ଗାନ୍ଧୀନଗର: ଗୁଜୁରାଟ ଗାନ୍ଧୀନଗର ନିକଟ ରୁପାଲ ଗ୍ରାମରେ ମାଆ ବୀରଦାୟିନୀ ମନ୍ଦିର ରହିଛି । ନବରାତ୍ରୀରେ ଏଠାରେ ବିଶାଳ ପୂଜା ହେଉଥିବା ବେଳେ ଅନେକ ଶ୍ରଦ୍ଧାଳୁ ସାମିଲ ହୁଅନ୍ତି । ଏବେ ଏହି ମନ୍ଦିରକୁ ନେଇ ସବୁଠି ଚର୍ଚ୍ଚା । ଆମେରିକା ମୁଦ୍ରା ୧୧ ହଜାର ୫୦୦ ଡଲାରରେ ମନ୍ଦିରକୁ ଏପରି ସଜା ଯାଇଛି ଯେ ମନ୍ଦିରର ଆକର୍ଷଣ ଦ୍ବିଗୁଣିତ ହୋଇଛି । ଶ୍ରଦ୍ଧାଳୁ ମନ୍ଦିରକୁ ଦାନ କରିଥିବା ଏହି ଟଙ୍କାରେ ମା'ଙ୍କୁ ସଜ୍ଜିତ କରାଯାଇଛି ।

ଭାରତୀୟ ମୁଦ୍ରାରେ ଏହି ୧୧ ହଜାର ୫୦୦ ଡଲାରର ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ପୂର୍ଣ୍ଣିମା ଅବସରରେ ଏହି ଦାନ ଅର୍ଥକୁ ମା'ଙ୍କ ସଜ୍ଜିତ କାର୍ଯ୍ୟରେ ବ୍ୟବହାର କରାଯାଇଛି । ମନ୍ଦିର ପରିଚାଳନା କମିଟିର ସୂଚନା ଅନୁସାରେ ଏହି ଅର୍ଥ ଦାନ କରିଥିବା ଶ୍ରଦ୍ଧାଳୁଙ୍କ ସମ୍ପର୍କରେ କୌଣସି ପରିଚୟ ମିଳିନାହିଁ । ଏହି ମନ୍ଦିରକୁ ଆସୁଥିବା ଦାନ ଅର୍ଥକୁ ମନ୍ଦିରର ବିକାଶ କାର୍ଯ୍ୟରେ ଲଗାଯାଏ ବୋଲି କମିଟି କହିଛି ।

ସୂଚନା ଥାଉ କି ନବରାତ୍ରୀ ଅବସରରେ ଏହି ମନ୍ଦିରରେ ମା' ବୀରଦାୟିନୀଙ୍କ ନିକଟରେ ସ୍ବତନ୍ତ୍ର ପୂଜାର ଆୟୋଜନ କରାଯାଏ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି । ସ୍ଥାନୀୟ ଅଞ୍ଚଳରୁ ଧୁମଧାମରେ ମନ୍ଦିରରେ ନବରାତ୍ରୀର ପୂଜାର୍ଚ୍ଚନା କରାଯାଏ ବୋଲି ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ