ପୁଣି ସେଇ ମୂଳ ପ୍ରସଙ୍ଗକୁ ପ୍ରତ୍ୟାବର୍ତ୍ତନ ! ଅନ୍ୟାନ୍ୟ ପ୍ରସଙ୍ଗ ସହିତ ନାଗରିକତା ସଂଶୋଧନ ଆଇନ ଉପରେ ଦଳୀୟ ଆଭିମୁଖ୍ୟ ପରିବର୍ତ୍ତନ ଏବଂ ପୃଥକ ତାମିଲ ଇଲମ୍ ଗଠନ ସକାଶେ ତାମିଲନାଡୁରେ କ୍ଷମତାସୀନ ଏଆଇଏଡିଏମ୍କେର ନିଷ୍ପତ୍ତି ଯୋଗୁଁ ଦଳ ଏହାର ମୂଳ ନୀତିରୁ ସ୍ବେଚ୍ଛାକୃତ ଭାବେ ଦୂରେଇ ଯାଇଥିବା ମନେ ହେଉଛି । ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ରୂପେ ବିବେଚିତ ଉଭୟ ଦଳ ନିଜ ନିଜର ପ୍ରାରମ୍ଭିକ ବକ୍ତବ୍ୟରେ ପେରିୟାର ଓ ଆନ୍ନାଙ୍କ ଆନ୍ଦୋଳନ କିପରି ଆରମ୍ଭ ହୋଇଥିଲା ଏବଂ କେଉଁ ସବୁ ପରିସ୍ଥିତିରେ ଆଗକୁ ବଢ଼ିଥିଲା, ସେ ସଂପର୍କରେ ଉଲ୍ଲେଖ କରିବା ସହିତ ତାମିଲ ରାଷ୍ଟ୍ରବାଦର ଭାବଧାରା ସୃଷ୍ଟି ଦିଗରେ ଉଦ୍ୟମ କରିଛନ୍ତି । ଅଥଚ ଉଭୟଙ୍କ ସ୍ବର ଓ ଭାବରେ ପରିବର୍ତ୍ତନର ଛାପ ବେଶ୍ ବାରି ହେଉଛି ।
କିଛି ଦିନ ତଳେ, ଏକ ଗଣମାଧ୍ୟମ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମ୍କେ ଦଳର ଯୁଗ୍ମ- ସଂଯୋଜକ ଏଡ଼ାପାଡ୍ଡି କେ. ପାଲାନିସ୍ବାମୀ କହିଥିଲେ ଯେ, ବିଜେପି ସହ ତାଙ୍କ ଦଳର ମେଣ୍ଟ କେବଳ ନିର୍ବାଚନରେ ସୀମିତ ଏବଂ ଏହା ବିଚାରଧାରା ସଂପର୍କିତ ନୁହେଁ । ସଂସଦରେ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଭୋଟ ଦେଇଥିବା ଏଆଇଏଡିଏମ୍କେ ଏବେ ନିଜ ଆଭିମୁଖ୍ୟରେ ସଂଶୋଧନ କରିବାକୁ ଯାଇ ଏହାକୁ ଲାଗୁ କରିବା ସମ୍ଭାବନାରୁ ଦୂରେଇ ଯାଇଛି ଏବଂ ଏହାକୁ ରଦ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବ ବୋଲି କହିଛି । ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର କରିବା ଦିଗରେ କେନ୍ଦ୍ର ସରକାରଙ୍କୁ ପ୍ରେରିତ କରିବା କଥାରେ ବିଜେପି ନିଶ୍ଚିତ କ୍ଷୁବ୍ଧ ହେବ । ଅନ୍ୟପକ୍ଷରେ ଡିଏମ୍କେ ପ୍ରତିଶ୍ରୁତି ଦେଇଛି ଯେ, ଶ୍ରୀଲଙ୍କାରୁ ଆସି ଏବେ ଏଠାକାର ବିଭିନ୍ନ ଶରଣାର୍ଥୀ ଶିବିରରେ ରହୁଥିବା ତାମିଲମାନଙ୍କ ପାଇଁ ଉକ୍ତ ଆଇନରେ ରହିଥିବା ଦେଶଗୁଡ଼ିକର ତାଲିକାରେ ସଂଶୋଧନ କରିବ ।
ଶ୍ରୀଲଙ୍କାର ତାମିଲ ରାଜୀବ ଗାନ୍ଧି ହତ୍ୟା ମାମଲାର ଦୋଷୀମାନଙ୍କୁ ମୁକ୍ତ କରିବାର କାରଣ ପ୍ରକାଶ, ସ୍ବତନ୍ତ୍ର ତାମିଲ ଇଲମ ଗଠନ, ଏବଂ ଅନ୍ତର୍ଜାତୀୟ ଆପରାଧିକ ଅଦାଲତ ବା ଅନ୍ତର୍ଜାତୀୟ ନିରପେକ୍ଷ ସ୍ବାଧୀନ ବ୍ୟବସ୍ଥା ଜରିଆରେ ଶ୍ରୀଲଙ୍କା ଦ୍ବୀପରାଷ୍ଟ୍ରରେ ତାମିଲମାନଙ୍କ ଗଣହତ୍ୟା ମାମଲାରେ ନ୍ୟାୟ ପ୍ରଦାନ ପାଇଁ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ଏଆଇଏଡିଏମ୍କେ ପୁଣି ଦୋହରାଇଛି । ଅପରପକ୍ଷରେ ଡିଏମ୍କେ, ଶ୍ରୀଲଙ୍କାର ତାମିଲ ବହୁଳ ଅଞ୍ଚଳର ପ୍ରାଦେଶିକ ସରକାରକୁ ପୂର୍ଣ୍ଣ କ୍ଷମତା ପ୍ରଦାନ ଲାଗି ପ୍ରଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦେଇଛି । ଭାରତରେ ବସବାସ କରିବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କର ଭାରତୀୟ ନାଗରିକତା ଏବଂ ଭାରତର ସ୍ଥାୟୀ ବାସିନ୍ଦା ମାନ୍ୟତା ପ୍ରସଙ୍ଗରେ ଉଭୟ ଦଳ ଏକା ପ୍ରକାରର ପ୍ରତିଶ୍ରୁତି ଦେଇଛନ୍ତି ।
ଲଙ୍କାରେ ରହୁଥିବା ତାମିଲ ପ୍ରସଙ୍ଗ ନିର୍ବାଚନ କ୍ଷେତ୍ରରେ ଅପ୍ରାସଙ୍ଗିକ ବୋଲି କହି ଭାରତର କେତେକ ମାର୍କସବାଦୀ ଏହାକୁ ଖାରଜ କରିଦେଉଥିଲେ ହେଁ ଦୁଇ ପ୍ରମୁଖ ଦ୍ରାବିଡ଼ ଦଳର ରାଜନୈତିକ ବିଚାରଧାରାର ମୂଳରେ ଏହା ସର୍ବଦା ସ୍ଥା ପାଇଆସିଛି । ଏଥର ନିର୍ବାଚନରେ ମଧ୍ୟ ଏଥିରେ ବ୍ୟତିକ୍ରମ ହୋଇନାହିଁ ଏବଂ ଉଭୟ ଦଳ ସେମାନଙ୍କ ନିର୍ବାଚନୀ ପ୍ରତିଶ୍ରୁତିରେ ସେଇ ସମାନ ପ୍ରସଙ୍ଗକୁ ସ୍ଥାନ ଦେଇଛନ୍ତି । ତାମିଲ ରାଷ୍ଟ୍ରବାଦ ତାମିଲକୁ ଜାତୀୟ ଭାଷାର ମାନ୍ୟତା ପ୍ରଦାନ କରିବାକୁ ଉଭୟ ଦଳ ଇଚ୍ଛାପ୍ରକାଶ କରିଆସୁଥିବା ବେଳେ ଡିଏମ୍କେ ପ୍ରତିଶ୍ରୁତି ଦେଇଛି ଯେ, ତାମିଲନାଡୁର ସରକାରୀ ନିଯୁକ୍ତି କ୍ଷେତ୍ରରେ ତାମିଲମାନଙ୍କ ପାଇଁ 100 ପ୍ରତିଶତ ସଂରକ୍ଷଣ ଏବଂ ବେସରକାରୀ ଚାକିରି କ୍ଷେତ୍ରରେ ତାମିଲମାନଙ୍କ ପାଇଁ 75 ପ୍ରତିଶତ ସଂରକ୍ଷଣ ସୁବିଧା ଦେବାକୁ ଦଳ ଆଇନ ପ୍ରଣୟନ କରିବ ।
ରାଜ୍ୟରେ ତାମିଲ ରାଷ୍ଟ୍ରବାଦୀ ଆନ୍ଦୋଳନ ଚଳାଇଥିବା ବିଭିନ୍ନ ସଂଗଠନ ଦୀର୍ଘ ଦିନ ହେଲା ଏହି ଦାବି କରିଆସୁଛନ୍ତି । ମାଡ୍ରାସ ହାଇକୋର୍ଟକୁ ତାମିଲନାଡୁ ହାଇକୋର୍ଟ ରୂପେ ନାମିତ କରିବା ଏବଂ ଚେନ୍ନାଇରେ ସୁପ୍ରିମକୋର୍ଟ ବେଞ୍ଚ ସ୍ଥାପନ କରିବା ସହିତ ହାଇକୋର୍ଟରେ ତାମିଲ ଭାଷାକୁ ଆନୁଷ୍ଠାନିକ ଭାଷାରେ ପରିଣତ କରିବାକୁ ଏଆଇଏଡିଏମ୍କେର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଛି । କେନ୍ଦ୍ରୀୟ ଲୋକସେବା ଆୟୋଗ ବା ୟୁପିଏସ୍ସି ଦ୍ବାରା ବିଜ୍ଞାପିତ ରାଜ୍ୟସ୍ତରୀୟ ପଦପଦବୀରେ ନିଯୁକ୍ତି ପାଇଁ କେନ୍ଦ୍ରୀୟ ବଦଳରେ ରାଜ୍ୟ ସ୍ତରରେ ପରୀକ୍ଷାର ଆୟୋଜନ କରିବା ଏବଂ ଅନ୍ୟ ଧର୍ମ ଗ୍ରହଣ କରିଥିବା ଅଧିସୂଚିତ ଜାତି/ଜନଜାତି ପାଇଁ ସଂରକ୍ଷଣ ସୁବିଧା ଦେବାକୁ ଏଆଇଏଡିଏମ୍କେ ପ୍ରତିଶ୍ରୁତି ପ୍ରଦାନ କରିଛି ।
ପରବର୍ତ୍ତୀ ସରକାର ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ ଉଭୟ ଦଳର ନିର୍ବାଚନୀ ଇସ୍ତାହାରରେ ରହିଥିବା ତାମିଲ ରାଷ୍ଟ୍ରବାଦର ଧାରାକୁ ଅନିଚ୍ଛାକୃତ ଭାବରେ ଏଡ଼ାଇ ଯିବା ସହଜ ନୁହେଁ । କଂଗ୍ରେସର ମୂଳୋତ୍ପାଟନ ପରେ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ହେଲା ଦୁଇ ପ୍ରମୁଖ ଦ୍ରାବିଡ଼ ଦଳ ରାଜ୍ୟର ଶାସନ କ୍ଷମତାରେ ରହିଆସିଛନ୍ତି ଏବଂ ଜଷ୍ଟିସ୍ ପାର୍ଟି ଏବଂ ଦ୍ରାବିଡାର କାଝାଗାମର ତୁଙ୍ଗ ପ୍ରତିଷ୍ଠାତା ନେତାମାନଙ୍କ ଦ୍ବାରା ଆରମ୍ଭ ହୋଇଥିବା ଆନ୍ଦୋଳନ ସହିତ ନିଜ ନିଜକୁ ଯୋଡ଼ି ଉପସ୍ଥାପନ କରିଆସିଛନ୍ତି । ତାତ୍ତ୍ବିକ ଏବଂ ବିଚାରଧାରା ଦୃଷ୍ଟିକୋଣରୁ ଦେଖିଲେ ସଂଖ୍ୟାଲଘୁ ସଂପ୍ରଦାୟର ବିଭିନ୍ନ ସମସ୍ୟା ଏବଂ ସାମାଜିକ ନ୍ୟାୟର ମୂଳନୀତି ସଂପର୍କରେ ଉଭୟ ଦଳ ନିଜ ନିଜର ଘୋଷଣାପତ୍ରରେ ବିଲକୁଲ ସମାନ କଥା ଉଲ୍ଲେଖ କରିଛନ୍ତି ଏବଂ ଏହା ଏକ ଐତିହାସିକ ବାଧ୍ୟବାଧକତା ଭଳି ମନେହୁଏ । ତାମିଲନାଡୁରେ ଯେଉଁ ଦଳ ବିଜୟ ଲାଭ କରୁନା କାହିଁକି, ଉପରୋକ୍ତ ଆଲୋଚିତ କାର୍ଯ୍ୟସୂଚୀର କାର୍ଯ୍ୟକାରିତାକୁ ମୂଳନୀତି ରୂପେ ଗ୍ରହଣ କରିବା ହିଁ ସେମାନଙ୍କ ପାଇଁ ପ୍ରାଥମିକତା ବହନ କରିବ । ଏଥିରେ ବିଫଳ ହେଲେ, ଏହା ସେମାନଙ୍କର ଆଗାମୀ ନିର୍ବାଚନୀ ପ୍ରଦର୍ଶନରେ ପ୍ରତିଫଳିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଆର. ପ୍ରିନ୍ସ ଜେବାକୁମାର