ୍ୟାଟିଂ କରି ଛକା ମାରିବା ଅଭ୍ୟାସ କରୁଥିଲେ । ଏହାପରେ ୧୯୮୭ ମସିହାରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ନବଜ୍ୟୋତ ସିଂହ ସିଦ୍ଧୁ । ୧୯୮୭ ବିଶ୍ବକପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାପରେ ସିଦ୍ଧୁ ଟୁର୍ଣ୍ଣାମେଣ୍ଟରେ ୪ଟି ଅର୍ଦ୍ଧଶତକୀୟ ଇନିଂଶ ଖେଳିଥିଲେ । ଏହାପରେ ରିଲାଏନ୍ସ କପ ଖେଳୁଥିଲା ଭାରତ । ଏହି ଦଳର ଅଧିନାୟକ ଥିଲେ କପିଳ ଦେବ । ଅଷ୍ଟ୍ରେଲିଆ ବିପକ୍ଷରେ ୩ ନମ୍ବରରେ ବ୍ୟାଟିଂ କରି ସିଦ୍ଧୁ ଦ୍ରୁତ ୭୩ ରନ ଇନିଂଶ ଖେଳିଥିଲେ ।
ଭଲ ଇନିଂଶ ଖେଳିଥିଲେ ସୁଦ୍ଧା ଏହିଠାରୁ ହିଁ ତାଙ୍କ କ୍ରିକେଟ କ୍ୟାରିଅର ଅଧପତ୍ତନ ଆରମ୍ଭ ହେଲା । କାରଣ ଫର୍ମରେ ଥାଇ ସୁଦ୍ଧ ଯେବେ ବି ଭାରତକୁ ସିଦ୍ଧୁଙ୍କ ଆବଶ୍ୟକତା ପଡ଼ୁଥିଲା ସେତେବେଳେ ଦଳରେ ସାମିଲ ହୋଇପାରୁନଥିଲେ । ରିଲିଆନ୍ସ କପ ଶେଷ ହେବାପରେ ୱେଷ୍ଟଇଣ୍ଡିଜ ଦଳ ଭାରତ ଗସ୍ତରେ ଆସିଥିଲା କିନ୍ତୁ । ପ୍ରଥମ ଟେଷ୍ଟ ମ୍ୟାଚରେ ହିଁ ସିଦ୍ଧୁ ଆହତ ହୋଇ ଟିମରୁ ବାଦ ପଡ଼ିଥିଲେ । ଏହାପରେ ଟେଷ୍ଟକୁ ଫେରିବାକୁ ସିଦ୍ଧୁ ଲାଗିଥିଲା ପ୍ରାୟ ଏକ ବର୍ଷ ସମୟ । ୧୯୮୮ ମସିହାରେ ସାର ରିଚାର୍ଡ ହେଡଲୀଙ୍କ ଅଧିନାୟକତ୍ବରେ ନ୍ୟୁଜିଲାଣ୍ଡ ଦଳ ଭାରତ ଆସିଥିଲା । ଏହି ସିରିଜରେ ସିଦ୍ଧୁ ପୁନଃ ପ୍ରତ୍ୟାବର୍ତ୍ତନ କରି ବାଙ୍ଗାଲୁରୁରେ ଏକ ଶତକୀୟ ଇନିଂଶ ଖେଳିଥିଲେ ।
ସିଦ୍ଧୁଙ୍କ ଉପରେ ହତ୍ୟା ଅଭିଯୋଗ
ସବୁ ଠିକ ଚାଲିଥିବା ବେଳେ ନବଜ୍ୟୋତ ସିଂହ ସିଦ୍ଧୁଙ୍କ ଉପରେ ଏକ ହତ୍ୟା ଅଭିଯୋଗ ମଧ୍ୟ ଲାଗିଲା । ପଟିଆଲାରେ ନିଜ କାର ଯୋଗେ କୌଣସି ସ୍ଥାନକୁ ଯାଉଥିବା ବେଳେ ଗୁରନାମ ସିଂହ ଜଣେ ବିତ୍ତଶାଳୀ ବ୍ୟକ୍ତିଙ୍କ କାରକୁ ଧକ୍କା ଦେଇଥିଲା ସିଦ୍ଧୁଙ୍କ କାର । ଏହାପରେ ସିଦ୍ଧୁ ଓ ଗୁରନାମ ସିଂହ ମଧ୍ୟରେ ଝଗଡ଼ା ହୋଇଥିଲା । କୁହାଯାଏ ଧସ୍ତାଧସ୍ତି ସମୟରେ ଗୁରନାମଙ୍କୁ ହାର୍ଟଆଟାକ ହୋଇଥିଲା ଓ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସିଦ୍ଧୁଙ୍କ ଉପରେ ହତ୍ୟା ଅଭିଯୋଗ ଲାଗିଥିଲା । ଘଟଣା ପରେ ସିଦ୍ଧୁ ଗୋଟିଏ ସପ୍ତାହ ପାଇଁ ଫେରାର ମଧ୍ୟ ରହିଥିଲେ ।
ଏହାପରେ ସେ ଆତ୍ମସମର୍ପଣ ମଧ୍ୟ କରିଥିଲେ । ଏହି ମାମଲା ପ୍ରାୟ ୧୦ ବର୍ଷ ଧରି ଚାଲିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେସନ କୋର୍ଟ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ । ଏହି ସମୟରେ ମଧ୍ୟ ସିଦ୍ଧୁଙ୍କ କ୍ରିକେଟ କ୍ୟାରିଅର ଶୀର୍ଷରେ ରହିଥିଲା । ୧୯୮୯ ମସିହାରେ ଭାରତ ଯେତେବେଳେ ୱେଷ୍ଟଇଣ୍ଡିଜ ଗସ୍ତ କରିଥିଲା । ସେହି ସମୟରେ କୋର୍ଟ ସିଦ୍ଧୁଙ୍କୁ ସ୍ବତନ୍ତ୍ର ଅନୁମତି ଦେଇଥିଲେ ୱେଷ୍ଟଇଣ୍ଡିଜ ଗସ୍ତ କରିବାକୁ । ଏହି ସିରିଜର ପ୍ରଥମ ମ୍ୟାଚ କିଙ୍ଗଷ୍ଟନରେ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ସିଦ୍ଧୁ ୧୫୦ ରନ ଇନିଂଶ ଖେଳିଥିଲେ ।
ଅଚାନକ ସିଦ୍ଧୁ ଭାରତୀୟ କ୍ରିକେଟ ଦଳର ଜଣେ ପ୍ରମୁଖ ସଦସ୍ୟ ହୋଇଗଲେ । ବିଶେଷ କରି ଦିନିକିଆ ମ୍ୟାଚରେ । ସେହି ସମୟରେ ସିଦ୍ଧୁ ଦିନିକିଆ ମ୍ୟାଚରେ ୬ଟି ଶତକ ହାସଲ କରିଥିଲେ । ସେହିଭଳି ସେ ୫୧ଟି ଟେଷ୍ଟ ମ୍ୟାଚ ଖେଳି ସେ ୯ଟି ଶତକ ହାସଲ କଲେ । କିନ୍ତୁ କ୍ରିକେଟ ସମୀକ୍ଷକଙ୍କ ମତରେ ସିଦ୍ଧୁ ଅଧିକ ଟେଷ୍ଟ ମ୍ୟାଚ ଖେଳି ପାରିଥାନ୍ତେ । କ୍ୟାରିଅରର ଅଧିକାଂଶ ସମୟ ସେ ଆହତଜନିତ ସମସ୍ୟା ଦେଇ ଗତି କରିଥିଲେ । ୧୯୯୨-୯୩ ଓ ୧୯୯୬-୯୭ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପାଇଁ ଦଳରେ ସାମିଲ ହିଁ ନଥିଲେ । କାରଣ ସେ ଆହତ ରହିଥିଲେ । ମୁଖ୍ୟ କଥା ହେଉଛି ସିଦ୍ଧୁ ସେତେବେଳେ ହିଁ ଆହତ ହେଉଥିଲେ ଯେତେବେଳେ ଦଳରେ ତାଙ୍କ ଆବଶ୍ୟକତା ଅଧିକା ଥିଲା ।
ଏହାପରେ ପୁଣି ବିବାଦରେ ଫସିଯାଇଥିଲେ ସିଦ୍ଧୁ । ୧୯୯୬ ମସିହାରେ ଭାରତ ଇଂଲଣ୍ଡ ଗସ୍ତରେ ରହିଥିଲା । ସେହି ସମୟରେ ଭାରତର ଅଧିନାୟକ ଥିଲେ ମହମ୍ମଦ ଆଝାରୁଦ୍ଦିନ । ଆଝାରୁଦ୍ଦିନ ସେହି ସମୟରେ ଦୁର୍ବଳ ଅଧିନାୟକ ଭାବରେ ପରିଗଣିତ ହୋଇଥିଲେ । କାରଣ ଭାରତ ବିଶ୍ବକପରେ ପରାଜିତ ହୋଇଥିଲା । ସଚିନ ତେନ୍ଦୁଲକରଙ୍କୁ ଭାରତର ଅଧିନାୟକ ଦାୟିତ୍ବ ଦେବାକୁ ଦାବି ଉଠୁଥିଲା । ଏହି ଦଳର କୋଚ୍ ଥିଲେ ସନ୍ଦୀପ ପାଟିଲ । ସେହି ସମୟରେ ନବଜ୍ୟୋତ ସିଂହ ସିଦ୍ଧୁ ଓ ମହମ୍ମଦ ଆଝାରୁଦ୍ଦିନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ।
ଅଧା ଗସ୍ତରୁ ଫେରି ଯାଇଥିଲେ ସିଦ୍ଧୁ
ସିଦ୍ଧୁଙ୍କୁ ସବୁବେଳେ ଲାଗୁଥିଲା ଯେ, ଆଝାରୁଦ୍ଦିନ ତାଙ୍କୁ ପରିହାସ କରୁଛନ୍ତି । ଏହାକୁ ନେଇ ସେ ପଟିଆଲାର ନିଜ ବନ୍ଧୁଙ୍କୁ ମଧ୍ୟ ଜଣାଉଥିଲେ । ଏହି ସିରିଜରେ ଦଳକୁ ପ୍ରତ୍ୟାବର୍ତ୍ତନ କରୁଥିଲେ ସୌରଭ ଗାଙ୍ଗୁଲି । ଏହି ମ୍ୟାଚରୁ ସିଦ୍ଧୁଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଇଥିଲା । ତେବେ ଏହାକୁ ନେଇ ସିଦ୍ଧୁଙ୍କୁ ଜଣା ଯାଇନଥିବା କୁହାଯାଏ । ସିଦ୍ଧୁ ଦଳ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କୁ କୁହାଯାଇଥିଲେ କାନ୍ଥରେ ଚୁଡ଼ାନ୍ତ ଏକାଦଶ ଲିଷ୍ଟ ଲାଗିଛି ଦେଖି ନିଅନ୍ତୁ । ତେବେ ଏହା ସିଦ୍ଧୁଙ୍କୁ ଅତି ଅପମାନଜନକ ଲାଗିଲା।
ଏହାକୁ ନେଇ ସିଦ୍ଧୁ ଟିମ ରହିଥିବା ହୋଟେଲରୁ ଲଣ୍ଡନ ଯିବାକୁ ବାହାରିଲେ । ତା ପର ଦିନ ଭାରତୀୟ ଦଳକୁ ଗୋଟିଏ ସହରରୁ ଅନ୍ୟ ଏକ ସହରକୁ ଯିବାକୁ ଥିଲା । କାରଣ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଶେଷ ହୋଇ ସାରିଥିଲା। ଏହାପରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ ସିରିଜ। ଟିମ ହୋଟେଲରେ ସିଦ୍ଧୁଙ୍କ ରୁମମେଟ ଥିଲେ ସୌରଭ ଗାଙ୍ଗୁଲି। ସିଦ୍ଧୁ ଯିବାରୁ ପୂର୍ବରୁ ଏକ ଚିଠି ସୌରଭ ଗାଙ୍ଗୁଲିଙ୍କୁ ଦେଇ କହିଲେ "ଏହି ଚିଠି ତୁମେ ଟିମ ମ୍ୟାନେଜରଙ୍କୁ ଦେଇ ଦେବ।" ସେହି ସମୟରେ ସୌରଭ ଗାଙ୍ଗୁଲି ଟେଷ୍ଟ କ୍ୟାରିଅର ଆରମ୍ଭ କରିନଥିଲେ ।
ଭାରତୀୟ ଦଳ ଯେତେବେଳେ ଅନ୍ୟ ଏକ ସହରକୁ ଯିବାକୁ ବାହାରିଥିଲେ। ସିଦ୍ଧୁ ଏଥିରେ ସାମିଲ ନଥିଲେ । ଏହି ସମୟରେ ଟିମ ମ୍ୟାନେଜରଙ୍କୁ ସିଦ୍ଧୁଙ୍କ ଚିଠି ଦେଲେ ସୌରଭ ଗାଙ୍ଗୁଲି । ଯେଉଁଥିରେ ଲେଖାଥିଲ। ମୁଁ ଏହି ଗସ୍ତ ଛାଡ଼ି ଯାଉଛି, ମୁଁ ଆଉ କେବେ କ୍ରିକେଟ ଖେଳିବି ନାହିଁ ।
ତେବେ ଏହାପରେ ସିଦ୍ଧୁଙ୍କ ଉପରେ ବ୍ୟାନ ଲଗାଇଥିଲା ବିସିସିଆଇ । ସେହି ସମସୟରେ ପଞ୍ଜାବ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଆଇଏସ ବିନ୍ଦ୍ରା ବିସିସିଆଇର ମଧ୍ୟ ଅଧ୍ୟକ୍ଷ ଥିଲେ। ତେବେ ସିଦ୍ଧୁଙ୍କ ବ୍ୟାନ କମ କରି ଦିଆଯାଇଥିଲା। 1996ରେ ଭାରତରେ ଟାଇଟନ କପ ଆୟୋଜନ କରାଯାଇଥିଲା। ତେବେ ପ୍ର୍ୟତ୍ୟାବର୍ତ୍ତନ ମ୍ୟାଚରେ ହିଁ ସିଦ୍ଧୁ ପୁନଃ ଆହତ ହୋଇଯାଇଥିଲେ।
କମେଣ୍ଟ୍ରି ବାଦଶାହ ସିଦ୍ଧୁ
1999 ମସିହାରେ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ। ଏହାପରେ ସିଦ୍ଧୁଙ୍କ ଆଉ ଏକ ନୂଆ ଅବତାରରେ ଦେଖିବାକୁ ମିଳିଥିଲା। ଉଭୟ ଓ ହିନ୍ଦୀ ଓ ଇଂଲିଶ ଭାଷାରେ ସିଦ୍ଧୁଙ୍କ କ୍ରିକେଟ କମେଣ୍ଟ୍ରି ପରିଚୟ ପାଇବାକୁ ଲାଗିଲେ । ଟେଲିଭିଜନ ପରଦାରେ ସିଦ୍ଧୁଙ୍କ କମେଣ୍ଟ୍ରି ଶୁଣିବାକୁ ଫ୍ୟାନମାନେ ଅପେକ୍ଷା କରି ରହୁଥିଲେ। କମେଣ୍ଟ୍ରିରେ ସିଦ୍ଧୁ ଏତେ ପ୍ରସିଦ୍ଧି ଲାଭ କରିବେ କେହି କେବେ ଚିନ୍ତା କରି ନଥିଲେ।
ତେବେ କମେଣ୍ଟ୍ରି କରିବା ସମୟରେ ମଧ୍ୟ ବିବାଦରେ ରହିଥିଲେ ସିଦ୍ଧୁ। ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଏକ ମ୍ୟାଚରୁ ବାଲାଂଦେଶକୁ ଅସରପା ସହ ତୁଳନା କରିଥିଲେ ସିଦ୍ଧୁ। ଏଥିପାଇଁ ତାଙ୍କୁ ଆଇସିସି ପକ୍ଷରୁ କମେଣ୍ଟ୍ରିରୁ ବ୍ୟାନ କରାଯାଇଥିଲା। ଏହାସହ ଛଡ଼ା 2014 ମସିହା ଆଇପିଏଲ ବେଳେ ଏକ ଘରୋଇ ଚ୍ୟାନେଲ ସହ କମେଣ୍ଟ୍ରି ପାଇଁ ଚୁକ୍ତି କରି ସିଦ୍ଧୁ କମେଣ୍ଟ୍ରି କରିନଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇଁ ସମ୍ପୃକ୍ତ ଘରୋଇ ଚ୍ୟାନେଲ କୋର୍ଟର ଦ୍ବାରସ୍ତ ମଧ୍ୟ ହୋଇଥିଲା ।
ସିଦ୍ଧୁଙ୍କ ପଲିଟିକାଲ ଇନିଂଶ
2004 ମସିହାରେ ଭାରତ ପାକିସ୍ତାନ ଗସ୍ତ କରିଥିଲା। ଏହି ସମୟରେ କମେଣ୍ଟ୍ରି ପ୍ୟାନେଲରେ ସାମିଲ ହୋଇଥିଲେ । ସେହି ସମୟରେ ଶୁଣିବାକୁ ମିଳିଥିଲା ଯେ ସିଦ୍ଧୁ ବିଜେପି ଟିକଟରେ ଅମୃତଶରରୁ ସାଂସଦ ପାଇଁ ପ୍ରତିଦ୍ବନ୍ଦିତା କରିବେ। ଏହା ଶୁଣିବାକୁ ସେହି ସମୟରେ ଅତି ଅଜବ ଲାଗିଥିଲା। କାରଣ ଏହାପୂର୍ବରୁ ସିଦ୍ଧୁଙ୍କ ପରିବାରରୁ କେହି ବି ବଜେପି ସହ କାର୍ଯ୍ୟ କରିନଥିଲେ । ତାଙ୍କ ବାପା ପଞ୍ଜାବର ଅକାଳୀ ଦଳ କିମ୍ବା କଂଗ୍ରେସ ସହ କାର୍ଯ୍ୟ କିରଥିବା ନଜିର ରହିଛି ।
ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ନିଜେ ସିଦ୍ଧୁଙ୍କ ଫୋନ କରି ଅମୃତଶରରୁ ଲଢ଼ିବା ପାଇଁ କହିଥିଲେ। 2004 ମସିହାରେ ଏପ୍ରିଲ 17 ତାରିଖରେ ସିଦ୍ଧୁ ନିଜ ଭିସା ପରିବର୍ତ୍ତନ କରାଇ ଲାହୋରରୁ ଅମୃତଶର ପର୍ଯ୍ୟନ୍ତ ବସରେ ଆସିବାକୁ ନିଷ୍ପତ୍ତି ନେଇଥିଲେ। ବାଘା ବୋର୍ଡର ଦେଇ ଲାହୋରରୁ ଅମୃତଶର ପହଞ୍ଚିବାକୁ ମାତ୍ର 1ରୁ 1.30ମିନିଟ ସମୟ ଲାଗିଥାଏ।
ସିଦ୍ଧୁ କେବେ ବି ଅମୃତଶର ବାସିନ୍ଦା ନଥିଲେ। ପଟିଆଲା ଥିଲା ତାଙ୍କ ନଜ ଘର। ତେବେ ଏହାକୁ ନେଇ ପ୍ରଶ୍ନ କରିବାକୁ ସିଦ୍ଧୁ କହିଥିଲେ ଆଜିଠାରୁ ମୁଁ କେବେ ଅମୃତଶରରୁ ବାହାରକୁ ଯିବି ନାହିଁ। ମୋ ଘରେ କେହି ମରିଗଲେ ବି ମୁଁ କେବେ ଅମୃତଶର ଛାଡ଼ିବି ନାହିଁ।
ପଞ୍ଜାବ ଓ ବିଜେପି ପାଇଁ ଏକ ବଡ଼ ଖବର ଥିଲା। କାରଣ ସେହି ସମୟରେ ବିଜେପି ପାଖରେ କୌଣସି ସିଖ୍ ନେତା ନଥିଲା । ବିଜେପି ଓ ଅକାଳି ଦଳ ପଞ୍ଜାବରେ ମେଣ୍ଟ ସରକାର ଚଳାଉଥିଲେ। ଅକାଳି ଦଳ ମଧ୍ୟ ସିଦ୍ଧୁ ପ୍ରଚୁର ସମର୍ଥନ ଦେଇଥିଲେ । ସିଦ୍ଧୁ ଦିନ ସମୟରେ ଗ୍ରାମାଞ୍ଚଳରେ ପ୍ରଚାର କରୁଥିବା ବେଳେ ସନ୍ଧ୍ୟା ସମୟରେ ସହରରେ ପ୍ରଚାର କରୁଥିଲେ । ଖାସ କଥା ହେଉଛି ସିଦ୍ଧୁ ପ୍ରଚାର ବେଳେ କେବେ ନିଜ ଶବ୍ଦ ବଦଳାଉନଥିଲେ।
2004 ମସିହାରେ ଏନଡିଏକୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ବଡ଼ବଡ଼ ବିଜେପି ନେତା ନିଜ ନିଜ ବିଧାନସଭା ଆସନରେ ପରାଜିତ ହୋଇଥିଲେ। ମେ 13 ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା। ଯେଉଁଥିଲେ ଅମୃତଶର ଆସନରୁ ସିଦ୍ଧୁ ବିପୁଳ ବିଜୟ ହାସଲ କରିଥିଲେ। କଂଗ୍ରେସର ବରିଷ୍ଠ ନେତା ରଘୁନନ୍ଦନ ଲାଲ୍ ଭାଟିଆଙ୍କୁ ପରାଜିତ କରିଥିଲେ ସିଦ୍ଧୁ। ଯିଏ କେବେ କୌଣସି ନିର୍ବାଚନ ହାରନଥିଲେ।
ରାଜନୀତି କ୍ୟାରିଅରରେ ବି ସିଦ୍ଧୁଙ୍କ ବିବାଦ
ସିଦ୍ଧୁ ସିନା ବିଜୟୀ ହେଲେ ଏନଡିଏ ସରକାର ଭାଙ୍ଗି ଯାଇଥିଲା । ଏହାସତ୍ତ୍ବେ ସେ ସଂସଦକୁ ବିଜେପି ନେତା ହୋଇ ଯାଇଥିଲେ। ଏହାର ଦୁଇ ବର୍ଷ ପରେ ପୁଣି ବିବାଦରେ ଫସିଥିଲେ ସିଦ୍ଧୁ। ତାଙ୍କ ଉପରେ ଥିବା ହତ୍ୟା ଅଭିଯୋଗ କୋର୍ଟରେ ପ୍ରମାଣିତ ହୋଇଥିଲା। ଏହାପରେ ସାଂସଦ ପଦରୁ ସିଦ୍ଧୁଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।
ତେବେ ଏହାର ଏକ ବର୍ଷ ପରେ ପୁଣି ଏହି ମାମଲାରେ ନିର୍ଦ୍ଦୋଶ ସାବ୍ୟସ୍ତ ହୋଇଥିଲେ ସିଦ୍ଧୁ। ଓ ପୁନଃ ସେ ସାଂସଦ ଦାୟିତ୍ବ ନେଇଥିଲେ। ସେହି ସମୟରେ ସିଦ୍ଧୁ ଅମୃତଶର ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିବା ନଜିର ରହିଛି।
ବିଜେପିର ଅରୁଣ ଜେଟଲୀଙ୍କୁ ନିଜ ରାଜନୈତିକ ଗୁରୁ ମାନୁଥିଲେ ସିଦ୍ଧୁ। କିନ୍ତୁ ପରବର୍ତ୍ତୀ ସମୟରେ ନିଜ ଗୁରୁଙ୍କ ସହ ହିଁ ମତଭେଦ ହେବାରୁ ସେ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସେର ଯୋଗ ଦେଇଥିଲେ। କଥା ହେଉଛି 2014 ମସିହାର ଅମୃତଶର ଆସନରୁ ଅରୁଣ ଜେଟୀଲଙ୍କୁ ଟିକଟ ଦିଆଯାଇଥିଲା। ସିଦ୍ଧୁଙ୍କୁ କୁହାଯାଇଥିଲା ଆପଣ ଅନ୍ୟ କୌଣସି ଆସନରୁ ନିର୍ବାଚନ ଲଢ଼ନ୍ତୁ । କିନ୍ତୁ ଏଥିରେ ରାଜି ହୋଇନଥିଲେ। କୁହାଯାଏ ସିଦ୍ଧୁଙ୍କୁ ଚଣ୍ଡିଗଡ଼ ଆସନରୁ ବିଜେପି ପକ୍ଷରୁ ପ୍ରତିଦ୍ବନ୍ଦିତା କରିବାକୁ କୁହାଯାଇଥିଲା। କିନ୍ତୁ ସେତେବେଳକୁ ଅକାଳି ଦଳ ସହ ମଧ୍ୟ ସିଦ୍ଧୁଙ୍କ ମତଭେଦ ରହିଥିଲା। ଏଥିପାଇଁ ଅକାଳି ଦଳ ସିଦ୍ଧୁଙ୍କୁ ସମର୍ଥନ ଦେବାକୁ ମନା କରିଦେଇଥିଲା।
2014 ମସିହାରେ ଅମୃତଶର ଆସନରୁ ପରାଜିତ ହୋଇଥିଲେ ଅରୁଣ ଜେଟଲୀ । ଫଳରେ ନିଜ ରାଜନୈତିକ ଗୁରୁଙ୍କ ସହ ହିଁ ସିଦ୍ଧୁଙ୍କ ବିାବାଦ ହୋଇଥିଲା। ଫଳରେ ସେ ବିଜେପି ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ସେତେବେଳେ ମଧ୍ୟ ସେ ଆମ ଆଦମୀ ପାର୍ଟୀରେ ଯୋଗ ଦେବେ ବୋଲି ଆଲୋଚନା ହେଉଥିଲା। କିନ୍ତୁ ସେ କଂଗ୍ରେସରେ ଯୋଗ ଦେଇଥିଲେ।
25 ବର୍ଷ ପୂର୍ବରେ କ୍ରିକେଟ କ୍ୟାରିଅରରେ ନିଜ କ୍ୟାପଟେନଙ୍କ ସିଦ୍ଧୁଙ୍କ ବିବାଦ ହୋଇଥିଲା। ଆଜି ରାଜନୈତିକ କ୍ୟାରିଅରରେ ମଧ୍ଯ ସିଦ୍ଧୁ ନିଜ କ୍ୟାପଟେନଙ୍କ ସହ ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହ ବିବାଦ ଦେଖା ଦେଇଥିଲା। ତେବେ ଆଉ ଗୋଟିଏ କଥା ମଧ୍ୟ ସମନତା ଦେଖା ଦେଇଛି। ସେହି ସମୟରେ ମଧ୍ୟ ସିଦ୍ଧୁ ପ୍ରତ୍ୟାବର୍ତ୍ତନ କରି ଶତକ ହାସଲ କରିଥିଲେ। ବର୍ତ୍ତମାନ ମଧ୍ୟ ସେ ପୁନଃ ବିଜୟ ହୋଇ କଂଗ୍ରେସର ସଭାପତି ମୁକୁଟ ପିନ୍ଧିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଏହି ଇନିଂଶରେ ସିଦ୍ଧୁଙ୍କ କିଛି ବିବାଦ ଦେଖାଦେବ ନା ନାହିଁ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ