ବେଙ୍ଗାଲୁରୁ: ଆଜିକାଲି ଘରେଘରେ ପୋଷା କୁକୁର ଦେଖିବାକୁ ମିଳିଥାଏ । ମାର୍କେଟରେ ବିଭିନ୍ନ ଦାମର କୁକୁର ମିଳୁଛି । କୁକୁର ଏକ ବିଶ୍ବସ୍ଥ ପ୍ରାଣୀ ହୋଇଥିବାରୁ ଅନେକ ଲୋକ ହଜାର ହଜାର ଟଙ୍କା ଦେଇ କୁକର ପାଳିଥାନ୍ତି । ଅନେକ ଲୋକଙ୍କର କୁକୁର ପାଳିବାରେ ବହୁତ ସଉକ୍ ରହିଥାଏ। ଜଣେ ମନୁଷ୍ୟ ଭଳି ତାର ଯତ୍ନ ନେଇଥାନ୍ତି । କିଛି କୁକୁରଙ୍କ ମୂଲ୍ୟ ହଜାର ହଜାର ଟଙ୍କା ହୋଇଥିବାବେଳେ, କିଛିଙ୍କ ମୂଲ୍ୟ ଲକ୍ଷ ପର୍ଯ୍ୟନ୍ତ ମଧ୍ୟ ହୋଇଥାଏ । ଆଜି ଆପଣଙ୍କୁ ଏପରି ଏକ ପୋଷା କୁକୁର ମୂଲ୍ୟ କହିବୁ ଯାହାର ମୂଲ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ରବିବାର କର୍ଣ୍ଣାଟକର ଗାନ୍ଧୀ ପାର୍କରେ ରାୟତା ଦଶହରା ଅବସରରେ କୁକୁର ଶୋ କରାଯାଇଥିଲା(Dog Show in Shivamogga)। ଆୟୋଜିତ ଏହି କାର୍ଯ୍ୟକ୍ରମରେ ତିବ୍ଦତୀୟ ମାଷ୍ଟିଫ୍ କୁକୁର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି କୁକୁରର ମାଲିକଙ୍କ ନାମ ସତୀଶ ହୋଇଥିବାବେଳେ, ମାଷ୍ଟିଫ୍ କୁକୁରର ନାମ ଭୀମା । ଭୀମାକୁ ଦେଖିବା ପାଇଁ ବହୁତ ଲୋକଙ୍କ ସମାଗମ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: International Dog Day: ପଶୁ ହେଲେ ବି ଉପକାର ଭୁଲେନି
ତେବେ ତିବ୍ଦତୀୟ ମାଷ୍ଟିଫ୍ କୁକୁର ଭୀମାକୁ ପୋଷଣଯୁକ୍ତ ଖାଦ୍ୟ ଦିଆଯାଉଥିବାବେଳେ, ଏସି ରୁମରେ ରଖାଯାଉଛି । ଭୀମାର ରକ୍ଷଣାହେକ୍ଷଣା କରିବା ପାଇଁ ମାଲିକ ସତୀଶ ମାସକୁ 25 ହଜାର ଟଙ୍କା ଖର୍ଚ୍ଚ କରିଥାନ୍ତି । ତେବେ ସବୁଠାରୁ ବିଶେଷ କଥା ହେଉଛି ଏହି 10 କୋଟିର କୁକୁରକୁ ଦେଖିବା ସହ ସେଲଫି ନେବା ପାଇଁ ଏହି ଶୋ'ରେ 100ରୁ ଅଧିକ ଲୋକ ଭାଗ ନେଇଥିଲେ ।
ଏନେଇ କୁକୁମ ମାଲିକ ସତିଶ କହିଛନ୍ତି ଯେ, "ମୁଁ ଭୀମାକୁ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମକୁ ଆଣିଥିଲି । ଏହା ତିବ୍ଦତୀୟ ମାଷ୍ଟିଫ୍ କୁକୁର ହୋଇଥିବା ବେଳେ ଏହାର ଦାମ 10 କୋଟି ଟଙ୍କା । ମୁଁ ଏହି କୁକୁରକୁ ଅଢେଇ ବର୍ଷ ପୂର୍ବେ ଚାଇନାର ବେଜିଂରୁ ଆଣିଥିଲି । ମୁଁ ଭୀମାକୁ ଚିକେନ ଲେଗପିସ ସହ ରୟାଲ୍ କାନନ୍ ଖାଇବାକୁ ଦେଇଥାଏ । ଭୀମାର ଓଜନ 100 କେଜି ହୋଇଥିବାବେଳେ, ସେ 1 କିଲୋମିଟର ପର୍ଯ୍ୟନ୍ତ ଚାଲିଥାଏ । ଏହାସହ ଭୀମାକୁ ପ୍ରତ୍ୟେକ ସମୟରେ ଏସିର ଆବଶ୍ୟକତା ପଡିଥାଏ । ପ୍ରତିଦିନ ଖାଦ୍ୟ ସହ କଞ୍ଚା ମାଂସ ରହିଥାଏ । ଭୀମା ପାଇଁ ମାସିକ 25 ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ ।"