ନୂଆଦିଲ୍ଲୀ: ଦିଲ୍ଲୀରେ ସମ୍ପ୍ରତି ଦେଖାଦେଇଥିବା କୋରୋନା ସଂକ୍ରମଣର ଦ୍ବିତୀୟ ଲହର ସାଂଘାତିକ ସ୍ଥିତି ଭିତରେ ଗତି କରୁଥିବାବେଳେ ସାମ୍ନାକୁ ଆସିଛି ଭ୍ୟାକସିନ ସଙ୍କଟ ଖବର। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟୀକା ଉପଲବ୍ଧତା ନେଇ ଚିନ୍ତାପ୍ରକଟ କରିଛନ୍ତି ।
ଏହାସହ ସେ କହିଛନ୍ତି ଯେ, ଆମେ ସମସ୍ତଙ୍କୁ ସାଥିରେ ନେଇ ଚାଲିବୁ। ଏମିତି ସ୍ଥିତିରେ ଦିଲ୍ଲୀବାସୀଙ୍କ ଜୀବନ ବଞ୍ଚାଇବା ପାଇଁ ଯଦି, ମୋତେ କାହା ସାମ୍ନାରେ ହାତ ଯୋଡିବାକୁ ପଡିବ, ଆଣ୍ଠୁମାଡି ପଡ଼ିବ ତ ଆମେ ଆଣ୍ଠୁମାଡି ବି ବସିବୁ । ଏପରିକି ଯଦି କେଉଁଠି ଭ୍ୟାକସିନ ପାଇଁ ଭିକ ମାଗିବାକୁ ପଡିବ, ତେବେ ଦିଲ୍ଲୀବାସୀଙ୍କ ପାଇଁ ମୁଁ ଖୋଜ ଯାଇ ଭ୍ୟାକସିନ ମାଗିକି ଆଣିବି ବୋଲି ମୁଖ୍ୟମନ୍ତ୍ର କେଜିରୱାଲ କହିଛନ୍ତି ।
କୋରୋନା ଟିକା ଉପଲବ୍ଧତା ନେଇ ରାଜ୍ୟମାନଙ୍କ ସହ ଭେଦଭାବ ସମ୍ପର୍କରେ କେଜ୍ରିୱାଲ କହିଛନ୍ତି ଯେ, କେନ୍ଦ୍ର ସରକାର ଏହି ନିୟମକୁ କଡାକଡି କରିଛନ୍ତି। ଯଦି ଭ୍ୟାକସିନ ସୀମିତ ଉତ୍ପାଦନ ହେଉଛି, ତେବେ କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣ କରିବା ଉଚିତ୍। ଯାହାଦ୍ବାରା ସମସ୍ତ ପ୍ରଦେଶ ମାନଙ୍କରେ ସମାନ ଭାବେ ବଣ୍ଟନ କରାଯାଇପାରିବ ।
ଟୀକାକରଣ ସମ୍ପର୍କରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ରାଜ୍ୟରେ ନିର୍ବାଚନ ଦ୍ବାରା ନିଜ ସରକାର ବାଛିଛନ୍ତି । ସେମାନଙ୍କର ନିଜସ୍ବ ବିଶେଷଜ୍ଞ, ଡାକ୍ତର, ବରିଷ୍ଠ ଅଧିକାରୀ ଓ ନିର୍ବାଚିତ ବ୍ୟକ୍ତିମାନେ ଅଛନ୍ତି । ତେଣୁ ରାଜ୍ୟ ସରକାର ସିଧାସଳଖ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ। ତେଣୁ ରାଜ୍ୟ ସରକାରଙ୍କୁ ଟୀକାକରଣ ନେଇ ପୂର୍ଣ୍ଣ ସ୍ବାଧୀନତା ଦିଆଯିବା ଉଚିତ୍। ଯାହାଦ୍ବାରା ଟୀକାକରଣକୁ ସଫଳ କରାଯାଇ ପାରିବ ।