ପାଟନା: କୋରୋନାର କରାଳ ଛାୟାରେ ରହିଛି ଦେଶ । ପ୍ରତିଦିନ ହୁ ହୁ ହୋଇ ବଢିଚାଲିଛି ସଂକ୍ରମଣ । ଏହାରି ମଧ୍ୟରେ ବିହାରର ରାଜଧାନୀ ପାଟନା ଅଞ୍ଚଳରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । କୋରୋନାରେ ପିତାର ମୃତ୍ୟୁ ପରେ ଅବୋଧ 8 ବର୍ଷର ଝିଅ ମୃତଦେହ ସହ ବିତାଇଛି 2 ଦିନ । ପିତା ଶୋଇଥିବା ଭାବି ମୋବାଇଲରେ ଖେଳୁଥିଲା ଗେମ । ହେଲେ ପରେ ଭିଡିଓ କଲରୁ ଜଣାପଡିଥିଲା ବ୍ୟକ୍ତିଙ୍କ ମୃତ୍ୟୁ ସମ୍ପର୍କରେ । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ତେବେ କିପରି ଥିଲା ଏହି ଘଟଣା:-
କୋରୋନାରେ ଆକ୍ରାନ୍ତ ହୋଇ ବ୍ୟକ୍ତିଙ୍କ ଚାଲିଯାଇଥିଲା ଜୀବନ । ହେଲେ 8 ବର୍ଷର ଅବୋଧ ଶିଶୁ ଏ ବିଷୟରେ ବା କିପରି ଜାଣିବ । ସେ ସାଧାରଣ ଦିନ ପରି ତା' ବାପାଙ୍କ ନିକଟରେ ଶୋଇବା ସହ ବିତାଇଥିଲା 2 ଦିନ । ରାତିସାରା ବାପାଙ୍କ ମୃତଦେହ ନିକଟରେ ଶୋଇଥିଲା ଶିଶୁ । ସକାଳ ହେବା ପରେ ବିସ୍କୁଟ ଖାଇ ବାପାଙ୍କ ମୋବାଇଲରେ ଖେଳିଥିଲା ଗେମ । ହେଲେ ମୃତ ବ୍ୟକ୍ତିଙ୍କ ବନ୍ଧୁମାନେ ଫୋନ କରିବା ପରେ ଶିଶୁଟି ଫୋନ ଉଠାଇ ବାପା ଶୋଇଥିବା କହିଥିଲା । ତେବେ ମୃତ ବ୍ୟକ୍ତିଙ୍କ ବନ୍ଧୁଙ୍କ ମନରେ ସନ୍ଦେହ ଜାତ ହେବା ପରେ ସେମାନେ କରିଥିଲେ ଭିଡ଼ିଓ କଲ । ଏହାପରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ସାରିଥିବା ସେମାନେ ଜାଣିବାକୁ ପାଇବା ପରେ ପ୍ରଶାସନକୁ ସୂଚନା ଦେଇଥିଲେ ।
ଏହାପରେ ପ୍ରଶାସନ ବ୍ୟକ୍ତିଙ୍କ ମୃତଦେହର ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି । ମୃତ ବ୍ୟକ୍ତି ପ୍ରଭାତ କୁମାର ବୋଲି ଜଣାପଡିଥିବା ବେଳେ ତାଙ୍କ ବୟସ ପ୍ରାୟ 45 ହେବ ବୋଲି ପୋଲିସ ସୂଚନା ଦେଇଛି । ତେବେ ପ୍ରଭାତ ନିଜ 8 ବର୍ଷର ଝିଅ ସହିତ ରାମକୃଷ୍ଣ ନଗର ରୋଡ ନମ୍ବର 5 ନିକଟରେ ଭଡାଘରେ ରହୁଥିଲେ । ପ୍ରଭାତଙ୍କ ପତ୍ନୀ ଦାମ୍ପତ୍ୟ ମନୋମାଳିନ୍ୟ କାରଣରୁ ଅଲଗା ରହୁଥିଲେ । ପ୍ରଭାତ ଏକ ହାର୍ଡୱେୟାର ଦୋକାନ କରି ରୋଜଗାର କରୁଥିଲେ ବୋଲି ଜଣାପଡିଥିବା ବେଳେ ଝିଅଟିର କୋରୋନୋ ଟେଷ୍ଟ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ