ଥିରୁଅନନ୍ତପୁରମ: ଲଣ୍ଡା ହୋଇଛନ୍ତି କେରଳ ମହିଳା କଂଗ୍ରେସ ଅଧ୍ୟକ୍ଷା ଲତିଫା ସୁଭାଷ । ତେବେ କୌଣସି ମାନସିକ କି କ୍ରିୟାକର୍ମ ପାଇଁ ନୁହେଁ ବରଂ ବିଧାନସଭା ନିର୍ବାଚନରେ ଟିକେଟ ନମିଳିବାରୁ ଲଣ୍ଡା ହୋଇପଡିଛନ୍ତି କେରଳ ମହିଳା କଂଗ୍ରେସ ଅଧ୍ୟକ୍ଷା ।
ଥିରୁଅନନ୍ତପୁରମ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ସାମ୍ନାରେ ଲଣ୍ଡା ହୋଇଛନ୍ତି ଲତିଫା । କେବଳ ଏତିକି ନୁହେଁ ସେ ନିଜ ପଦରୁ ଇସ୍ତଫା ଦେବା ନେଇ ମଧ୍ୟ କରିଛନ୍ତି ଘୋଷଣା ।
ଲତିଫା ସୁଭାଷ ଇତ୍ତୁମନୁର ଆସନରୁ ଚାହୁଁଥିଲେ ଟିକେଟ । 2018ରେ ସୁଭାଷଙ୍କୁ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା । ଏହି ସମୟରେ ରାହୁଲ ଗାନ୍ଧୀ ଥିଲେ ଦଳର ଅଧ୍ୟକ୍ଷ । ଲତିଫା ଅଭିଯୋଗ ଆଣିଛନ୍ତି ଯେ ମହିଳା କଂଗ୍ରେସ ନେତ୍ରୀଙ୍କୁ ଅଣଦେଖା କରାଯାଇଛି ।
ସେପଟେ କେରଳ ବିଧାନସଭା ନିର୍ବାଚନ ପାଇଁ 86 ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ମୁଲ୍ଲାପଲ୍ଲୀ ରାମଚନ୍ଦ୍ରନ । ନିର୍ବାଚନ ପାଇଁ କେରଳ ଛାତ୍ର ସଂସଦ ସଭାପତି କେଏମ ଅଭିଜିତଙ୍କୁ ଟିକେଟ ଦେଇଛି ଦଳ । ସେହିପରି ଭିଟି ବଳରାମଙ୍କୁ ଥିରିଥଲା, ଶଫୀ ପରମବିଲଙ୍କୁ ପଲକ୍କଡ ଓ ଅନିସ ଅକ୍କାରାଙ୍କୁ ୱାଡକ୍କନଚେରୀରୁ ମିଳିଛି ଟିକେଟ ।