କୋଲକାତା: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପଶ୍ଚିମବଙ୍ଗର ରାଜଧାନୀ କୋଲାକାତାରେ ବିଶ୍ବପ୍ରସିଦ୍ଧ କାଳୀପୂଜା ଆୟୋଜିତ ହୋଇଛି । ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିଥିଲା ଚାଇନିଜ କାଳୀ ମନ୍ଦିର । ଚୀନର କିଛି ଲୋକେ ଏଠାରେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ମା' କାଳୀଙ୍କୁ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ୩୫ ବର୍ଷ ଧରି ଚାଇନିଜ ମାନେ (Chinese Kali Mandir Puja) ଏପରି ଭାବରେ କୋଲକାତା ସହରରେ ପୂଜା କରିଆସୁଥିବା ସୂଚନା ମିଳିଛି ।
ସମାଜରେ ପ୍ରେମ ଓ ସମନ୍ବୟ ଭାବର ବିସ୍ତାର ଲାଗି ବିଭିନ୍ନ ଧର୍ମର ପର୍ବରେ ଭିନ୍ନ ଧର୍ମାବଲମ୍ବୀ ସାମିଲ ହୋଇଥାନ୍ତି । ଏହାସହିତ ଜାତି, ଧର୍ମର ଭେଦଭାଦକୁ ଏଡ଼ାଇବା ଲାଗି ଅନ୍ୟ ଧର୍ମ ମଧ୍ୟ ଗ୍ରହଣ କରନ୍ତି । ଚାଇନିଜ ମାନେ ମଧ୍ୟ ଏହି ବାର୍ତ୍ତା ଦେବା ଲାଗି କାଳୀ ପୂଜା କରିଥାନ୍ତି । ଏହି ପୂଜାରେ ସ୍ଥାନୀୟ ହିନ୍ଦୁ-ମୁସଲିମ ଧର୍ମାବଲମ୍ବୀଙ୍କ ସହିତ ଚାଇନିଜ ପର୍ଯ୍ୟଟକ ମଧ୍ୟ ସାମିଲ ହୁଅନ୍ତି । ଏଠାରେ ପୂଜକ ମା' କାଳୀଙ୍କୁ ମିଠା ଓ ଫଳ ପ୍ରସାଦ ଭାବେ ଦେଇଥାନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ଏଠାରେ ମା' କାଳୀଙ୍କୁ ଚାଓମିନ୍ ଭୋଗ ଲଗାଯାଏ । ମାତ୍ର ମନ୍ଦିର ପ୍ରଶାସନର ମୁଖ୍ୟ ଏହାକୁ ସମ୍ପୂର୍ଣ୍ଣ ଗୁଜବ ବୋଲି କହିଛନ୍ତି ।
ଏହା ବି ପଢନ୍ତୁ- Cyclone Sitrang: ତ୍ରିପୁରାରରେ ବ୍ୟାପକ କ୍ଷୟକ୍ଷତି, ଭାଙ୍ଗିଲା ୫୦୦ରୁ ଊର୍ଦ୍ଧ୍ୱ ଘର
ଟାଙ୍ଗରା ଠାରେ ଥିବା ଏହି ମନ୍ଦିରକୁ 'ଚାଇନିଜ କାଳୀ ମନ୍ଦିର' (Chinese Kali Temple) କୁହାଯାଏ । ଏଥିରେ ତିବ୍ଦତୀୟ ଓ ପୂର୍ବ ଏସିୟ ସଂସ୍କୃତିର ଝଲକ ଦେଖିବାକୁ ମିଳେ । ଏହି ମନ୍ଦିରରେ ଥିବା ମୂର୍ତ୍ତି ମା' କାଳୀଙ୍କ ପ୍ରତିମୂର୍ତ୍ତି ସଦୃଶ । ଏଠାରେ ଜଣେ ବଙ୍ଗାଳୀ ପୂଜକ ମା'ଙ୍କ ପୂଜାର୍ଚ୍ଚନା କରିଥାନ୍ତି । କାଳୀପୂଜା ସମୟରେ ବଡ଼ ବଡ଼ ମହମବତୀ ଏଠାରେ ଲଗାଯାଏ । ଦେଶର ହିନ୍ଦୁ ମନ୍ଦିର ଠାରୁ ଏହା ସାମାନ୍ୟ ଅଲଗା ରହିଥାଏ ।
ଏକ ରିପୋର୍ଟ ଅନୁସାରେ ଏହି ମନ୍ଦିର ୮୦ ବର୍ଷ ପୁରାତନ । ଦୀର୍ଘ ୬୦ ବର୍ଷ ପୂର୍ବେ ହିନ୍ଦୁ ଧର୍ମାବଲମ୍ବୀ ଏଠାରେ ମନ୍ଦିର ତୋଳିବା ପରେ ଦୁଇଟି ଗ୍ରାନାଇଟ ପଥରରେ ସିନ୍ଦୂର ଲଗାଇ ଗଛକୁ ପୂଜାର୍ଚ୍ଚନାକୁ କରୁଥିଲେ । ଏହାପରେ ବଙ୍ଗାଳୀ ଓ ଚାଇନିଜ ସମ୍ପ୍ରଦାୟ ଟାଙ୍ଗରାଠାରେ ମନ୍ଦିର ସ୍ଥାପନ କରିଥିଲେ । ମନ୍ଦିର କର୍ତ୍ତୃପକ୍ଷ ଦାୟିତ୍ବରେ ଥିବା ଚିଉଙ୍ଗ (Cheung) କହିଛନ୍ତି, " ଦିଲ୍ଲୀରୁ ଆସିଥିବା କିଛି ଲୋକେ ଏଠାରେ ଚାଓମିନ ଭୋଗ ପାଇଁ ଆଣିଥିଲେ । ଏହାପରେ ସେମାନେ ଏହାର ଫଟୋ ଓ ଭିଡ଼ିଓକୁ ଭାଇରାଲ କରିଥିଲେ । ମାତ୍ର ମା'ଙ୍କ ନିକଟରେ ଚାଓମିନ ଭୋଗ ଲଗାଯାଏ ନାହିଁ । ଏଠାରେ ମିଠା ଓ ଫଳ ଭୋଗ ଲଗାଯାଇଥାଏ ।"