ଗାନ୍ଧୀନଗର: ଚୋର ସାଜିଲା ପୋଲିସ । ରାତିରେ ଥାନା ଭିତରୁ ଲକ୍ଷାଧିକ ଟଙ୍କାର ଜବତ ମଦ ଓ ଫ୍ୟାନ ଚୋରେଇ ନେଲେ ପୋଲିସ ବାବୁ । ଗୁଜୁରାଟ ମହିସାଗର ଜିଲ୍ଲାର ଏକ ଥାନାରୁ ଏହି ଘଟଣା ସାମ୍ନାକୁ ଆସିଛି । ମଦ ଚୋରା ଚାଲାଣ ବେଳେ ଚଢ଼ାଉ କରି ପ୍ରାୟ ୨ ଲକ୍ଷ ଟଙ୍କାର ୪୮୨ ବୋତଲ ମଦ ଓ ଟେବୁଲ ଫ୍ୟାନ ଜବତ କରାଯାଇଥିଲା । ଜବତ ସାମଗ୍ରୀଗୁଡିକ ଯେଉଁ ଥାନାରେ ରଖାଯାଇଥିଲା ସେହି ଥାନାରେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର(ASI) ୪ ଜଣ ପୋଲିସ କର୍ମଚାରୀଙ୍କ ସହ ମିଶି ଏହାକୁ ଚୋରି କରିନେଇଥିଲେ । ଏହିି ଘଟଣା ଜଣାପଡ଼ିବା ପରେ ଏଏସଆଇଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି ।
ଡିଏସପି ପିଏସ୍ ଭଲବିଙ୍କ ସୂଚନା ଅନୁସାରେ, ଖାନପୁର ତାଲୁକା ଅନ୍ତର୍ଗତ ବାକୋର ପୋଲିସ ଷ୍ଟେସନର ମହିଳା ଲକ-ଅପ୍ରେ ଜବତ ମଦ ଏବଂ ଫ୍ୟାନଗୁଡିକୁ ରଖାଯାଇଥିଲା । ଜଣେ ସ୍ମଗଲର ଟେବୁଲ ଫ୍ୟାନ ଖୋଳ ପଛରେ ୪୮୨ ବୋତଲ ବିଦେଶୀ ମଦ ରାଜ୍ୟ ଭିତରକୁ ଚାଲାଣ କରିବାକୁ ଉଦ୍ୟମ କରୁଥିଲା । ମଦ ସହିତ ଗାଡିରେ ୭୫ଟି ଟେବୁଲ ଫ୍ୟାନ ରହିଥିଲା । ଏହି ଚୋରା ଚାଲାଣ ସମ୍ପର୍କରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରି ଏସବୁ ସାମଗ୍ରୀ ଜବତ କରିଥିଲା । ଜବତ ମଦର ମୂଲ୍ୟ ପ୍ରାୟ ୧ ଲକ୍ଷ ୫୭ ହଜାର ଟଙ୍କା ହୋଇଥିବା ବେଳେ ଫ୍ୟାନର ମୂଲ୍ୟ ୪୦,୫୦୦ ଟଙ୍କା ଅଟେ ।
ଏହା ମଧ୍ୟ ପଢନ୍ତୁ: ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଉଥିଲେ, ସଡ଼କ ଦୁର୍ଘଟଣାରେ 5 ପୋଲିସ କର୍ମୀ ମୃତ
ମଦ ଓ ଟେବୁଲ ଫ୍ୟାନଗୁଡିକ ଜବତ କରାଯିବା ପରେ ଥାନାକୁ ଅଣାଯାଇଥିଲା । ହେଲେ ଥାନାର ଷ୍ଟୋର ରୁମରେ ଏସବୁ ଜାଗା ନହେବାରୁ ଏହାକୁ ମହିଳା ଲକ୍ ଅପରେ ଗଚ୍ଛିତ ରଖାଯାଇଥିଲା । ପରେ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ଥାନା ପରିଦର୍ଶନରେ ଆସି ଜବତ ସାମଗ୍ରୀର ରେକର୍ଡ ମାଗିଥିଲେ । ଏହି ସମୟରେ ଉକ୍ତ ଲକ୍ ଅପରେ ସଫେଇ କରାଯାଉଥିବା ବେଳେ ସେଠାରୁ ଭଙ୍ଗା ମଦ ବୋତଲ ଏବଂ ଫ୍ୟାନ ଖୋଳ ମିଳିଥିଲା । ଏହାପରେ ଛାନଭିନ୍ କରିବାରୁ ଲକ୍ଷାଧିକ ଟଙ୍କାର ଜବତ ମଦ ଏବଂ ଫ୍ୟାନଗୁଡିକ କୁଆଡେ ଉଭାନ ହୋଇଯାଇଥିବା ଜଣାପଡିଥିଲା ।
ସିସିଟିଭି ଯାଞ୍ଚ କରିବାରୁ ଅକ୍ଟୋବର ୨୫ ତାରିଖ ଦିନ ରାତିରେ ଥାନାର ଏଏସଆଇ ଅରବିନ୍ଦ ଖଣ୍ଟ ହେଡ କନେଷ୍ଟବଳ ଲଳିତ ପରମରଙ୍କ ସହ ମିଶି ଲକ୍ ଅପରୁ ମଦ ବୋତଲ ଧରି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏମିତିକି ଏଏସଆଇ କିଛି ସମୟ ପାଇଁ ସିସିଟିଭି କ୍ୟାମେରା ବନ୍ଦ କରିଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ଡିସିପିଏଙ୍କ ନିର୍ଦ୍ଦେଶକ୍ରମେ ଏକ ମାମଲା ରୁଜୁ କରାଯିବା ସହ ଏଏସ୍ଆଇଙ୍କ ସମେତ ୫ ଜଣ ପୋଲିସ କର୍ମୀଙ୍କୁ ଗିରଫ କରାଯାଇଛି ।