ନୂଆଦିଲ୍ଲୀ: ବଲିଉଡ ଅଭିନେତା ଓ ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଆକଷ୍ମିକ ମୃତ୍ୟୁର ତଦନ୍ତ ଆରମ୍ଭ କରିଛି ପୋଲିସ । ଦିଲ୍ଲୀ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ସମ୍ପୂର୍ଣ୍ଣ ସୁସ୍ଥ ଥିବା ଓ ହୋଲି ପାଳନରେ ମଧ୍ୟ ସାମିଲ ହୋଇଥିବା ସତୀଶ ହଠାତ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା । ସତୀଶ ଶେଷ ମୁହୂର୍ତ୍ତରେ କେଉଁ ବନ୍ଧୁ ଓ ସହଯୋଗୀମାନଙ୍କ ସହ ସମୟ ବିତାଇଥିଲେ ସେମାନଙ୍କ ସହ ସମ୍ପର୍କ କରିବା ପାଇଁ ପୋଲିସ୍ ଚେଷ୍ଟା କରୁଛି ।
ସତୀଶ ଅସୁସ୍ଥ ହୋଇପଡିବା ପରେ ତାଙ୍କୁ ଗୁରୁଗ୍ରାମର ଫୋର୍ଟିଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କେଉଁ ଅବସ୍ଥାରେ ଓ ତାଙ୍କୁ କେଉଁମାନେ ଭର୍ତ୍ତି କରିଥିଲେ । ସେତେବେଳେ ତାଙ୍କ ନିକଟରେ କ’ଣ ସମସ୍ୟା ଥିଲା । ତାଙ୍କ ଚିକିତ୍ସା କିପରି ଆରମ୍ଭ କରାଯାଇଥିଲା ସେ ନେଇ ପୋଲିସ ସୂଚନା ସଂଗ୍ରହ କରିବା ପାଇଁ ସମ୍ପର୍କୀୟ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରୁଛି । ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦିଲ୍ଲୀର ହରିନଗର ସ୍ଥିତ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର ମଧ୍ୟ କରାଯାଇଛି । ଅନ୍ୟପଟେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୂସାରେ ତାଙ୍କ ମୃତ୍ୟୁ ନେଇ କୌଣସି ଅଭିଯୋଗ ହୋଇନି । ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବଲିଉଡ ଏହି ଆଗଧାଡିର ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗତ ରାତିରେ 66 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା । ତାଙ୍କ ଦୀର୍ଘ ଦଶନ୍ଧିର ସହଯୋଗୀ ତଥା ବନ୍ଧୁ ଅଭିନେତା ଅନୁପମ ଖେରଙ୍କ ସମେତ ଅନେକ ବିଶିଷ୍ଟ ବଲିଉଡ କଳାକର ଓ ଅନ୍ୟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:- Actor Satish Kaushik Passes Away: ବରିଷ୍ଠ ବଲିଉଡ ଅଭିନେତା ସତୀଶ କୌଶିକଙ୍କ ଦେହାନ୍ତ
1965 ମସିହା ଏପ୍ରିଲ 13 ତାରିଖରେ ହରିୟାଣାରେ ଜନ୍ମଗ୍ରହଣ କରିଥିଲେ ସତୀଶ । ସେ ପ୍ରଥମେ ଜାତୀୟ ନାଟ୍ୟ ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିବା ପରେ ଥିଏଟରରେ ଅଭିନୟ କରିଥିଲେ । ପରେ ସେ ବଲିଉଡ ମାଧ୍ୟମରେ ରୁପେଲି ପରଦାରେ ନିଜ ଭାଗ୍ୟ ପରୀକ୍ଷା ଦେଇଥିଲେ । ସେ ବଲିଉଡରେ ଜଣେ ସଫଳ ଅଭିନେତା ହୋଇପାରିଥିଲେ । ସତୀଶ ଥିଲେ ଏକାଧାରାରେ ବଲିଉଡରେ ଜଣେ ହାସ୍ୟ ଅଭିନେତା, ସ୍କ୍ରିନ ରାଇଟର୍ ଏବଂ ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକ ।
ସତୀଶ କୌଶିକଙ୍କ ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ଥିଲା 1993ରେ ନିର୍ମିତ ଶ୍ରୀଦେବୀଙ୍କ ଅଭିନୀତ ‘ରୂପ କି ରାନୀ ଚୋରୋଁ କା ରାଜା’ । 1987 ମସିହାରେ ସୁପର ହିରୋ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ରେ କ୍ୟାଲେଣ୍ଡର ଚରିତ୍ରରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ସେହିପରି 1997 ରେ ଦିଓ୍ବାନା ମସ୍ତାନାରେ ସେ ପପୁ ପେଜର ଓ 2007 ରେ ସାରା ଗାଭରୋନଙ୍କ ନିର୍ଦ୍ଦେଶିତ ବ୍ରିଟିଶ୍ ଚଳଚ୍ଚିତ୍ର ବ୍ରିକ୍ ଲେନ୍ ରେ ଚାନୁ ଅହମ୍ମଦ ଭାବରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ଏହାପରେ 1990 ମସିହାରେ ଫିଲ୍ମ ଫେୟାରରେ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ । 1985 ମସିହାରେ ସେ ଶାସି କୌଶିକଙ୍କୁ ବିବାହ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ