ଗାଜା: ଦୀର୍ଘ 11 ଦିନର ସଂଘର୍ଷ ପରେ ଥମିଲା ଇସ୍ରାଏଲ ଓ ଗାଜା ମଧ୍ୟରେ ଯୁଦ୍ଧ । 2 ଦେଶ ଅସ୍ତ୍ରବିରତି ଘୋଷଣା କରିଛନ୍ତି । ଏହାପରେ ଆଜି(ରବିବାର)ଠାରୁ ଗାଜାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲିଛି ବୋଲି ସୂଚନା ମିଳିଛି ।
ଗାଜାର ସରକାରୀ ପ୍ରେସ କାର୍ଯ୍ୟାଳୟର ମୁଖ୍ୟ ସଲାମ ମରୁଫ ଏହି ସୂଚନା ଦେଇଛନ୍ତି । ଇଜିପ୍ଟର ହସ୍ତକ୍ଷେପ ପରେ ଦୁଇ ଦେଶ ଅସ୍ତ୍ରବିରତି କରିବା ପାଇଁ ରାଜି ହୋଇଥିଲେ । ଏହାପୂର୍ବରୁ ଜାତିସଂଘ ସମେତ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ଯୁଦ୍ଧକୁ ରୋକିବା ପାଇଁ ଉଭୟ ଦେଶ ଉପରେ ଚାପ ପକାଇଥିଲେ । ସରକାରୀ କାର୍ଯ୍ୟାଳୟଗୁଡିକ ରବିବାରଠାରୁ ପୁଣି କାମ କରି ଦେଶରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବ ବୋଲି ଜଣାପଡିଛି ।
ସରକାରୀ କାର୍ଯ୍ୟାଳୟ ଖୋଲିବା ପରେ ଯୁଦ୍ଧ ଯୋଗୁଁ ରାସ୍ତାରେ ପଡିଥିବା ବର୍ଜ୍ୟବସ୍ତୁକୁ ହଟାଇ ରାସ୍ତା ସଫା କରାଯିବ । କାରଣ ଯୁଦ୍ଧ ଯୋଗୁଁ ବହୁ ବଡ ବଡ ଅଟ୍ଟାଳିକା ଟଳି ପଡିଥିବା ଦେଖିବାକୁ ମିଳିଥିଲା । ଦୀର୍ଘ 11 ଦିନର ଭୟଙ୍କର ଯୁଦ୍ଧ ପରେ ଶୁକ୍ରବାର ଦୁଇ ଦେଶରେ ଯୁଦ୍ଧ ଥମିଛି । ଇସ୍ରାଏଲର ବିମାନ ଆକ୍ରମଣରେ 248 ଜଣ ପାଲେଷ୍ଟାଇନଙ୍କର ମୃତ୍ୟୁ ଘଟିଥିବା ବେଳେ 66 ଶିଶୁ, 39 ମହିଳା ଓ 17 ଜଣ ବରିଷ୍ଠ ବ୍ୟକ୍ତି ଏବଂ 5 ଜଣ ଦିବ୍ୟାଙ୍ଗଙ୍କ ମୃତ୍ୟୁ ଘଟିଛି ।
ଏହାସହିତ ଇସ୍ରାଏଲର ବୋମାରେ ଗାଜାରେ 303ଟି କୋଠା ସମେତ ସରକାରୀ କୃଷି ଓ ବ୍ୟବସାୟିକ କାର୍ଯ୍ୟାଳୟ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଇସ୍ରାଏଲ ଗାଜାରେ ଶାସନ କରୁଥିବା ଆତଙ୍କବାଦୀ ଦଳ ହମାସର ମୂଳୋତ୍ପାଟନ ପାଇଁ ଲକ୍ଷ୍ୟରେ ଯୁଦ୍ଧ ଜାରି ରଖିଥିବା କହିଥିଲା । ଗତ ଶୁକ୍ରବାର ଇଜିପ୍ଟ ଦୁଇ ଦେଶକୁ ଅସ୍ତ୍ରବିରତି ପାଇଁ ରାଜି କରାଇଥିବା ଜଣାପଡିଛି ।
@ANI