ଗାନ୍ଧୀନଗର: ଯେ କୌଣସି ମୁହୁର୍ତ୍ତରେ ଘୋଷଣା ହେବ ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assembly election) ତାରିଖ । ଭାରତୀୟ ନିର୍ବାଚନ ଆୟୋଗ (Election Commission of India) ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । କୁହାଯାଉଛି ଚଳିତ ମାସ ଶେଷ ସୁଦ୍ଧା ଘୋଷଣା ହେବ ନିର୍ବାଚନ ତାରିଖ । ନିର୍ବାଚନ ପାଇଁ ମଧ୍ୟ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ରଣନୀତିକୁ ଜୋରଦାର କରିଛନ୍ତି । ବିଜେପି, କଂଗ୍ରେସ, ଆପ ଦଳ ଗୁଡିକ ପ୍ରାର୍ଥୀ, ପ୍ରସଙ୍ଗ ଓ ପ୍ରସ୍ତୁତିକୁ ନେଇ ଜାରି ରଖିଛନ୍ତି ବୈଠକ ପରେ ବୈଠକ ।
ଗୁଜୁରାଟରେ ଗତ 22 ବର୍ଷ ଧରି ଶାସକ ଭାରତୀୟ ଜନତା ପାର୍ଟି (Bharatiya Janata party) ଶାସନରେ ଅଛି । ନିର୍ବାଚନ ଉଭୟ କଂଗ୍ରେସ ଓ ଆମ ଆଦମୀ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ବିଜେପି ପାଇଁ ଏହା ଅନେକ ଗୁରୁତ୍ବ ରଖୁଛି । ନିଜ ଗୃହରାଜ୍ୟରେ କୌଣସି ପରିସ୍ଥିତିରେ ମଧ୍ୟ କ୍ଷମତାଚ୍ୟୁତ ହେବାକୁ ଚାହୁଁନାହାଁନ୍ତି ମୋଦି-ଶାହ । କାରଣ ଗୁଜୁରାଟ ନିର୍ବାଚନ (Gujarat Assembly election) ଯଦି ଦଳ ସପକ୍ଷରେ ନଯାଏ, ଏହା ସାରା ଦେଶରେ ପ୍ରଭାବ ପଡିବା ନିଶ୍ଚିତ । ଯେଉଁଥିପାଇଁ ବିଜେପି ଏବେ ଗୁଜୁରାଟ ନିର୍ବାଚନକୁ, ସମ୍ମାନ ସହ ସ୍ବତନ୍ତ୍ରତା ଭାବେ ଗ୍ରହଣ କରିଛି । ଏଥିପାଇଁ ଆଗାମୀ ନିର୍ବାଚନରେ ଦଳର ନିଶ୍ଚତ ବିଜୟ ପାଇଁ ରଣନୀତିକୁ ଚୂଡାନ୍ତ ରୂପ ଦେବା ପାଇଁ ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Union Home Minister Amit Shah) 6 ଦିନିଆ ଗୁଜୁରାଟ ଗସ୍ତରେ ଅଛନ୍ତି ।
ଏହାବି ପଢନ୍ତୁ- ବ୍ରିଟେନ ପ୍ରତିପକ୍ଷଙ୍କ କଥା ହେଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର
ଗତ 21 ତାରିଖରୁ ଗୃହମନ୍ତ୍ରୀ ଅମିତ ଶାହ (Home Minister Amit Shah Visit Gujurat) 6 ଦିନିଆ ଗୁଜୁରାଟ ଗସ୍ତରେ ଅଛନ୍ତି । ଗସ୍ତ କାଳରେ ଦଳର ବିଜୟ ନେଇ ପୁରା ପଟ୍ଟ କଥା ରଚନା କରୁଛନ୍ତି ଶାହ । ନିଜ ଗୃହ ରାଜ୍ୟରେ ଯେମିତି କୌଣସି ଭୁଲ ନହୁଏ, ତାହାକୁ ସୁନିଶ୍ଚିତ କରୁଛନ୍ତି ଶାହ । ଗୁଜୁରାଟ ନିର୍ବାଚନ ପାଇଁ ନିଜେ ରଚିଛନ୍ତି ସ୍ବତନ୍ତ୍ର ରଚନା । ବୁଥ, ମଣ୍ଡଳ, ଜିଲ୍ଲା ଓ ଜୋନ ୱାରୀ ପୁରା ଗୁଜୁରାଟକୁ ବିଭକ୍ତ କରିଛନ୍ତି । ନିଜର ବିଶ୍ବସ୍ତ ସହଯୋଗୀଙ୍କୁ ନିଜେ ଦାୟିତ୍ବ ବାଣ୍ଟିବା ସହ ବିଜୟ ମନ୍ତ୍ର ଦେଉଛନ୍ତି । କେଉଁଠି, କେତେବେଳେ, ଦଳର କଣ ଆଭିମୁଖ୍ୟ ରହିବ ତାହା ଦଳୀୟ ନେତାଙ୍କ ପାଇଁ ଚୂଡାନ୍ତ ହୋଇଛି । କେଉଁ ନେତା, କଣ ଭୂମିକା ତୁଳାଇବେ, ପୁରା ନିର୍ବାଚନରେ ଦଳର କଣ ସବୁ କାର୍ଯ୍ୟକ୍ରମ, ଯୋଜନା, ରଣନୀତି ମାଇକ୍ରୋ ମ୍ୟାନେଜମେଣ୍ଟ ରହିବ, ତାହା ଦଳୀୟ ଯୋଦ୍ଧାଙ୍କୁ ନିଜେ ପରାମର୍ଶ ଦେଉଛନ୍ତି ବିଜେପି ସେନାପତି ।
ସୂତ୍ରରୁ ମିଳିଥିବା କିଛି ସୂଚନା ଅନୁସାରେ, ଗୁଜୁରାଟରେ କ୍ଷମତା ବଜାୟ ରଖିବା ପାଇଁ ଅମିତ ଶାହ 6 ଟି ପ୍ରସଙ୍ଗକୁ ଆଧାର କରି ରଣନୀତି ପ୍ରସ୍ତୁତ କରୁଛନ୍ତି ।
ପ୍ରଥମ ପ୍ରସଙ୍ଗ- ସଠିକ ପ୍ରାର୍ଥୀ ଚୟନ
ସୂତ୍ର ଅନୁସାରେ ଆଗାମୀ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ଅତିକମରେ 30 ପ୍ରତିଶତ ଯୁବକଙ୍କୁ ଟିକେଟ ଦେବ । ଏଥିପାଇଁ ଆସନ୍ତା 27 ରୁ 29 ପର୍ଯ୍ୟନ୍ତ ସମସ୍ତ 182 ଆସନ ପାଇଁ ନିଯୁକ୍ତ ହୋଇଥିବା ଦଳୀୟ ପର୍ଯ୍ୟବେକ୍ଷକଙ୍କ ବୈଠକ ହେବ । ଏହି ବୈଠକରେ ସମସ୍ତ ପର୍ଯ୍ୟବେକ୍ଷକ ନିଜ ନିଜ ରିପୋର୍ଟ ଦେବେ । ପ୍ରତି ନିର୍ବାଚନ ମଣ୍ଡଳୀକୁ ନେଇ ଆଲୋଚନା ହେବ । କେଉଁଠି କଣ ରହିଛି ସମସ୍ୟା, ପୁଙ୍ଖାନୁ ପୁଙ୍ଖ ଆଲୋଚନା ହେବ । ଏହାପରେ କେଉଁ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ ତାହାକୁ ନେଇ ଚୂଡାନ୍ତ ନିଷ୍ପତି ଦଳର ପାର୍ଲାମେଣ୍ଟ୍ରୀ ବୋର୍ଡ (Parliamentary Board Bharatiya Janata Party) ନେବ ।
ଏହାବି ପଢନ୍ତୁ- WhatsApp down: ସାରା ଦେଶରେ ହ୍ବାଟସ୍ଆପ୍ ଡାଉନ୍, ମେସେଜ୍ ଯାଉନି କି ଆସୁନି
ଦ୍ବିତୀୟ ପ୍ରସଙ୍ଗ- ସରକାର ବିରୋଧୀ ହାୱାକୁ ପ୍ରତିହତ
ସରକାର ବିରୋଧୀ (Anti-incumbency) ହାୱାକୁ ପ୍ରତିହତ କରିବା । ଯେଉଁ ବିଧାୟକଙ୍କ ବିରୋଧରେ ଜନଅସନ୍ତୋଷ ଥିବା ସେହି ବିଧାୟକଙ୍କ ଟିକେଟ କାଟିବା ନିଶ୍ଚିତ। ଦଳ 22 ବର୍ଷ ଧରି ଶାସନରେ ଥିବାରୁ କିଛି ସରକାର ବିରୋଧୀ ହାୱା ରହିଛି । ଶାହ ଏହି ହାୱାକୁ ପୁରା ରାଜନୈତିକ ଢଙ୍ଗରେ ପ୍ରତିହତ କରିବା ପାଇଁ ଯୋଜନା କରୁଛନ୍ତି । ଆଉ ଏହି ପରିପ୍ରେକ୍ଷିରେ ଆଗାମୀ ନିର୍ବାଚନରେ ଅତିକମରେ 30 ପ୍ରତିଶତ ବିଧାୟକଙ୍କ ଟିକେଟ କଟିବ । ତାଙ୍କ ସ୍ଥାନରେ ଦଳର ଯୁବ ନେତାଙ୍କୁ ସ୍ଥାନ ମିଳିବ । କାରଣ ନିର୍ବାଚନ କେବଳ ପ୍ରଧାନମନ୍ତ୍ରୀଙ୍କ ବିକାଶକୁ ନେଇ ଲଢିବ ଦଳ ।
ତୃତୀୟ ପ୍ରସଙ୍ଗ - ଜୋନ ୱାରୀ ଯୋଜନା
ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଶାହ ଜୋନ ୱାରୀ ଯୋଜନା ମଧ୍ୟ କରୁଛନ୍ତି । ପୁରା ଗୁଜୁରାଟକୁ 4 ଟି ଜୋନରେ ଶାହ ଭାଗ କରିଛନ୍ତି । ଗସ୍ତକାଳରେ 3 ଟି ଜୋନର ବୈଠକ ନେଇସାରିଥିବା ବେଳେ, ଆସନ୍ତାକାଲି ଆଉ ଗୋଟିଏ ଜୋନର ବୈଠକ ନେବେ । ‘‘ବୁଥ ଜିତ, ନିର୍ବାଚନ ଜିତ’’ ସ୍ଲୋଗାନ ନେଇ ଏବେ ଗୁଜୁରାଟ ବିଜେପି କାମ କରୁଛି । ପ୍ରତି ବୁଥକୁ ଦଳ ଗୁରୁତ୍ବ ସହ ନେଇଛି । କାରଣ ଶାହଙ୍କ ରଣନୀତିରେ ବୁଥ ସବୁଠାରୁ ଗୁରୁତ୍ବ ପାଇଛି । ନିଜେ ସେଥିପାଇଁ ଜୋନସ୍ତରୀୟ ବୈଠକ ବେଳେ ବୁଥ ସ୍ତରୀୟ କର୍ମକର୍ତ୍ତାଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି । ଏହାସହ ଦଳୀୟ ମାଇକ୍ରୋ ମ୍ୟାନେଜମେଣ୍ଟକୁ ପୁରା ନିଶ୍ଚିତ କରିବାକୁ ଶାହ ଯୋର ଦେଉଛନ୍ତି ।
ଚତୁର୍ଥ ପ୍ରସଙ୍ଗ- ବ୍ରାଣ୍ଡ ମୋଦି
ବିଜେପି ଚାଣକ୍ୟ ଶାହଙ୍କ ଚତୁର୍ଥ ପ୍ରସଙ୍ଗରେ ସ୍ଥାନ ପାଇଛି ବ୍ରାଣ୍ଡ ମୋଦି । କିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଙ୍କ ବ୍ରାଣ୍ଡକୁ ପ୍ରତ୍ୟେକ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ ଯୋଜନା ହୋଇଛି । ଯେମିତି ମୋଦିଙ୍କ ଯୋଜନା, ସଫଳତା, ପଦକ୍ଷେପକୁ ପ୍ରତି ଗୁଜୁରାଟିଙ୍କ ପାଖେ ଆହୁରି ପ୍ରଭାବୀ ଢଙ୍ଗରେ ପହଞ୍ଚି ପାରିବ ତାହାକୁ ଯୋର ଦିଆଯାଉଛି । ଏହାସହ ଗୁଜୁରାଟର ମୋଟ 182 ଆସନରୁ କଡା ମୁକାବିଲା ହେବାକୁ ଥିବା ନିର୍ଦ୍ଦିଷ୍ଟ 60 ଆସନକୁ ଦଳ ଚିହ୍ନଟ କରିଛି । ସେହି 60 ଆସନରେ ମୋଦିଙ୍କ ରାଲିକୁ ଅଧିକରୁ ଅଧିକ କରିବା ପାଇଁ ଯୋଜନା ହୋଇଛି । କାରଣ ପ୍ରଧାନମନ୍ତ୍ରୀଙ୍କ ପ୍ରଭାବ ଲୋକପ୍ରିୟତା ନିଜ ଗୃହରାଜ୍ୟ ଲୋକଙ୍କ ଉପରେ ବେଶ ରହିଛି । ମୋଦି ରାଜ୍ୟ ରାଜନୀତିରୁ ଦୂରେଇ ଯାଇଥିଲେ ମଧ୍ୟ, ନିଜ ପ୍ରଭାବ ବ୍ୟକ୍ତିତ୍ବ ବଳରେ ଏବେବି ରାଜ୍ୟରେ ବେଶ ଲୋକପ୍ରିୟ । ଏହାସହ ମୋଦି ଓ ଗୁଜୁରାଟିଙ୍କ ମଧ୍ୟରେ ନିବିଡ ସମ୍ପର୍କ ରହିଛି । ଯାହା ଦ୍ବାରା ମୋଦି ସାଧାରଣ ଗୁଜୁରାଟିଙ୍କ ଉପରେ ସିଧା ସଳଖ ପ୍ରଭାବ ପକାଇ ପାରିବେ ।
ଏହାବି ପଢନ୍ତୁ- ପ୍ରଦୂଷଣ କାରଣରୁ ସମସ୍ୟାରେ ପଡିପାରନ୍ତି ଗର୍ଭବତୀ ମହିଳା, ନିଅନ୍ତୁ ବିଶେଷ ଧ୍ୟାନ
ପଞ୍ଚମ ପ୍ରସଙ୍ଗ- ସରକାରୀ ଯୋଜନା ଲାଭାର୍ଥୀଙ୍କ ଡାଟାବେଶ
ଶାହଙ୍କ ପଞ୍ଚମ ପ୍ରସଙ୍ଗରେ ରହିଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଲାଭାନ୍ବିତ ହୋଇଥିବା ଲାଭାର୍ଥୀ । ଗତ ବିଧାନସଭା ନିର୍ବାଚନରେ ବିଜେପିକୁ ଗ୍ରାମାଞ୍ଚଳରୁ କମ ଭୋଟ ମିଳିଥିଲା । ତଥା ଗ୍ରାମାଞ୍ଚଳ ଭୋଟର ଏକ ପ୍ରକାର କଂଗ୍ରେସକୁ ସମର୍ଥନ କରିଥିଲେ । ଆଉ ସରକାରୀ ଯୋଜନାର ଲାଭାର୍ଥୀ ଅଧିକ ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି । ଏପରିକି ୟୁପି ନିର୍ବାଚନରେ ବିଜେପିକୁ ଅଧିକ ସରକାରୀ ଯୋଜନା ଲାଭାର୍ଥୀଙ୍କ ଭୋଟ ମିଳିଥିଲା । ସେହି ଆଧାରରେ ସିଧା ସଲଖ ସରକାରୀ ଲାଭାର୍ଥୀଙ୍କ ପାଖରେ ବିଜେପି ନେତା, କର୍ମୀ ପହଞ୍ଚି ସରକାରୀ ଯୋଜନା ସମ୍ପର୍କରେ ଆହୁରି ସଚେତନ କରିବା ପାଇଁ ଯୋଜନା ହୋଇଛି । ତେଣୁ ଲାଭାର୍ଥୀଙ୍କ ପୁରା ଡାଟାବେସ ପ୍ରସ୍ତୁତି କରିଛି ଦଳ ।
ଷଷ୍ଠ ପ୍ରସଙ୍ଗ - ପ୍ରବାସୀ ଭୋଟର
ଗୁଜୁରାଟ ବିଧାନସଭାରେ ପ୍ରବାସୀ ଭୋଟରଙ୍କ ଭୂମିକା ମଧ୍ୟ ରହିଛି । ଗୁଜୁରାଟରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ 50 ଲକ୍ଷ ରୁ ଅଧିକ ପ୍ରବାସୀ ଭୋଟର ରହିଛନ୍ତି । ଯେଉଁ ମାନଙ୍କ ମଧ୍ୟରେ ସର୍ବାଧିକ ରାଜସ୍ଥାନୀ, ମରାଠୀ, ବିହାରୀ, ଓଡିଆ, ବଙ୍ଗାଲୀ ଭୋଟର ରହିଛନ୍ତି । ଏହାସହ ଅନ୍ୟ ରାଜ୍ୟରୁ ମଧ୍ୟ ଭୋଟର ରହିଛନ୍ତି । ଏହି ପ୍ରବାସୀ ଭୋଟକୁ ପୁରା ଦଖଲ କରିବା ପାଇଁ ବିଜେପି ଯୋଜନା କରିଛି । ଏଥିପାଇଁ ଦଳର ରିସର୍ଚ୍ଚ ଚାଲିଛି । ଯୋଜନା ଅନୁସାରେ ଯେଉଁ ରାଜ୍ୟର ପ୍ରବାସୀ ଗୁଜୁରାଟରେ ଅଛନ୍ତି, ସେହି ରାଜ୍ୟର ଦଳୀୟ ନେତାଙ୍କ ତାଳିକା ପ୍ରସ୍ତୁତ ହେଉଛି। ପ୍ରଚାର ଓ ମ୍ୟାନେଜମେଣ୍ଟ ପାଇଁ ସେହି ରାଜ୍ୟ ନେତାଙ୍କୁ ଲଗାଯିବ । ଏଥିପାଇଁ କେନ୍ଦ୍ରୀୟ ବିଜେପି ପକ୍ଷରୁ ସମସ୍ତ ରାଜ୍ୟ ୟୁନିଟକୁ ନେତାଙ୍କ ତାଳିକା ସହ ଏକ ସମୟ ସାରଣୀ ମଗାଯାଇଛି । କେଉଁ ନେତା ପ୍ରବାସୀଙ୍କ ଭୋଟ ହାସଲ କରିପାରିବେ ତାହା ଉପରେ ମଧ୍ୟ ବିଜେପି ଟିମ କାମ ଜାରି ରଖିଛି ।
ଏହାବି ପଢନ୍ତୁ- Nandankanan: ବଢୁଛି ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ, ୬୩୦ ଜୀବଜନ୍ତୁ ହେଲେ ପୋଷ୍ୟ
AAP କୁ ନେଇ ରଣନୀତିରେ ପରିବର୍ତ୍ତନ
ଗତ ବିଧାନସଭା ନିର୍ବାଚନରେ ବିଜେପିର ସିଧା ଲଢେଇ କଂଗ୍ରେସ ସହ ହୋଇଥିଲା । ଏଥର କିନ୍ତୁ ଆମ ଆଦମୀ ପାର୍ଟି ଏଣ୍ଟ୍ରି ମାରିଛି । ଆପ ମଧ୍ୟ ସରକାର ଗଠନ ପାଇଁ ଦମ୍ଭୋକ୍ତି ଦେଖାଉଛି । ଏଥିପାଇଁ ଆପ ଆଗୁଆ ପ୍ରାର୍ଥି ମଧ୍ୟ ଘୋଷଣା କରିଛି । ଯାହାକୁ ନେଇ ବିଜେପି ନିଜ ରଣନୀତିରେ କିଛି ପରିବର୍ତ୍ତନ କରୁଛି । ଯେମିତି ଆପର ପ୍ରଭାବ କୌଣସି ଛାପ ଛାଡିପାରିବ ନାହିଁ ।
ସୂଚନାଯୋଗ୍ୟଯେ ଗୁଜୁରାଟରେ 182 ବିଧାନସଭା ଆସନ ରହିଛି । ବହୁମତ ପାଇଁ 92 ଆସନ ଆବଶ୍ୟକ ରହିଛି । ଗତ ନିର୍ବାଚନରେ ବିଜେପି 99 ଟି ଆସନ ପାଇଥିବା ବେଳେ, କଂଗ୍ରେସ ପାଇଥିଲା 77 ଟି ଆସନ ।