ନୂଆଦିଲ୍ଲୀ: ରାଞ୍ଚି ବିମାନ ବନ୍ଦରରେ ଜଣେ ଭିନ୍ନକ୍ଷମ ନାବାଳକଙ୍କୁ ବୋର୍ଡିଂ ବେଳେ ବାରଣ କରିବା ଓ ସଠିକ ବ୍ୟବହାର ପ୍ରଦର୍ଶନ ନକରିବା ଘଟଣାରେ ବିମାନ ସେବା ପ୍ରଦାନକାରୀ ସଂସ୍ଥା IndiGo ର ଅଡୁଆ ବଢିବାରେ ଲାଗିଛି । ବିମାନ ସଂସ୍ଥାର କର୍ମଚାରୀ ସଠିକ ନିୟନ ଅନୁପାଳନ କରିନଥିବା ତଦନ୍ତରୁ ସ୍ପଷ୍ଟ ହେବା ପରେ IndiGo କୁ କାରଣ ଦର୍ଶଅ ନୋଟିସ ଜାରି କରିଛି ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ (DGCA) ।
ଚଳିତ ମାସ 7 ତାରିଖରେ ରାଞ୍ଚି ବିମାନବନ୍ଦରରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଭିନ୍ନକ୍ଷମ ନାବାଳକ ନିଜ ପିତାମାତାଙ୍କ ସହ ହାଇଦ୍ରାବାଦ ଯାତ୍ରା କରୁଥିବାବେଳେ ବିମାନରେ ବୋର୍ଡିଂ ସମୟରେ ତାଙ୍କୁ ବାରଣ କରିଥିଲେ ବିମାନ କ୍ର୍ୟୁ ସଦସ୍ୟ । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିମାନ କମ୍ପାନୀ ପ୍ରତି ଚାପ ବଢିବାରେ ଲାଗିଥିଲା ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ବିମାନ କମ୍ପାନୀ କର୍ତ୍ତୁପକ୍ଷ ମଧ୍ୟ ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା କରିଥିଲେ । DGCA ତଦନ୍ତରୁ କମ୍ପାନୀ କର୍ତ୍ତୁପକ୍ଷଙ୍କ ଅବହେଳା ସାମ୍ନାକୁ ଆସିବା ପରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ