ନୂଆଦିଲ୍ଲୀ: ବ୍ଲାକ ଫଙ୍ଗସ ଔଷଧର ଅଭାବ ଏବଂ ରୋଗୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ଶୁଣାଣି ବେଳେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତି ଯେ, ‘ଆମେ ଏବେ ଏହି ନର୍କରେ ବାସ କରୁଛୁ । ଏହା ଏପରି ଏକ ପରିସ୍ଥିତି, ଯେଉଁଠାରେ ଆମେ ସାହାଯ୍ୟ କରିବାକୁ ଚାହୁଁଛୁ, କିନ୍ତୁ ଆମେ ଅସହାୟ '। ଔଷଧ କ୍ରୟ ତଥା ଏହାର ଅଭାବକୁ ଦୂର କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ କେନ୍ଦ୍ର ଏକ ରିପୋର୍ଟ ଦାଖଲ କରିଛି ।
ଏପଟେ ଔଷଧ ଆମଦାନୀର ସ୍ଥିତି ଏବଂ କେତେବେଳେ ସାମଗ୍ରୀ ଆସିବାର ସମ୍ଭାବନା ରହିଛି, ସେ ସମ୍ପର୍କରେ ଅଧିକ ବିବରଣୀ ଉପସ୍ଥାପନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲାକ ଫଙ୍ଗସରେ ସଂକ୍ରମିତ ଦୁଇ ରୋଗୀଙ୍କ ପାଇଁ ଔଷଧ ଯୋଗାଇବା ପାଇଁ ନିର୍ଦ୍ଦେଶ ମାଗିଥିବା ଦୁଇଟି ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ପରିସ୍ଥିତି ଉପରେ କ୍ଷମତା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ, ଅନ୍ୟମାନଙ୍କୁ ଛାଡ଼ି ଏକ ନିର୍ଦ୍ଦିଷ୍ଟ ରୋଗୀଙ୍କ ଚିକିତ୍ସା କରିବା ପାଇଁ କୋର୍ଟ କୌଣସି ଆଦେଶ ଦେଇପାରିବେ ନାହିଁ । କିନ୍ତୁ ଏଥିରେ ଓକିଲ ରାକେଶ ମଲ୍ହୋତ୍ରା ବ୍ଲାକ ଫଙ୍ଗସର ଚିକିତ୍ସା ପାଇଁ ଔଷଧର ଅଭାବ ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ଏହି ସଂକ୍ରମଣରେ ପୀଡିତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ତେବେ ଜଷ୍ଟିସ୍ ଭିପିନ୍ ସାଙ୍ଗି ଏବଂ ଜଷ୍ଟିସ୍ ଜସ୍ମିତ ସିଂଙ୍କ ଏକ ବେଞ୍ଚ କହିଛନ୍ତି ଯେ, କେନ୍ଦ୍ର ସରକାର ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି ଏବଂ ଆମଦାନୀ ପରିସ୍ଥିତି ବିଷୟରେ ଆମକୁ ଅବଗତ କରାଇଛନ୍ତି । ସୋମବାର ଏହା ଉପରେ ବିଚାର କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ