ଚଣ୍ଡିଗଡ: ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ନୀଳଗାଈକୁ ଧକ୍କା ଦେଇ କାରଟି ଭୀଷଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ହୁଡ୍ଡା ଓ ତାଙ୍କ ସହଯୋଗୀ କିନ୍ତୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । କାରରେ ହୁଡ୍ଡାଙ୍କ ସହ ତାଙ୍କର କିଛି ସହଯୋଗୀ ମଧ୍ୟ ଥିବା ସୂଚନା ମିଳିଛି । ହିସାର ଜିଲ୍ଲାର ବକ୍ସରରେ ଏହି ଦୁର୍ଘଟଣା ଘଟିଛି । ଭୁପିନ୍ଦର ହୁଡ୍ଡା ହିସାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଯାଉଥିଲେ ।
ମିଳିଥିବା ସୂଚନା ଅନୁସାରେ, ହିସାରର ଗିରାୟ ଅଞ୍ଚଳରେ ବିଶ୍ବ ମହିଳା ବକ୍ସିଂ ଚାମ୍ପିଅନସିପ ବିଜେତା ସ୍ବିଟି ବୁରାଙ୍କ ପାଇଁ ଏକ ସ୍ବାଗତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବକ୍ସିଂ ଚାମ୍ପିଅନସିପରେ 81 କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ସ୍ବିଟି । ତେବେ ସଫଳତା ପରେ ପ୍ରଥମ ଥର ନିଜ ପୈତୃକ ଗ୍ରାମ ଗସ୍ତରେ ଥିବା ସ୍ବିଟିଙ୍କୁ ସ୍ବାଗତ କରିବାକୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିଲା । ଆଜି (ରବିବାର) ପୂର୍ବାହ୍ନରେ ନିଜ କାରରେ କିଛି ସହଯୋଗୀଙ୍କ ସହ ଗିରାୟ ଗ୍ରାମ ଅଭିମୁଖେ ବାହାରିଥିଲେ ହୁଡ୍ଡା ।
ରାସ୍ତାରେ ତାଙ୍କ କାର ଏକ ନୀଳଗାଈ ସହ ଧକ୍କା ହୋଇଥିଲା । ଏଥିରେ କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଉକ୍ତ ଗାଈ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ତେବେ ଗାଈଟି ହଠାତ କାର ସମ୍ମୁଖକୁ ଚାଲିଆସିଥିବା ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ମଧ୍ୟ କୁହାଯାଉଛି । ହେଲେ ସୌଭାଗ୍ଯବଶତଃ ହୁଡ୍ଡାଙ୍କ ସମେତ କାରରେ ଥିବା ଅନ୍ୟମାନଙ୍କର କୌଣସି କ୍ଷତି ହୋଇନାହିଁ । ହୁଡ୍ଡାଙ୍କ କାଫିଲାରେ 4 ରୁ 5ଟି ଗାଡି ସାମିଲ ଥିଲା । ଦୁର୍ଘଟଣା ପରେ ତାଙ୍କୁ ଅନ୍ୟ କାରରେ କାର୍ଯ୍ୟକ୍ରମ ସ୍ଥଳକୁ ମଧ୍ୟ ପଠାଯାଇଥିବା ନେଇ ମଧ୍ୟ ସୂଚନା ମିଳିଛି ।
ବିଶ୍ବ ମହିଳା ବକ୍ସିଂ ଚାମ୍ପିଅନସିପ ବିଜେତା ସ୍ବିଟି ବୁରାଙ୍କ ସଫଳତା ପରେ ତାଙ୍କୁ ହରିୟାଣା ସରକାରଙ୍କ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ମୁଖ୍ଯମନ୍ତ୍ରୀ ମନୋହର ଲାଲ ଖଟ୍ଟର ଗତମାସ (ମାର୍ଚ୍ଚ) 30ରେ ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବକ୍ସର ନୀତୁ ଘାଙ୍ଗାସ ଏବଂ ସ୍ବିଟି ବୁରାଙ୍କୁ ରାଜ୍ୟ ସରକାରଙ୍କ ବର୍ଗ-ଦ୍ବିତୀୟ (Group-B)ରେ ନିଯୁକ୍ତି ପ୍ରଦାନ କରିବା ପାଇଁ ଘୋଷଣା କରିସାରିଛନ୍ତି । ସେହିପରି ଉଭୟଙ୍କୁ 40 ଲକ୍ଷ ଟଙ୍କାଏଁ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରିବା ନେଇ ହରିୟାଣା ସରକାର ଘୋଷଣା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ