ବେଙ୍ଗାଲୁରୁ: କର୍ଣ୍ଣାଟକ ମାଙ୍ଗାଲୋରର ରାଇଚୁରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଯେଉଁଠି ଲିଭିଯାଇଛି ଗୋଟିଏ ପରିବାରର ଜୀବନ ଦୀପ । ସ୍ବାମୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ଶୁଣିବା ପରେ ଆତ୍ମହରା ହୋଇ ମହିଳା ଘଟାଇଛନ୍ତି ଅମାନବୀୟ କାଣ୍ଡ । ସ୍ବାମୀଙ୍କ ବିୟୋଗ ଦୁଃଖକୁ ସହିନପାରି ନିଜର ୬ ମାସର ଶିଶୁକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ଖବର ସାମନାକୁ ଆସିଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଗଙ୍ଗାଧର ବି କମ୍ମାରା(୩୬) ମାଙ୍ଗାଲୋରରେ ଦମକଳ ଗାଡ଼ିର ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ତେବେ ସେ ଗତ ଶନିବାର ରାତି ପ୍ରାୟ ୮ଟା ୫୦ ମିନିଟରେ କୁନ୍ତିକାନା ନିକଟ ଏକ ରାସ୍ତା ପାର ହେଉଥିବା ସମୟରେ ବେଙ୍ଗାଲୁରୁରୁ କୁନ୍ଦପୁର ଆଡ଼କୁ ଯାଉଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଖବର ତାଙ୍କ ପତ୍ନୀଙ୍କ ନିକଟରେ ପହଞ୍ଚିବା ପରେ ସେ ଆଚମ୍ବିତ ହୋଇଯାଇଥିଲେ । ଏହି ଖବରକୁ ସେ ସହଜରେ ଗ୍ରହଣ କରିପାରିଲେ ନାହିଁ ।
ସ୍ବାମୀଙ୍କ ବିୟୋଗ ଦୁଃଖରେ ଭାଙ୍ଗି ପଡ଼ି ଶେଷରେ ସେ ନିଜ ୬ ମାସର ଶିଶୁକୁ ହତ୍ୟା କରିବାକୁ ମଧ୍ୟ ପଛାଇଲେ ନାହିଁ । ଏହାପରେ ସେ ପ୍ରାୟ ରାତି ୧୦ଟା ସମୟରେ ପ୍ରଥମେ ନିଜ ଶିଶୁପୁତ୍ର ଅଭିରାମକୁ ହତ୍ୟା କରିଥିଲେ । ଆଉ ଏହାପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ମାଙ୍ଗାଲୋର ଟ୍ରାଫିକ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଲିଙ୍ଗସୁଗୁର ପୋଲିସ ମୃତ ଗଙ୍ଗାଧରଙ୍କ ଘରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ