ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ମତଦାନ । 11ଟି ଜିଲ୍ଲାରେ 58 ବିଧାନସଭା ଆସନ ପାଇଁ ପଡୁଛି ଭୋଟ୍ । ସକାଳ ୭ଟାରୁ ୟୁପିରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇ ଏହା ସନ୍ଧ୍ୟା ୬ଟା ଯାଏଁ ଚାଲିବ । ଆଜି ଶାମଲୀ, ହାପୁଡ, ଗୌତମବୁଦ୍ଧ ନଗର, ମୁଜାଫରନଗର, ମିରଟ, ବାଗପତ, ଗାଜିଆବାଦ, ବୁଲନ୍ଦସର, ଆଲିଗଡ, ମଥୁରା ଏବଂ ଆଗ୍ରାରେ ମତସାବ୍ୟସ୍ତ କରୁଛନ୍ତି ଭୋଟର ।
![UP POlls: ୟୁପିରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ, ବୁଥ ଆଗରେ ଲମ୍ବା ଲାଇନ](https://etvbharatimages.akamaized.net/etvbharat/prod-images/14422287_thumbna.jpg)
ପ୍ରଥମ ପର୍ଯ୍ୟାୟରେ ଜାଟ୍ ଆଧିପତ୍ୟ ଅଞ୍ଚଳରେ ଭୋଟିଂ ଶେଷ କରାଯିବ । ମୋଟ ୨୫,୮୪୯ କେନ୍ଦ୍ରରେ ଭୋଟିଂ ଜାରି ରହିଥିବାବେଳେ ନିର୍ବାଚନକୁ ନେଇ ଭୋଟରଙ୍କ ମଧ୍ୟରେ ମଧ୍ୟ ଖୁବ୍ ଉତ୍ସାହ ଦେଖାଯାଇଛି । ସକାଳୁ ବିଭିନ୍ନ ପୋଲିଂ ବୁଥରେ ଲମ୍ବା ଲାଇନ ଲଗାଇଛନ୍ତି ଭୋଟର ।
ଦିନ ୧୧ଟା ସୁଦ୍ଧା ଉତ୍ତରପ୍ରଦେଶରେ ୨୦ ପ୍ରତିଶତ ମତଦାନ ହୋଇଛି । ଭୋଟିଂରେ ବାଗପତ ସବୁଠୁ ଆଗରେ ରହିଥିବାବେଳ ନୋଏଡା ପଛରେ ରହିଛି । ଦିନ ୧୧ଟା ସୁଦ୍ଧା ଅଲ୍ଲୀଗଡରେ ୧୭.୯୩ ପ୍ରତିଶତ, ମୁଜାଫରନଗରରେ ୨୨.୬୫ ପ୍ରତିଶତ, ଶାମଲୀରେ ୨୧ ପ୍ରତିଶତ, ବାଗପତରେ ୨୨.୭୭ ପ୍ରତିଶତ, ହାପୁଡରେ ୨୨ ପ୍ରତିଶଥ, ମିରଟରେ ୧୭ ପ୍ରତିଶତ, ନୋଏଡାରେ ୧୫ ପ୍ରତିଶତ, ଗାଜିଆବାଦରେ ୧୮.୨୪ ପ୍ରତିଶତ, ବୁଲନ୍ଦସହରରେ ୨୧.୬୨ ପ୍ରତିଶତ, ମଥୁରାରେ ୨୦ ପ୍ରତିଶତ ଓ ଆଗ୍ରାରେ ୨୦ ପ୍ରତିଶତ ମତଦାନ ହୋଇଛି ।
ପ୍ରଥମ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା ଦେଉଥିବା ତାଲିକାରେ 9 ମନ୍ତ୍ରୀ ରହିଛନ୍ତି । ସେମାନେ ହେଲେ ଶ୍ରୀକାନ୍ତ ଶର୍ମା, ସୁରେଶ ରାଣା, ସନ୍ଦୀପ ସିଂ, କପିଲ ଦେବ ଅଗ୍ରୱାଲ, ଅତୁଲ ଗର୍ଗ, ଚୌଧୁରୀ ଲକ୍ଷ୍ମୀ ନାରାୟଣ, ଜିଏସ ଧର୍ମେଶ, ଅନୀଲ ଶର୍ମା, ଦୀନେଶ ଖଟିକ । ।
ପ୍ରଥମ ପର୍ଯ୍ୟାୟରେ ୬୨୩ ପ୍ରାର୍ଥୀ ନିର୍ବାଚନୀ ଦୌଡରେ ଅଛନ୍ତି । ଏହି ପର୍ଯ୍ୟାୟରେ ପ୍ରାୟ ୨.୨୭ କୋଟି ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ପ୍ରକାଶଥାଉ କି, ଉତ୍ତର ପ୍ରଦେଶ ବ୍ୟତୀତ ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡରେ ମଧ୍ୟ ମତଦାନ ହେବା ପାଇଁ ଯାଉଛି । ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଗୋଆରେ ଗୋଟିଏ ପର୍ଯାୟରେ ଭୋଟ୍ ଗ୍ରହଣ ହେବ । ସେହିପରି ମଣିପୁରରେ ମତଦାନ ଫେବୃଆରୀ 27 ଏବଂ ମାର୍ଚ୍ଚ 3 ତାରିଖରେ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ