ଡେରାଡୁନ: ଆସନ୍ତା 2022ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡର ହରିଦ୍ବାରରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ନଡ୍ଡା ଆଜି ହରିଦ୍ୱାରରେ ପହଞ୍ଚି ବିଜୟ ସଙ୍କଳ୍ପ ଯାତ୍ରାର ଶୁଭାରମ୍ଭ କରିବା ସହ ହରିଦ୍ୱାରର ପଞ୍ଚଦୀପ ପାର୍କିଂରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପରେ ସେ ଏକ ରୋଡଶୋ ରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଏହି ସମୟରେ ନଡ୍ଡାଙ୍କ ସହ ସ୍ବତନ୍ତ୍ର ଆଲୋଚନା କରିଥିଲା ଇଟିଭି ଭାରତ(ETV Bharat) ।
ରୋଡଶୋ ରେ ହିଁ ଇଟିଭି ଭାରତ ସହ ଏକ୍ସକ୍ଲ୍ୟୁସିଭ ଆଲୋଚନାରେ ଅଂଶ ଗ୍ରହଣ କରି ନଡ୍ଡା କହିଛନ୍ତି, ଏହା ହେଉଛି ନିର୍ବାଚନ ମାହୋଲର ଆରମ୍ଭ ମାତ୍ର । ଆରମ୍ଭରୁ ଏହି ବିଶାଳ ଜନସମାଗମ ଓ ଉତ୍ସାହ ଦେଖି ମନେହେଉଛି ଯେ ଉତ୍ତରାଖଣ୍ଡବାସୀ ଡବଲ ଇଞ୍ଜିନ ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଶାଧାରାକୁ ସମର୍ଥନ ଜାରିରଖିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀକୁ ମଧ୍ୟ ପ୍ରଶଂସା କରିବାକୁ ମଧ୍ୟ ଭୁଲି ନାହାନ୍ତି ନଡ୍ଡା । ନାଡ୍ଡା କହିଛନ୍ତି ଯେ ଧାମି ସରକାରଙ୍କ କାର୍ଯ୍ୟରେ ଜନସାଧାରଣ ଖୁସି ଥିବା ସହ ଉତ୍ସାହିତ ମଧ୍ୟ ଅଛନ୍ତି । ତାହା ଆଜିର ରାଲିରୁ ହିଁ ସ୍ପଷ୍ଟ ଅନୁମାନ କରିହେଉଛି ।
ନାଡ୍ଡା ଆହୁରି ମଧ୍ୟ କହିଛନ୍ତି, ମୁଁ ସମଗ୍ର ରାଜ୍ୟ ଭ୍ରମଣ କରିବା ଅବସରରେ କେବଳ ହରିଦ୍ବାର ନୁହେଁ ସମଗ୍ର ଉତ୍ତରାଖଣ୍ଡରେ ଏଭଳି ଉତ୍ସାହଜନକ ପରିବେଶ ଦେଖୁଛି । ସବକା ସାଥ, ସବକା ବିକାଶ, ସବକା ପ୍ରାର୍ଥନା ଏବଂ ସବକା ବିଶ୍ୱାସ ସହ ସମଗ୍ର ସମାଜ ପାଇଁ ବିଜେପି ସରକାର ପ୍ରତିବଦ୍ଧତା ସହ କାର୍ଯ୍ୟ ଜାରି ରଖିଛି । ବିଜେପି ଶାସନରେ ଉତ୍ତରାଖଣ୍ଡ ବିକାଶର ଏକ ଭିନ୍ନ କାହାଣୀ ଲେଖିଛି । ସେଥିପାଇଁ ଉତ୍ତରାଖଣ୍ଡବାସୀ ବିଜେପିକୁ ପୁଣିଥରେ ନିର୍ବାଚନରେ ଆଶୀର୍ବାଦ ଦେବାକୁ ପ୍ରସ୍ତୁତ ଥିବା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ନଡ୍ଡା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ