ହାଇଦ୍ରାବାଦ: ନୂଆବର୍ଷ ସେଲିବ୍ରେସନର ଅର୍ଥ ନାଚ, ଗୀତ ଓ ସୁସ୍ବାଦୁ ଭୋଜନ । ଏ ସବୁ ବିନା ସେଲିବ୍ରେସନ ସତେ ଯେପରି ଅଧୁରା । ଚଳିତବର୍ଷ ନୂଆବର୍ଷ ସେଲିବ୍ରେସନରେ ସମସ୍ତ ଖାଦ୍ୟ ମଧ୍ୟରେ ସବୁଠୁ ଅଧିକ ଚାହିଦା ରହିଥିଲା ହାଇଦ୍ରାବାଦି ବିରିୟାନୀର । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ, ସନ୍ଧ୍ୟା ୭.୨୦ଟା ସୁଦ୍ଧା ଦେଶରେ ପ୍ରାୟ ୧.୬୫ ଲକ୍ଷ ପ୍ଲେଟ୍ ବିରିୟାନୀ ବିକ୍ରି ହୋଇଥିବା ବେଳେ ହାଇଦ୍ରାବାଦର ଲୋକପ୍ରିୟ ବିରିୟାନୀ ରେସ୍ତୋରାଁରେ ବାର୍ବଚୀ(Bawarchi)ରୁ ପ୍ରତି ମିନିଟରେ ୨ଟି ବିରିୟାନୀ ବିକ୍ରି ହେଇଥିବା ନେଇ ସୂଚନା ମିଳିଛି ।
ବିରିୟାନୀ ଓ ପିଜାର ଅଧିକ ଚାହିଦା:-
ଅନଲାଇନ ଖାଦ୍ୟ ଡେଲିଭରୀ କମ୍ପାନୀ ସ୍ବିଗି (Swiggy)ର ଏକ ରିପୋର୍ଟ ଅନୁସାରେ ୨୦୨୨ ଡିସେମ୍ବର ୩୧ ତାରିଖରେ ସାରା ଦେଶରେ ମୋଟ ୩.୦୫ ଲକ୍ଷ ବିରିୟାନୀ ଓ ୨.୫ ଲକ୍ଷ ପିଜା(Pizza) ବିକ୍ରି ହୋଇଛି । ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ଯେ ଅଧିକାଂଶ ଖାଦ୍ୟପ୍ରେମୀ ବିରିୟାନୀକୁ ପ୍ରଥମ ପସନ୍ଦ ଭାବେ ରଖିଥାନ୍ତି । ଯାହାର ପ୍ରମାଣ ଦେଇଛି ନୂଆବର୍ଷର ସନ୍ଧ୍ୟା । ସ୍ବିଗିର ସୂଚନା ଅନୁସାରେ ଗ୍ରାହକ ୭୫.୪% ହାଇଦ୍ରାବାଦୀ ବିରିୟାନୀ ଅର୍ଡର କରିଥିବା ବେଳେ ଲକ୍ଷ୍ନୌ ୧୪.୨% ଓ କୋଲକାତା ବିରିୟାନୀ ୧୦.୪% ପ୍ରତିଶତ ଅର୍ଡର କରିଛନ୍ତି ।
ଏହା ବି ପଢନ୍ତୁ- ନୂଆବର୍ଷରେ ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କଲେ ସ୍ଥଳସେନା ମୁଖ୍ୟ, ଯବାନଙ୍କୁ ଜଣାଇଲେ ଶୁଭେଚ୍ଛା
Bawarchiରେ ପ୍ରତି ମିନିଟରେ ୨ ବିରିୟାନୀ ବିକ୍ରି
ସ୍ବିଗି(Swiggy)ର ସୂଚନା ଅନୁସାରେ ଶନିବାର ସନ୍ଧ୍ୟା ୭.୨୦ଟା ସୁଦ୍ଧା ଦେଶରେ ୧.୬୫ ଲକ୍ଷ ବିରିୟାନୀ ବିକ୍ରି ହୋଇଛି । ସମସ୍ତ ରେସ୍ତୋରାଁ ମଧ୍ୟରେ ଗ୍ରାହକଙ୍କ ପ୍ରଥମ ପସନ୍ଦ ରହିଥିଲା ବାବର୍ଚୀ ରେସ୍ତୋରାଁ (Bawarchi Restaurant) । ବାର୍ବଚୀର ରେସ୍ତୋରାଁରୁ ପୂର୍ବବର୍ଷ ପରି ୨୦୨୨ରେ ମଧ୍ୟ ୨ ବିରିୟାନୀ ବିକ୍ରି ହୋଇଥିଲା । ପୂର୍ବବର୍ଷର ଡିମାଣ୍ଡକୁ ନଜରରେ ରଖି ଚଳିତ ବର୍ଷ ରେସ୍ତୋରାଁରେ ୧୫ ଟନ୍ ବିରିୟାନୀ ପ୍ରସ୍ତୁତ ହୋଇଥିଲା । ଏ ନେଇ ସ୍ବିଗି ଏକ ଟ୍ବିଟ କରି କହିଛି, "ନୂଆବର୍ଷ ସନ୍ଧ୍ୟାରେ ଡୋମିନୋଜ ଇଣ୍ଡିଆ ପ୍ରାୟ ୬୧ ହଜାର ୨୮୭ଟି ପିଜା ବିକ୍ରି କରିଥିବା ବେଳେ ଥରେ ଚିନ୍ତା କରନ୍ତୁ ଏଥିରେ କେତୋଟି ଅରିଗାନୋ ପ୍ୟାକେଟ ବ୍ୟବହୃତ ହୋଇଥିବ ।"
ସ୍ବିଗି ଇନଷ୍ଟାମାର୍ଟରୁ ୨୦୦୦ରୁ ଊର୍ଦ୍ଧ୍ବ କଣ୍ଡୋମ ବିକ୍ରି
ସ୍ବିଗିର ଇନଷ୍ଟାମାର୍ଟ ରିପୋର୍ଟ ଅନୁସାରେ ଏଠାରୁ ନୂଆବର୍ଷ ସନ୍ଧ୍ୟାରେ ପ୍ରାୟ ୨୫୭୫ ପ୍ୟାକେଟ କଣ୍ଡୋମ ବିକ୍ରି ହୋଇଛି । ସ୍ବିଗିର ଇନଷ୍ଟାମାର୍ଟ ଗ୍ରସୋରୀ ସାମଗ୍ରୀ ଡେଲିଭରି କରିଥାଏ । ଏ ନେଇ ସ୍ବିଗି CEO ଶ୍ରୀହର୍ଷ ମାଜେଟି ଟ୍ବିଟ କରି ଲେଖିଥିଲେ ଯେ ଶେଷ ମୁହୂର୍ତ୍ତରେ ଶୀଘ୍ର ଅର୍ଡର କରିବାକୁ ଏଡ଼ାଇବା ଲାଗି ତୁରନ୍ତ ଅର୍ଡର କରନ୍ତୁ ।