ନୂଆଦିଲ୍ଲୀ: ମାର୍ଚ୍ଚ 16ରୁ ଦେଶରେ ଆରମ୍ଭ ହୋଇଛି 12ରୁ 14 ବର୍ଷୀୟ କିଶୋରଙ୍କ ପାଇଁ ଟୀକାକରଣ । ବର୍ତ୍ତମାନ ସୁଦ୍ଧା ଭାରତର 60 ପ୍ରତିଶତରୁରୁ ଅଧିକ କିଶୋର କୋରୋନା ଟିକାର ପ୍ରଥମ ଡୋଜ ନେଇ ସାରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ କରି ସୂଚନା ପ୍ରଦାନ କରିବା ସହ କୋରୋନା ଟିକାର ପ୍ରଥମ ଡୋଜ ନେଇଥିବା କିଶୋରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆମେ ସମସ୍ତେ ଆପଣଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
ବର୍ତ୍ତମାନ ସୁଦ୍ଧା 2.86 କୋଟି 12ରୁ 14 ବର୍ଷୀୟ କିଶୋର ପ୍ରଥମ ଡୋଜ ନେଇଛନ୍ତି । ସଦ୍ୟତମ ଭାବେ ବ୍ୟବହାରିକ ଅନୁମତି ପାଇଥିବା ଭାରତୀୟ ସଂସ୍ଥା ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ ଟିକା କୋର୍ବେଭ୍ୟାକ୍ସକୁ ଏହି ଡ୍ରାଇଭରେ ବ୍ୟବହାର ହୋଇଛି । ଦେଶରେ ଏବେ ଟୀକାକରଣ ୧୮୮.୮୯ କୋଟି ଅତିକ୍ରମ କରିଛି । ଯାହା ଖୁବଶୀଘ୍ର 200କୋଟି ପୂରଣ ଲକ୍ଷ୍ୟରେ ରହିଛି ।
ଗତବର୍ଷ ଜାନୁଆରୀ 16 ରେ ଦେଶବ୍ୟାପୀ କୋଭିଡ ଟୀକାକରଣ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶୁଭାରମ୍ଭ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ (HCWs) ଓ ଫେବୃଆରୀ 2 ତାରିଖରେ ସମ୍ମୁଖ ଯୋଦ୍ଧା (FLWs)ଙ୍କୁ ଟିକା ପ୍ରଦାନ କରାଯାଇଥିଲା । ସେହିପରି ବୟସ୍କ ତଥା 45 ବର୍ଷରୁ ଊର୍ଦ୍ଧ୍ବ ବହୁବିଧ ରୋଗରେ ପୀଡିତଙ୍କୁ ମାର୍ଚ୍ଚ ପହିଲାରୁ ଟୀକାକରଣ ଡ୍ରାଇଭରେ ସାମିଲ କରାଯାଇଥିଲା । ଏପ୍ରିଲ ପହିଲାରୁ ସମସ୍ତ 45 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟୀକାକରଣରେ ସାମିଲ କରାଯାଇଥିଲା । ମେ’ ପହିଲାରୁ ଦେଶବ୍ୟାପୀ 18 ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ଟୀକାକରଣରେ ସାମିଲ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ କେନ୍ଦ୍ର ସରକାର ।