ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟାର ରୂପ ନେଇଛି । ଏହା ଏବେ ଗୋଆର ପଶ୍ଚିମ ଦକ୍ଷିଣ ପଶ୍ଚିମ ଦିଗରୁ ପ୍ରାୟ ୮୯୦ କିଲୋମିଟର ଦୂରରେ ରହିଛି । ବାତ୍ୟା ବର୍ତ୍ତମାନ ଉତ୍ତର ଆଡକୁ ଗତି କରିଛି । ଏହା ଉତ୍ତର ଦିଗରେ ନିଜର ଗତିପଥ ବଜାୟ ରଖିବା ସହ ଆଗାମୀ 19 ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ କିଛି ସ୍ପଷ୍ଟ ହୋଇନି ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ବାତ୍ୟା ସମୟରେ ପବନର ଗତି ଘଣ୍ଟା ପ୍ରତି ୧୫୦ରୁ ୧୯୦ କିଲୋମିଟର ରହିବ । ଏହା ପ୍ରଭାବରେ ୮ରୁ ୧୦ ଜୁନ ମଧ୍ୟରେ ସମୁଦ୍ରରେ ଉଚ୍ଚ ଲହରୀ ଉଠିବାର ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ୫ ଦିନ ଯାଏଁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଗତକାଲି (ମଙ୍ଗଳବାର) ସକାଳେ କେନ୍ଦ୍ରୀୟ ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଥିଲା । ଆଜି ଏହି ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି । ଯାହାକି ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାର ପରିଣତ ହେବା ନେଇ ପୂର୍ବାନୁମାନ କରାଯାଉଛି ।
ବାତ୍ୟା କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଓ ଗୁଜୁରାଟ ଉପକୂଳ ଠାରୁ ବହୁତ ଦୂରକୁ ଯାଉଛି । କିନ୍ତୁ ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଜୋରରେ ପବନ ବହିବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ତେବେ ବାତ୍ୟା କେଉଁଠାରେ ସ୍ଥଳଭାଗ ଛୁଇଁବ ସେନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଏହା ପାକିସ୍ତାନରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।
ଅନ୍ୟପଟେ ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁପାରେ । କେରଳ ଉପରେ ମେଘ ସମୂହର ଘନତ୍ବ ବୃଦ୍ଧି ଓ ପଶ୍ଚିମ ବାୟୁର ସକ୍ରିୟତା ତଥା ବାୟୁ ମଣ୍ଡଳର ମଧ୍ୟଭାଗ ଯାଏଁ ବ୍ୟାପ୍ତି ସୂଚାଉଛି ଯେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଆଜି ଦିନ ୧୧ଟା ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।