ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ପୂର୍ବାହ୍ନ 11ଟା 30ରେ ନିର୍ବାଚନ ଆୟୋଗ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିବେ । ରାଜ୍ୟ ବିଧାନସଭା କାର୍ଯ୍ୟାଳୟ 24 ମଇରେ ଶେଷ ହେଉଛି । ଏହା ପୂର୍ବରୁ ନିର୍ବାଚନ ହେବା ଆକଳନ କରାଯାଉଥିଲା । 224 ଆସନରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଜାତୀୟ ରାଜଧାନୀ ବିଜ୍ଞାନ ଭବନର ପ୍ଲାନେରୀ ହଲରେ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନର ରାଜୀବ କୁମାର ।
224 ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବର୍ତ୍ତମାନ ଶାସକ ଦଳ ବିଜେପିର 119 ବିଧାୟକ ଥିବାବେଳେ କଂଗ୍ରେସର 75 ଓ ଜେଡିଏସର 28ଟି ଆସନ ରହିଛି । 2018ରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସକୁ 38.14 ପ୍ରତିଶତ ଭୋଟ ମିଳିଥିଲା । ଜେଡିଏସକୁ 18.3 ପ୍ରତିଶତ ଭୋଟ ମିଳିଥିବାବେଳେ ବିଜେପିକୁ 36.35 ପ୍ରତିଶତ ଭୋଟ ମିଳିଥିଲା । ନିର୍ବାଚନରେ କଂଗ୍ରେସ 80 ଓ ଜେଡିଏସର 37 ପ୍ରାର୍ଥୀ ବିଜୟୀ ହୋଇ ବିଧାନସଭା ପହଞ୍ଚିଥିଲେ ।
ତାରିଖ ଘୋଷଣା ପୂର୍ବରୁ ପ୍ରାର୍ଥୀ ତାଲିକା ଘୋଷଣା କରିବାରେ କଂଗ୍ରେସ ଦଳ ଆଗୁଆ ରହିଛି । ଗତ 25 ତାରିଖରେ କଂଗ୍ରେସ 124 ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା । କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନାମ ରହିଥିଲା । ସେ ବରୁଣରୁ ଲଢିବେ । ଏହାସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ମଧ୍ୟ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ସେ ଚିତପୁରରୁ ଲଢିବେ । ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କ ନାମ ମଧ୍ୟ ପ୍ରଥମ ପର୍ଯ୍ୟାୟ ତାଲିକାରେ ରହିଥିଲା । ଡିକେ ଶିବକୁମାର କନକପୁରା ମଇଦାନରୁ ନିର୍ବାଚନ ଲଢିବେ । ବିଜେପି ଏ ଯାଏଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ । ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 7 ଥର କର୍ଣ୍ଣାଟକ ଗସ୍ତ କରି ରାଜ୍ୟବାସୀଙ୍କୁ ଏକାଧିକ ପ୍ରକଳ୍ପ ଭେଟି ଦେଇଛନ୍ତି ।
2018 ନିର୍ବାଚନରେ ବିଜେପିକୁ 104 ଆସନରେ ସଫଳତା ମିଳିଥିଲା । କୌଣସି ଦଳକୁ ସ୍ପଷ୍ଟ ବହୁମତ ନ ମିଳିବା ସ୍ଥିତିରେ କଂଗ୍ରେସ ଓ ଜେଡିଏସ ସଂଗଠନ ସରକାର ବନାଇଥିଲେ । କିଙ୍ଗ ମେକର ହୋଇଥିଲେ ଜେଡିଏଶ ନେତା କୁମାରସ୍ବାମୀ । ସେ ମାତ୍ର 14 ମାସ ପାଇଁ ସରକାର ଚଳାଇଥିଲେ । ମେଣ୍ଟର 19 ବିଧାୟକ ଇସ୍ତଫା ଦେଇଥିଲେ ଭାଜପା ଏଣ୍ଟ୍ରି ମାରିଥିଲା । କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାର ଭାଙ୍ଗି ଯାଇଥିଲା । ୟେଦୁରପ୍ପାଙ୍କ ନେତୃତ୍ବରେ ଭାଜପା ସରକାର ଗଠନ କରିଥିଲା । ମାତ୍ର 2 ବର୍ଷ ମଧ୍ୟରେ ୟେଦୁରପ୍ପାଙ୍କୁ ଗାଦିରୁ ହଟାଯାଇ ବାସବରାଜ ବୋମାଇଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରାଯାଇଥିଲା ।
ରାଜ୍ୟରେ ବିଜେପି ଶାସିତ ସରକାର ଚଳାଉଥିବା ବାସବରାଜ ବୋମାଇ ପୁଣି କ୍ଷମତାକୁ ଫେରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବିଭିନ୍ନ ସମସ୍ୟା ଯେପରି ସଂରକ୍ଷଣ ଆଦି ପ୍ରସଙ୍ଗରେ ଗୁରୁତ୍ବ ଦେଉଛନ୍ତି । ଗତବର୍ଷ ଫେବୃଆରୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟରୁ ଦୁର୍ନୀତି ମୁକ୍ତ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ । ସେ କହିଥିଲେ କଂଗ୍ରେସ ଏବଂ ଜେଡିଏସ ଦଳ କେବେ ଲୋକଙ୍କ ହିତରେ କାମ କରନ୍ତି ନାହିଁ ।