ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ଅବନ୍ତିପୋରା ଜିଲ୍ଲା ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ୨ ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଛନ୍ତି ସୁରକ୍ଷାବାହିନୀ । ଏନେଇ କଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ମିଳିିଛି ।
ସ୍ଥାନୀୟ ଅଞ୍ଚଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ସୁରକ୍ଷାବାହିନୀଙ୍କୁ ସୂଚନା ମିଳିିଥିଲା । ଏହା ପରେ ପୂର୍ଣ୍ଣ ପ୍ରସ୍ତୁତି ସହ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରସେନ ଆରମ୍ଭ କରିଥିଲା ସୁରକ୍ଷାବାହିନୀ । ଫଳରେ ସୁରକ୍ଷାକର୍ମୀ ଗୁଳିରେ ୨ ଜଣ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା କାଶ୍ମୀର ଜୋନ ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ନିହତ ଆତଙ୍କୀ ହେଲା ଲସ୍କର ଏ ତୋଏବାର ସାଫର ମୁଜାଫତ ସୋଫି ଓ ଉମର ତେଲି । ସେମାନଙ୍କର ଅନେକ ଅପରାଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିଲା । ୨୦୨୧ ଡିସେମ୍ବରରୁ ମାର୍ଚ୍ଚ ଯାଏ ପାଖାପାଖି ୬୬ ଆତଙ୍କୀଙ୍କୁ ନିପାତ ହୋଇଥିବା ସୂଚନା ଦେଇଛନ୍ତି ଆଇଜିପି ବିଜୟ ଶଙ୍କର ।
ପ୍ରକାଶ ଥାଉ କି, ଗତ ୪ ତାରିଖରେ ଜମ୍ମୁ କାଶ୍ମୀରର ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଫଳରେ ଜଣେ CRPF ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଓ ଦୁଇ ଜଣ ପ୍ରବାସୀ ଶ୍ରମିକ ଆହତ ହୋଇଥିଲେ । ଶ୍ରୀନଗର ଲାଲଚୌକ ନିକଟରେ ସେନାଗାଡିକୁ ଟାର୍ଗେଟ କରିଥିଲେ ଆତଙ୍କୀ । ଏହା ପର୍ବରୁ ଏପ୍ରିଲ ପହିଲାରେ ସୋପିଆନର ତୁର୍କୱାଗମରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ।
ଏଥିରେ ଜଣେ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବଳ । ମାର୍ଚ୍ଚ ୩୦ ତାରିଖରେ ଜମ୍ମୁକଶ୍ମୀର ପୁରୁଣା ଶ୍ରୀନଗରର ରେନାୱାରୀ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ଲସ୍କର-ଏ-ତୋଏବାର ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ ସୁରକ୍ଷାକର୍ମୀ । ଚଳିତ ବର୍ଷ ଆରମ୍ଭରୁ ସୀମାରେ ପାଖାପାଖି ୨୦ରୁ ଅଧିକ ଥର ଆତଙ୍କୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ୨୫ରୁ ଅଧିକ ଆତଙ୍କୀ ନିପାତ ହେଲେଣି ।
@ANI