ମୁମ୍ବାଇ: ବିଶ୍ବର ସର୍ବବୃହତ ଟିକାକରଣ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବା ପରେ ଏହାକୁ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ମହାରାଷ୍ଟ୍ର ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା । କୋଭିଡ ଭାଇରସ ଆକୃତିର ଏକ ରାବଣର କୁଶପୁତ୍ତଳିକା ଦାହ କରି ନିଆରା ଢଙ୍ଗରେ ବିଜୟ ଦିବସ ପାଳନ କରିଛନ୍ତି ଏମାନେ । ଏହାକୁ କୋରୋନା ଭାଇରସର ରାବଣ ବୋଲି କୁହାଯାଉଛି । କୋରୋନା ରାବଣର କୁଶପୁତ୍ତଳିକା ଦାହ କରିବା ସହ ବାଣ ଫୁଟାଇ ଖୁସି ମନାଇବା ସହ ଆନନ୍ଦରେ ନାଚୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାନକୁ ଶୁଭାରମ୍ଭ କରିଥିବାବେଳେ ସାରା ଦେଶରେ ଟିକା ପ୍ରଦାନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରତି ରାଜ୍ୟରେ ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ପ୍ରାଥମିକତା ଆଧାରରେ ଟିକା ଦିଆଯାଉଛି । ଦେଶରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ଟିକାକରଣରେ ପ୍ରାୟ 3 କୋଟି ଆଗଧାଡିର ଯୋଦ୍ଧାଙ୍କୁ ଏହି ଟିକା ପ୍ରଦାନ କରାଯିବ । ଏହି ଆଗ ଧାଡିର ଯୋଦ୍ଧାମାନଙ୍କ ମଧ୍ୟରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସଫେଇ କର୍ମୀମାନେ ପଞ୍ଜିକୃତ ହୋଇଛନ୍ତି ।
ସେହିପରି ପରବର୍ତ୍ତୀ ସମୟରେ 2ୟ ପର୍ଯ୍ୟାୟରେ ବରିଷ୍ଠ ନାଗରିକ ଓ ଅନ୍ୟ ରୋଗରେ ପୀଡିତ ଥିବା ବ୍ୟକ୍ତି ବିଶେଷଙ୍କୁ ଟିକା ପ୍ରଦାନ କରିବାର ଯୋଜନା ରଖିଛନ୍ତି ସରକାର । ତେବେ ଆଜିର ଏ ଟିକାକରଣର ଆରମ୍ଭକୁ ନେଇ ଦେଶବ୍ୟାପୀ ଖୁସିର ଲହରୀ ଦେଖାଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ