ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଲାଗିଲା କେନ୍ଦ୍ର ସରକାରଙ୍କ ବିରୋଧୀ ପୋଷ୍ଟର । ଏହି ପୋଷ୍ଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ସହିତ ତେଲୁଗୁ ଭାଷାରେ କିଛି ଲେଖାଥିବା ଦେଖିବାକୁ ମିଳିଛି । ଫ୍ଲାଏଓଭର ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେବା ଯୋଗୁଁ ମଙ୍ଗଳବାର ଏଭଳି ଏକ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଉପଲ-ନାରାପଲ୍ଲୀ (Uppal Narapally Flyover) ନିର୍ମାଣ ଲାଗି ଆଉ କେତେ ବର୍ଷ ଲାଗିବ ବୋଲି ଏହି ପୋଷ୍ଟରରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରାଯାଇଛି ।
ଉପଲ-ନାରାପଲ୍ଲୀ ନିର୍ମାଣଧୀନ ଓଭରବ୍ରିଜର ପିଲାର୍ରେ ପୋଷ୍ଟର ଲଗାଯାଇଛି । ଗତ ୨୦୧୮ ମସିହା ମେ ମାସରେ ଏହି ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏଯାବତ ଏହାର ୪୦ ପ୍ରତିଶତ କାର୍ଯ୍ୟ ମଧ୍ୟ ଶେଷ ହୋଇନାହିଁ । ଏଥିଲାଗି କୌଣସି ଅଜଣା ବ୍ୟକ୍ତି ଏହି ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି । ସେପଟେ ମାର୍ଚ୍ଚ ମାସର ଦ୍ବିତୀୟ ସପ୍ତାହରେ ହାଇଦ୍ରାବାଦର ଅନେକ ସ୍ଥାନରେ ମୋଦିଙ୍କ ଫଟୋ ଥିବା ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରାଯାଇ ଲେଖାଯାଇଥିଲା ଯେ 'ଗଣତନ୍ତ୍ରର ଗଣତନ୍ତ୍ରର ବିନାଶକାରୀ' ଏବଂ 'କପଟଦାରଙ୍କ ଜେଜେବାପା' ।
ଏହା ବି ପଢନ୍ତୁ- Umesh Pal Abduction Case: ଗ୍ୟାଙ୍ଗଷ୍ଟାର ଅତିକ ସମେତ ୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ
ସେପଟେ ବିଜେପିରେ ଯୋଗଦେଇଥିବା କିଛି ନେତାଙ୍କ ପୋଷ୍ଟର ସହିତ BRS ଏମଏଲସି କେ କବିତାଙ୍କ ମଧ୍ୟ ପୋଷ୍ଟର ମଧ୍ୟ ଲାଗିଥିଲା । ଗତ ୨୩ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ କହିଥିଲେ ଯେ ଯେଉଁମାନେ ତାଙ୍କ ବିରୋଧରେ ପୋଷ୍ଟର ଲଗାଇବେ ତାଙ୍କୁ ଗିରଫ କରାଯିବ ନାହିଁ । କାରଣ ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଜନେତାଙ୍କ ସପକ୍ଷ ଓ ବିପକ୍ଷରେ ଜନତା ନିଜ ପ୍ରତିକ୍ରିୟା ରଖିପାରିବେ । ଏହା ସେମାନଙ୍କ ଅଧିକାର । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନ ପରେ ହାଇଦ୍ରାବାଦରେ ମଧ୍ୟ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି ।
ଦିଲ୍ଲୀରେ ମୋଦି ବିରୋଧୀ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ଲେଖାଯାଇଛି ' ମୋଦି ହଟାଓ ଦେଶ ବଚାଓ' । ଏଭଳି ପୋଷ୍ଟର ଲଗାଯିବା ପରେ ଦିଲ୍ଲୀ ପୋଲିସ କିଛି ବ୍ୟକ୍ତିଙ୍କୁ ଗିରଫ କରିଛି । ଏହାପରେ ଅରବିନ୍ଦ କେଜ୍ରିୱାଲ ପୋଷ୍ଟରକୁ ନେଇ ମନ୍ତବ୍ୟ ଏଭଳି ମନ୍ତବ୍ୟ ଦେଇଥିଲେ । ଯାହାର ପ୍ରଭାବ ହାଇଦ୍ରାବାଦରେ ମଧ୍ୟ ଦେଖିବାକୁ ମିଳିଛି । କିଛି ଅଜଣା ବ୍ୟକ୍ତି କେନ୍ଦ୍ର ସରକାରଙ୍କ ବିରୋଧରେ ପୋଷ୍ଟର ଲଗାଇବା ସହିତ ଅନେକ ରାଜନେତାଙ୍କ ପୋଷ୍ଟର ଲଗାଇଛନ୍ତି ।