ନୂଆଦିଲ୍ଲୀ: ପୃଥିବୀ ମାନବ ଅସ୍ତିତ୍ବର ମୁଖ୍ୟ ଉତ୍ସ । ମନୁଷ୍ୟ ବଞ୍ଚିରହିବା ପାଇଁ ଯେପରି ଭୂମି ଜରୁରୀ, ଅନୁରୂପ ଭାବେ ଭୂମି/ଜମି ଅଧିକାର ମଧ୍ୟ ମହତ୍ତ୍ବପୂର୍ଣ୍ଣ । ନିକଟରେ ୟୁନେସ୍କୋ(UNESCO) ଅର୍ଥନୈତିକ, ସାମାଜିକ ତଥା ସାଂସ୍କୃତିକ ଅଧିକାରଗୁଡିକ ସହ ଜଡିତ ଅନ୍ତରାଷ୍ଟ୍ରୀୟ ଚୁକ୍ତିନାମାରେ ଜମି ଅଧିକାରର କ୍ରିୟାନ୍ବୟନ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି, ଯାହାର ଶୀର୍ଷକ ରହିଛି 'ଜେନେରାଲ କମେଣ୍ଟ-୨୬' । ଜମି ଅଧିକାରର ରକ୍ଷା କରିବା ସରକାରଙ୍କ ଦାୟିତ୍ବ ବୋଲି ଏଥିରେ ୟୁନେସ୍କୋ ଗୁରୁତ୍ବାରୋପ କରିଛି । ସାମ୍ପ୍ରତିକ ସ୍ଥିତିରେ ଜମି ଅଧିକାର ଉଲ୍ଲଙ୍ଘନ ମାମଲା ବୃଦ୍ଧି ପାଉଥିବାରୁ ଅନ୍ତରାଷ୍ଟ୍ରୀୟ ଫୋରମରେ ଏହି ଅଧିକାର ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି ।
ଜୀବନ ଜିଇଁବା ପାଇଁ ଜମି ଜରୁରୀ ହୋଇଥିବାରୁ ଏହାର ଅଧିକାରକୁ ମୌଳିକ ଅଧିକାର ସୂଚୀରେ ସ୍ଥାନ ଦିଆଯାଇଛି । ୧୯୪୮ ମସିହା ମିଳିତ ଜାତିସଂଘ ମାନବାଧିକାରର ଘୋଷଣାନାମା ଠାରୁ ୨୦୧୮ କୃଷକ ଅଧିକାର ଘୋଷଣାନାମା ପର୍ଯ୍ୟନ୍ତ, ସବୁଥିରେ ଜମି ଅଧିକାର ସମ୍ପର୍କରେ ଉଲ୍ଲେଖ କରାଯାଇଛି । ବିଭିନ୍ନ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ, ବୁଝାମଣା, ନିୟମ ଓ ଘୋଷଣାନାମା ମଧ୍ୟ ଜମି ଅଧିକାରକୁ ସ୍ବୀକୃତି ଦେଇଛନ୍ତି । ଏହି ସ୍ବୀକୃତି ଆଧାରରେ ମିଳିତ ଜାତିସଂଘ ୧୯୬୬ରେ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଅଧିକାର ସହ ଜଡିତ ଅନ୍ତର୍ଜାତୀୟ ଚୁକ୍ତିନାମାକୁ ଗ୍ରହଣ କରିଥିଲା, ଯାହାକୁ ଭାରତ ପୂର୍ବରୁ ଅନୁମୋଦିତ କରିସାରିଛି ।
ଜନସ୍ବାର୍ଥ ଗୁରୁତ୍ବପୂର୍ଣ୍ଣ: ଜମି ମାଲିକ ହେବାର ପ୍ରତ୍ୟେକ ଲୋକଙ୍କ ଅଧିକାର ରହିଛି । କୌଣସି ବ୍ୟକ୍ତିର ଜମି ଅଧିକାରକୁ ଉଲ୍ଲଙ୍ଘନ କରାଯାଇପାରିବ ନାହଁ ବୋଲି ମାନବାଧିକାରର ଅନ୍ତରାଷ୍ଟ୍ରୀୟ ଘୋଷଣାନାମାରେ କୁହାଯାଇଛି । ଏହି ସିଦ୍ଧାନ୍ତକୁ ପ୍ରାରମ୍ଭରେ ଭାରତୀୟ ସମ୍ବିଧାନରେ ମୌଳିକ ଅଧିକାର ରୂପେ ସାମିଲ କରାଯାଇଥିଲା, ହେଲେ ପରବର୍ତ୍ତୀ ସମୟରେ ଏହା ସାମ୍ବିଧାନିକ ଅଧିକାର ରୂପେ ପରିବର୍ତ୍ତିତ ହୋଇଥିଲା । ଅର୍ଥାତ ଆମ ଦେଶର ଜମି ଅଧିକାର ମୌଳିକ ଅଧିକାର ନୁହେଁ ବରଂ ସାମ୍ବିଧାନିକ ଅଧିକାର ଅଟେ ।
ଜମି ଅଧିକାର ବିଭିନ୍ନ ଅନ୍ତରାଷ୍ଟ୍ରୀୟ ଚୁକ୍ତିରେ ଭିନ୍ନ ଭିନ୍ନ ରୂପରେ ଅନ୍ତର୍ଭୁକ୍ତ ରହିଛି । ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଅଧିକାର ଉପରେ ଅନ୍ତରାଷ୍ଟ୍ରୀୟ ଚୁକ୍ତିନାମାର ଅନେକ ପ୍ରାବଧାନରେ ଭୂମି ଅଧିକାରକୁ ରେଖାଙ୍କିତ କରାଯାଇଛି । ଏହି ଚୁକ୍ତିନାମାରେ ଖାଦ୍ୟ ସୁରକ୍ଷା, ସମସ୍ତଙ୍କୁ ପାଇଁ ବାସସ୍ଥଳୀ, ସ୍ବଚ୍ଛ ପାନୀୟ ଜଳ, ପ୍ରଦୂଷଣ ମୁକ୍ତ ପରିବେଶ, ସୁସ୍ଥ ଜୀବନ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସ୍ବାଧୀନତା ପ୍ରଭୃତି ଅଧିକାର ଭଳି ଜମିର ବ୍ୟବହାର ଓ ନିୟନ୍ତ୍ରଣ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ଦିଗରେ ୟୁନେସ୍କୋ ପ୍ରାଧାନ୍ୟ ଦେଇଛି । ଅପରପକ୍ଷେ ଭୂମି ପରିଚାଳନା ଓ ବ୍ୟବହାର ପାଇଁ ପ୍ରଚଳିତ ଢାଞ୍ଚା ସେହି ଚୁକ୍ତି ଆଧାରିତ ଅଧିକାର ପ୍ରାପ୍ତିରେ ବାଧକ ସାଜୁଥିବା ମଧ୍ୟ ଯୁକ୍ତି କରାଯାଉଛି ।
ଉପଯୁକ୍ତ ଆଇନ ଓ ସଂଗଠିତ ବ୍ୟବସ୍ଥାର ଅଭାବ ଯୋଗୁଁ ଦ୍ରୁତଗତିରେ ସହରୀକରଣ ଓ ଜମି ମୂଲ୍ୟ ବୃଦ୍ଧି ପାଉଛି । ଅଧିକାଂଶ ସମୟରେ ସରକାର ବିଭିନ୍ନ ପ୍ରକଳ୍ପ, ଉଦ୍ୟୋଗ, ଜନସ୍ବାର୍ଥ ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଭଳି ବିଭିନ୍ନ ଉଦ୍ଦେଶ୍ୟରେ ଜମି ଅଧିଗ୍ରହଣ କରିଥାନ୍ତି । ଏହି କାରଣରୁ ଅନେକ ଲୋକକୁ ନିଜର ଜମି ମାଲିକାନା ହରାଇବାକୁ ପଡିଥାଏ । ପରବର୍ତ୍ତୀ ସମୟରେ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।
ଜମି ଅଧିଗ୍ରହଣ ଆଇନଗତ ହେବା ଆବଶ୍ୟକ । ଏଥିରେ ଜନସାଧରଣଙ୍କ ସ୍ବାର୍ଥ ସ୍ପଷ୍ଟ ଭାବେ ଦର୍ଶାଯିବା ଉଚିତ୍ । ଜମି ଅଧିଗ୍ରହଣ ପାଇଁ ୱାରେଣ୍ଟି, ସାର୍ବଜନିକ ଉପଯୋଗର ଲାଭ ଜମି ମାଲିକ ସହିଥିବା କ୍ଷତି ଠାରୁ ଅଧିକ ହେବା ଉଚିତ୍ । ପ୍ରଭାବିତଙ୍କୁ ଉଚିତ୍ କ୍ଷତିପୂରଣ ରାଶି ସହ ଥଇଥାନ ପାଇଁ ଉଦ୍ଧିଷ୍ଟ ଅନ୍ତର୍ଜାତୀୟ ମାନଦଣ୍ଡର ଅନୁପାଳନ କରାଯିବା ଆବଶ୍ୟକ । ୨୦୧୪ରେ ଭାରତ ଜମି ଅଧିଗ୍ରହଣ ଆଇନରେ ସଂଶୋଧନ କରିଥିଲା । କିନ୍ତୁ ଏହାର କାର୍ଯ୍ୟକାରିତା ଆହ୍ବାନପୂର୍ଣ୍ଣ ରହିଆସିଛି । ସଂଶୋଧନ ଦ୍ବାରା ପ୍ରଭାବିତଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ମିଳୁନଥିବା ଓ ଉପଯୁକ୍ତ ଥଇଥାନ କରାଯାଉନଥିବା ଭଳି ଅଭିଯୋଗ ଆସୁଛି ।
ଜମି ଅଧିକାରର ସୁରକ୍ଷା ଉପଯୁକ୍ତ ଜମି ଡକ୍ୟୁମେଣ୍ଟସନ ଓ ସରକାରୀ ରେକର୍ଡରେ ପଞ୍ଜିକରଣର ଉପରେ ନିର୍ଭରଶୀଳ । କୌଣସି ଜମିର ମାଲିକାନା ସଂକ୍ରାନ୍ତରେ ସ୍ପଷ୍ଟ ତଥ୍ୟ ନମିଳିଲେ ଏହାକୁ ଉଚ୍ଛେଦ କିମ୍ବା ଜବରଦଖଲ କରାଯାଇଥାଏ । ତେଣୁ ଜମି ଅଧିକାରକୁ ସୁରକ୍ଷା ଦେଇ ସମ୍ପତ୍ତି ନେଣଦେଣକୁ ଆହୁରି ସୁଗମ ଓ ସୁବିଧାଜନକ କରିବାକୁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଉଛି ।
ତେବେ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଅଧିକାର ସହ ଜଡିତ ଅନ୍ତରାଷ୍ଟ୍ରୀୟ ଚୁକ୍ତିନାମାରେ ଉଲ୍ଲେଖ ଥିବା ଭୂମି ଅଧିକାରର ଲାଭ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ ହେଲେ ବ୍ୟାପକ ଜମି ସଂଶୋଧନ(Comprehensive land reforms) ଜରୁରୀ ଅଟେ । ବିଶ୍ବରୁ ଦାରିଦ୍ର୍ୟ ଦୂରୀକରଣ ଓ କ୍ଷୁଧା ନିବାରଣ କରିବା ପାଇଁ ଗରୀବ ଲୋକଙ୍କ ମଧ୍ୟରେ ଜମି ପୁନଃବିତରଣ ଏକ ବଳିଷ୍ଠ ପଦକ୍ଷେପ ହେବ । ଭୂମିହୀନ ଗ୍ରାମୀଣ ଗରୀବ କୃଷକ ପରିବାରରେ ଜମିର କିଛି ଭାଗ ବିତରଣ କରାଯିବା ଜରୁରୀ । ଭୂମି ଅଧିକାରର ସୁରକ୍ଷା ପାଇଁ ଉତ୍ତମ ଭୂମି ପ୍ରଶାସନ କାର୍ଯ୍ୟ କରିବା ଉଚିତ୍ । ସେହିପରି ଜମି ସମ୍ବନ୍ଧୀୟ ମାମଲାରେ ଗରୀବଙ୍କ ପାଇଁ ମାଗଣା ଆଇନ ସହାୟତା ପ୍ରଦାନ କରାଯିବା ମଧ୍ୟ ଆବଶ୍ୟକ । ମାତ୍ର ଆମେ ଦେଶରେ ଜମି ଆଇନ ସଂଶୋଧନ ଅସମ୍ପୂର୍ଣ୍ଣ ରହିଛି ।
ଆମ ଦେଶର ଉତ୍ତମ ଭୂମି ପ୍ରଶାସନ ପାଇଁ ଅନେକ କିଛି କରାଯିବା ଏବେ ବି ବାକି ରହିଛି । ଏ କ୍ଷେତ୍ରରେ ଗତ ୧୦ ବର୍ଷ ମଧ୍ୟରେ ତେଲୁଗୁ ଭାଷାଭାଷୀ ରାଜ୍ୟରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି, ତଥାପି ଇଚ୍ଛାନୁରୂପ ଫଳ ପାଇବାକୁ ଆହୁରି ଅଧିକ ପ୍ରଚେଷ୍ଟାର ଆବଶ୍ୟକତା ରହିଛି । ଭୂମି ଅଧିକାର ଉଲ୍ଲଙ୍ଘନ ମାମଲାରେ ନ୍ୟାୟ ପାଇବା ପାଇଁ ସୁଯୋଗ ପ୍ରଦାନ କରାଯିବାର ଆବଶ୍ୟକତା ଅଛି ।
ଜାରି ରହିଥିବା ବିକାଶ କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ଜମି ଅଧିକାରର ସୁରକ୍ଷା ପାଇଁ ପ୍ରଶାସନିକ ଓ ଆଇନ ବ୍ୟବସ୍ଥା ପ୍ରତିଷ୍ଠା କରିବା ନେଇ ୟୁନେସ୍କୋ ପ୍ରତ୍ୟେକ ଦେଶକୁ ଅପିଲ୍ କରିଛି । ବିକାଶର ଗତି ଓ ବ୍ୟବସାୟୀକରଣ ଜମି ଚହିଦା ବୃଦ୍ଧି କରୁଛି, ଯାହାକି ଏହାର ଅଧିକାର ଉଲ୍ଲଙ୍ଘନ ପ୍ରତି ଆଶଙ୍କା ମଧ୍ୟ ବଢାଉଛି । ଏହି ଦୃଷ୍ଟିରୁ ଭୂମି ଅଧିକାରର ସୁରକ୍ଷା ପାଇଁ ବର୍ତ୍ତମାନ ସମୟରେ ପ୍ରଭାବଶାଳୀ ଆଇନ ପ୍ରଣାଳୀ ଓ ଉପଯୁକ୍ତ ବ୍ୟବସ୍ଥା ଆଣିବା ଜରୁରୀ ହୋଇପଡିଛି ।
ସତର୍କତା ଅବଲମ୍ବନ କରିବା ଜରୁରୀ: ଜମି ଅଧିକାଂଶ ଲୋକଙ୍କୁ ଜୀବନର ପ୍ରତିନିଧିତ୍ବ କରିଥାଏ । ଜୀବନ ଧାରଣର ଅଧିକାର ଅର୍ଥ ଜମିର ଅଧିକାର । ଏହାର ସୁରକ୍ଷା ଦିଗରେ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡିକ ବିଶେଷ ଧ୍ୟାନ ଦେବା ଉଚିତ୍ । ଆମ ଦେଶରେ ଖୁବଶୀଘ୍ର ଟାଇଟଲ ଗ୍ୟାରେଣ୍ଟ ଆକ୍ଟ ଲାଗୁ ହେବ । ଏହିଭଳି ଆଇନକୁ ଲାଗୁ କରିବା ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯିବା ଜରୁରୀ, ନଚେତ୍ ଏଥିରେ ଲାଭ ଅପେକ୍ଷା ଅଧିକ କ୍ଷତି ସହିବାକୁ ପଡିବ ।