ହାଇଦ୍ରାବାଦ: ଆଜି ପବିତ୍ର ରାମ ନବମୀ । ଭଗବାନ ଶ୍ରୀରାମଙ୍କ ଜନ୍ମଦିନ । ଆଜିର ଦିନରେ ପାପର କ୍ଷୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ । ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ରାମନବମୀ ପାଳିତ ହୁଏ ପ୍ରଭୁ ରାମ ଥିଲେ ଧର୍ମର ପ୍ରତୀକ । ବିଶ୍ୱରେ ଧର୍ମ ଓ ଏକତାର କରିଥିଲେ ସ୍ଥାପନା । ଧର୍ମଶାସ୍ତ୍ର ଅନୁଯାୟୀ, ଚୈତ୍ର ମାସରେ ପଡୁଥିବା ରାମ ନବମୀ ପୃଥିବୀରେ ପରମାତ୍ମାଙ୍କ ଶକ୍ତିର ପ୍ରତୀକ । ଶ୍ରୀ ରାମଙ୍କ ଜନ୍ମ ଦୁଷ୍ଟ ରାବଣର ବଧ ନିମନ୍ତେ ହୋଇଥିଲା । ସେଥିପାଇଁ ରାମ ନବମୀ ଉତ୍ସବ ଧର୍ମ, ଶକ୍ତିର ମହିମା, ଭଲ ଓ ଖରାପ ମଧ୍ୟରେ ସଂଘର୍ଷକୁ ଦର୍ଶାଇଥାଏ । ହିନ୍ଦୁଙ୍କ ପାଇଁ ଏହି ପର୍ବର ମହତ୍ତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ ନେଇ ସାରା ଦେଶ ଉତ୍ସବମୁଖର । ସବୁଆଡେ ଭକ୍ତି ଭାବର ମାହୋଲ ଦେଖିବାକୁ ମିଳୁଛି । ରାମନାମ ଧ୍ବନିରେ ଚତୁର୍ଦ୍ଦିଗ କମ୍ପି ଉଠୁଛି ।
ଚାଲନ୍ତୁ ଜାଣିବା ରାମନବମୀର ଶୁଭ ମୂହୁର୍ତ୍ତ, ପୂଜା ବିଧି ଓ ମହତ୍ତ୍ବ
ରାମନବମୀ ପୂଜା ମୂହୁର୍ତ୍ତ:
- ନବମୀ ତିଥି ପ୍ରାରମ୍ଭ: ୧୦ ଅପ୍ରେଲ ବିଳମ୍ବିତ ରାତ୍ର ୧.୩୨ ମିନିଟ୍ରୁ ଆରମ୍ଭ
- ନବମୀ ତିଥି ସମାପ୍ତ: ୧୧ ଅପ୍ରେଲ ପ୍ରାତଃ ୩.୧୫ମିନିଟ୍ ପର୍ଯ୍ୟନ୍ତ
- ପୂଜା ମୂହୁର୍ତ୍ତ: ୧୦ ଅପ୍ରେଲ ସକାଳ ୧୧.୧୦ ମିନିଟ୍ରୁ ୧.୩୨ ମିନିଟ୍ ପର୍ଯ୍ୟନ୍ତ
କେମିତି କରିବେ ପୂଜା:
- ପ୍ରାତଃ ସକାଳୁ ଶୀଘ୍ର ଉଠି ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରନ୍ତୁ ।
- ପୂଜାସ୍ଥଳକୁ ଶୁଦ୍ଧ କରିବା ପରେ ପୂଜା ଆରମ୍ଭ କରନ୍ତୁ ।
- ହାତରେ କୁଶବଟୁ ପିନ୍ଧି ବ୍ରତର ସଂକଳ୍ପ ନିଅନ୍ତୁ ।
- ପ୍ରଭୁ ରାମଙ୍କ ପୂଜା ଆରମ୍ଭ କରନ୍ତୁ ।
- ପୂଜାରେ ଗଙ୍ଗାଜଳ, ପୁଷ୍ପ, ଫଳ, ମିଷ୍ଟାନ ଆଦି ଅର୍ପଣ କରନ୍ତୁ ।
- ରୋଲି, ଚନ୍ଦନ, ଧୂପ, ଦୀପ ଆଦିରେ ଷୋଡଶ ଉପଚାର ପୂଜନ କରନ୍ତୁ ।
- ତୁଳସୀ ପତ୍ର ଓ ପଦ୍ମ ଫୁଲ ପ୍ରଭୁ ରାମଙ୍କୁ ଅର୍ପିତ କରନ୍ତୁ ।
- ପୂଜା କରିବା ପରେ ରାମଚରିତମାନସ, ରାମାୟଣ ଓ ରାମ ରକ୍ଷା ସ୍ରୋତ ଆଦି ପାଠ କରନ୍ତୁ ।
- ପୂଜା ସମାପନ ପୂର୍ବରୁ ପ୍ରଭୁ ରାମଙ୍କ ଆଳତୀ କରନ୍ତୁ ।
ରାମନବମୀ ବ୍ରତର ମହତ୍ତ୍ବ:
ଅଯୋଧ୍ୟା ନରେଶ ରାଜା ଦଶରଥ ଓ ରାଣୀ କୌଶଲ୍ୟାଙ୍କ ପୁତ୍ର ତଥା ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାରକୁ ଭଗବାନ ରାମଙ୍କ ଜନ୍ମ ଦିବସ ଭାବରେ ପାଳନ କରାଯାଏ । ଏହି ଶୁଭ ମୂହୁର୍ତ୍ତକୁ ଭକ୍ତମାନେ ରାମନବମୀ ରୂପେ ପାଳନ କରିଥାନ୍ତି । ପବିତ୍ର ନଦୀରେ ସ୍ନାନ କରି ପୂଣ୍ୟର ଭାଗିଦାରୀ ହୋଇଥାନ୍ତି । ଭଗବାନ ଶିବଙ୍କ ଉପାସକମାନେ ମଧ୍ୟ ଏହି ପବିତ୍ର ପର୍ବକୁ ବ୍ୟାପକ ରୂପେ ମନାଇଥାନ୍ତି । ମାନ୍ୟତା ଅଛି ଯେ, ରାମ ନବମୀ ଦିନ ଭଗବାନ ରାମ ଓ ମା' ଭଗବତୀଙ୍କ ବିଧିବଦ୍ଧ ପୂଜାର୍ଚ୍ଚନା କରିବା ଦ୍ବାରା ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ । ଏବଂ ସମସ୍ତ ପ୍ରକାର କଷ୍ଟରୁ ମୁକ୍ତି ମିଳିଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ