ଡେରାଡୁନ: ଆଜି ଠାରୁ ଦୁଇ ଦିନିଆ ଜମ୍ମୁ ଓ ଲଦାଖ ଗସ୍ତରେ ବାହାରିଛନ୍ତି ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା । ତେବେ ସେ ବର୍ତ୍ତମାନ ହିମାଚଳ ପ୍ରଦେଶର ଧର୍ମଶାଳାରେ ଅବସ୍ଥାନ କରୁଥିବା ବେଳେ କୋଭିଡ ସଂକ୍ରମଣ ଆରମ୍ଭ ହେବା ପରଠାରୁ ଏହା ତାଙ୍କର ରାଜ୍ୟ ବାହାରକୁ ପ୍ରଥମ ଗସ୍ତ ହେବାକୁ ଯାଉଛି ।
ଆଉ ମାତ୍ର 3 ଦିନ ପରେ ଭାରତ-ଚୀନ ସୀମା ବିବାଦକୁ ନେଇ 16ତମ କମାଣ୍ଡର ସ୍ତରୀୟ ଆଲୋଚନା ହେବାକୁ ଯାଉଥିବା ବେଳେ ଆଜି ଜମ୍ମୁ ଓ ଲଦାଖ ଗସ୍ତ କରିବେ ଦଲାଇଲାମା । ତେବେ ଦଲାଇଲାମା ଏହି ଗସ୍ତରେ ଲଦାଖର ପ୍ରସିଦ୍ଧ ଠିକସେୟେ ମୋନାଷ୍ଟେରୀ (Thiksay monastery) ମଧ୍ୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ଚଳିତ ବର୍ଷ 87 ବର୍ଷ ବୟସରେ ପାଦ ଦେଇଛନ୍ତି । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ସହ ଫୋନରେ କଥା ହେବେ ସହ ଶୁଭେଚ୍ଛାରେ ତାଙ୍କ ଦୀର୍ଘ ଜୀବନ କାମନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଚୀନ ସମାଲୋଚନା କରିଥିଲା । ଭାରତ-ତିବ୍ବତ ସମ୍ପର୍କିତ ପ୍ରସଙ୍ଗ ମାଧ୍ୟମରେ ଚୀନର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନକରୁ ବୋଲି ବେଜିଂ କହିଥିଲା । ବେଜିଂର ଏପରି ହୀନ ମନ୍ତବ୍ୟକୁ କଡା ନିନ୍ଦା କରିଥିଲା ନୂଆଦିଲ୍ଲୀ । ଦଲାଇଲମା ଭାରତର ଅତିଥି ଓ ତାଙ୍କୁ ଆତିଥ୍ୟ ଦେବା ଭାରତର କର୍ତ୍ତବ୍ୟ ବୋଲି କହିଥିଲା ବୈଦେଶିକ ମନ୍ତ୍ରଣାଳୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ