ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସୋସିଦିଆଙ୍କ ବିଚାର ବିଭାଗୀୟ ହାଜତ ଅବଧି ଆଉ 14 ଦିନ ଅର୍ଥାତ ଏପ୍ରିଲ 3 ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଆଜି ପ୍ରଥମ ପର୍ଯ୍ୟାୟ ବିଚାର ବିଭାଗୀୟ ହାଜତ ଅବଧି ସରିବା ପରେ ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟ ଏହି ଅବଧିକୁ ପୁଣି ଆଉ 14 ଦିନ ଅର୍ଥାତ ଏପ୍ରିଲ 3 ତାରିଖ ଯାଏ ବୃଦ୍ଧି କରିଛନ୍ତି । ଅନ୍ୟପଟେ ଆସନ୍ତାକାଲି (ମଙ୍ଗଳବାର) ସିସୋଦିଆଙ୍କ ବେଲ ଆବେଦନର ଶୁଣାଣି ହେବ ।
ପ୍ରଥମେ ସିବିଆଇ ଦ୍ବାରା ଗିରଫ ହୋଇ କୋର୍ଟ ଚାଲାଣ ହେବା ପରେ ଜେଲ୍ ଯାଇଥିଲେ ସିସୋଦିଆ । ପରେ ଏହି ମାମଲାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଜେଲ୍ରେ ଗିରଫ କରିଥିଲା । ଏବେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଷ୍ଟଡିରେ ଥିବା ବେଳେ ଭର୍ଚ୍ଚୁଆଲ ମାଧ୍ୟମରେ କୋର୍ଟରେ ହାଜର ହୋଇଛନ୍ତି । ଆଜି ସ୍ବତନ୍ତ୍ର ବିଚାରପତି ଏମ.କେ ନାଗପାଲ ଏହି ମାମଲାରେ ଶୁଣାଣି କରି ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି ଆଉ 14 ଦିନ ବଢାଇଛନ୍ତି ।
ମାର୍ଚ୍ଚ 22 ପର୍ଯ୍ୟନ୍ତ ସିସୋଦିଆ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଷ୍ଟଡିରେ ରହିବେ । ଜେଲ୍ ଭିତରେ ତାଙ୍କୁ ଇଡି ଅଧିକାରୀ ଜେରା କରୁଛନ୍ତି । ଆଜି ତାଙ୍କର ପୂର୍ବ ମାମଲାରେ ନ୍ୟାୟିକ ହାଜତ ଅବଧି ଶେଷ ହେବା ପରେ ତାଙ୍କୁ ଭର୍ଚ୍ଚୁଆଲ ମାଧ୍ୟମରେ କୋର୍ଟରେ ହାଜର କରିଥିଲା ସିବିଆଇ । ହେଲେ ଆଜି ମଧ୍ୟ ସିସୋଦିଆଙ୍କୁ ଆଉ 14 ଦିନ ନ୍ୟାୟିକ ହାଜତରେ ପଠାଯାଇଛି ।
ଗତମାସ 26 ତାରିଖରେ ତାଙ୍କୁ ଗିରଫ କରାଯିବା ପରେ 27ରେ କୋର୍ଟରେ ହାଜର କରିଥିଲା CBI । 51 ବର୍ଷୀୟ ସିସୋଦିଆଙ୍କୁ ଦିଲ୍ଲୀରେ ନୂତନ ଅବକାରୀ ନୀତି କାର୍ଯ୍ୟକାରୀ କରିବାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ଗିରଫ କରିଥିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ତାଙ୍କ ବାସଭବନରେ ଚଢାଉ କରି ସାରିଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା । ହେଲେ ଫେବୃଆରୀ 26ରେ ତାଙ୍କୁ ସମନ ଜାରି କରି ଜେରା ପାଇଁ ଡାକିଥିଲା CBI । ଦିନ ତମାମ ଜେରା କରିବା ପରେ ସଂଧ୍ୟାରେ ଗିରଫ କରିଥିଲା କେନ୍ଦ୍ରୀୟ ସଂସ୍ଥା ।
ମାମଲାରେ ପ୍ରମାଣ ନଷ୍ଟ କରିବା ଓ ଜେରା ବେଳେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ ନକରିବା ପରି ଅଭିଯୋଗରେ ଗିରଫଦାରୀ ହୋଇଥିବା CBI କହିଥିଲା । ଘଟଣାରେ ଅଧିକ ଜେରାର ଆବଶ୍ୟକତା ଥିବା ଦର୍ଶାଇ ସିବିଆଇ ଦୁଇଟି ପର୍ଯ୍ୟାୟରେ ମୋଟ 7 ଦିନ ଧରି ସିସୋଦିଆଙ୍କୁ ଜେରା କରି ସାରିଛି । ଦିତ୍ବୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ 20 ତାରିଖ (ଆଜି) ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଆଜି ଉକ୍ତ ଅବଧିକୁ ଆଉ 14 ଦିନ ବଢାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ