ଚଣ୍ଡିଗଡ଼: ହରିୟାଣାର ରେୱାଡି ସହରରେ ଦେଖିବାକୁ ମିଳିଛି ଏକ ନିନ୍ଦନୀୟ ତଥା ଅମାନବୀୟ କାଣ୍ଡ । ଜଣେ ଅନୁସୂଚିତ ଜାତିର ଯୁବକଙ୍କ ଉପରେ କିଛି ଦୁର୍ବୃତ୍ତ ଅତ୍ୟାଚାର କରିଛନ୍ତି । ଉକ୍ତ ଯୁବକଙ୍କୁ ମାଡ଼ ମାରିବା ସହିତ ମଦ୍ୟପରେ ମୂତ୍ର ମିଶାଇ ସେବନ କରିବାକୁ ବାଧ୍ୟ କରିଥିଲେ । ଏହାପରେ ହାତଗୋଡ଼ ବାନ୍ଧି ୧୦ ହଜାର ଟଙ୍କା ଛଡାଇ ନେଇଯାଇଥିଲେ । ଏଭଳି ଏକ ଘୃଣ୍ୟ ଘଟଣାର ଶିକାର ହେବା ପରେ ଯୁବକ ଜଣକ ସ୍ଥାନୀୟ ବାୱଲ ଥାନାରେ ୨ ଜଣ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡ଼ିଛି ।
ପୋଲିସ ନିକଟରେ ପୀଡିତ ଦଳିତ ଯୁବକଙ୍କ ଅଭିଯୋଗ ମୁତାବକ, ୨ ଅଭିଯୁକ୍ତଙ୍କ ମଧ୍ୟରୁ ରୋହିତ ନାମକ ଜଣେ ଯୁବକ ପୂର୍ବରୁ ହିଁ ମଦ୍ୟପ ସେବନ କରୁଥିଲା । ଦଳିତ ଯୁବକ ମୋନୁ ସେହି ବାଟ ଦେଇ ଯିବା ସମୟରେ ୨ ଜଣ ଅଭିଯୁକ୍ତ ରୋହିତ ଓ ତୁଷାର ତାଙ୍କୁ ମଦ୍ୟ ପିଇବାକୁ ବାଧ୍ୟ କରିଥିଲେ । ହେଲେ ମୋନୁ ଏଥିଲାଗି ମନା କରିବା ପରେ ସେମାନେ ମୋନୁର ହାତକୁ ପ୍ରଥମେ ଗାମୁଛାରେ ବାନ୍ଧି ଦେଇଥିଲେ । ଏହାପରେ ମଦ୍ୟରେ ମୂତ୍ର ମିଶାଇଥିଲେ ଏବଂ ଜୋର ଜବରଦସ୍ତ ମୋନୁଙ୍କୁ ପିଆଇଥିଲେ । ଏହାପରେ ଅଭିଯୁକ୍ତ ୨ ଜଣ ପୀଡିତକୁ ମାଡ ମାରି ୧୦ ହଜାର ଟଙ୍କା ଓ ମୋବାଇଲ ଫୋନ ଛଡାଇ ନେଇଥିବା ଅଭିଯୋଗ କରିଛନ୍ତି ମୋନୁ ।
ଭୈରମପୁର ଭଡଙ୍ଗୀ ଗାଁର ମୋନୁ ଶୁକ୍ରବାର ଫୋନ କିଣିବା ପାଇଁ ଯାଉଥିବା ବେଳେ ଗାଁର ଯୁବକ ତୁଷାର ହାବୁଡରେ ପଡିବା ପରେ ଏପରି ଘଟଣାର ଶିକାର ହୋଇଥିଲେ । ପ୍ରଥମେ ଅଭିଯୁକ୍ତ ତୁଷାର ତାଙ୍କ ସହିତ କିଛି ସମୟ କଥାବାର୍ତ୍ତା କରିବା ପାଇଁ କହିଥିଲା । ଏହାପରେ ତୁଷାର ଗାଁର ଏକ ପଡିଆକୁ ନେଇ ଏପରି କାଣ୍ଡ ଘଟାଇଥିଲା । ପୋଲିସର କହିବାନୁସାରେ ଏହି ଘଟଣା ସମ୍ପର୍କରେ ଅନ୍ୟ କାହାକୁ କହିଲେ ସେ ମୋନୁଙ୍କୁ ଜୀବନରୁ ମାରି ଦେବେ ବୋଲି ଧମକ ଦେଇଥିଲେ । ହେଲେ ମୋନୁ ଏ ସମ୍ପର୍କରେ ନିଜ ପରିବାର ଲୋକଙ୍କୁ ପ୍ରଥମେ ଅବଗତ କରାଇଥିଲେ ।
ଏହାପରେ ମୋନୁଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବାୱଲ ହସ୍ପିଟାଲ ଓ ପରେ ରେୱାଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ପରିବାର ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ପୋଲିସ SC/ST ଆକ୍ଟ, ସ୍ନାଚିଂ, ଧମକ ଧାରା ଅନୁସାରେ ମାମଲା ରୁଜୁ କରିଛି । ଏହାସହିତ ଅଭିଯୁକ୍ତଙ୍କୁ ଖୋଜିବା ସହ ଘଟଣାରେ ଅଧିତ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ