ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ପୁଣି ସାମ୍ନାକୁ ଆସିଲା ହିଟ୍ ଆଣ୍ଡ ଡ୍ରାଗ୍ ମାମଲା । ରିକ୍ସା ଚାଳକୁ ଧକ୍କା ଦେଇ 200 ମିଟର ଘୋଷାଡି ନେଲା କାର । ଫଳରେ ରିକ୍ସା ଚାଳକ ଗୁରୁତର ରହିଥିବା ବେଳେ ତାଙ୍କୁ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଉକ୍ତ କାର ଚାଳକକୁ ଗିରଫ କରିଛି ପୋଲିସ ।
ଗତକାଲି(ମଙ୍ଗଳବାର) ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଥିଲା । ଫିରୋଜଶାହ ରୋଡରେ ଦ୍ରୁତ ଗତିରେ ଯାଉଥିବା ଏକ କାର ରିକ୍ସା ଚାଳକକୁ ଧକ୍କା ଦେଇଥିଲା । ଫଳରେ ରିକ୍ସା ଚାଳକ କାରର ବୋନେଟ ମଧ୍ୟରେ ଫସି ଯାଇଥିଲେ । କାର ଚାଳକ ତାଙ୍କୁ 200 ମିଟର ଘୋଷାଡି ନେଇଥିଲା । ଏହାପରେ ସ୍ଥାନୀୟ ଲୋକେ ଉକ୍ତ କାର ଚାଳକକୁ ଧରି ପୋଲିସକୁ ଖବର ଦେଇଥିଲେ । ଏହି କାର ଚାଳକ ଜଣକ ମୁରାଦନଗର ବାସୀ ଫରମାନ ବୋଲି ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଚାଳକ ଜଣକ ମଦ ପିଇ ଗାଡି ଚଲାଉ ଥିଲେ କି ନାହିଁ ଜଣାପଡିନାହିଁ ।
ଏହା ମଧ୍ୟ ପଢନ୍ତୁ: ସ୍କୁଟିକୁ ଧକ୍କା ଦେବାପରେ ୨ କିଲୋମିଟର ଘୋଷାଡି ନେଲା ଟ୍ରକ, ଜେଜେବାପା-ନାତି ମୃତ
ତେବେ ହିଟ୍ ଆଣ୍ଡ ଡ୍ରାଗ ମାମଲା ରାଜଧାନୀ ଦିଲ୍ଲୀରେ ବଢିବାରେ ଲାଗିଛି । ଚଳିତ ବର୍ଷ କଞ୍ଜାୱାଲା ହିଟ୍ ଆଣ୍ଡ ଡ୍ରାଗ ମାମଲାକୁ ନେଇ ସାରା ଦେଶରେ ଆଲୋଡନ ଖେଳି ଯାଇଥିଲା । ଯେଉଁଥିରେ ଅଞ୍ଜଳି ସିଂ ନାମକ ଜଣେ ଯୁବତୀଙ୍କୁ କାର ଧକ୍କା ଦେଇ କିଛି କିଲୋମିଟର ଘୋଷାଡି ନେଇଥିଲା । ଫଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । କାରରେ ଯୁବତୀ ଫସିଥିବା ଜାଣି ସୁଦ୍ଧା କାରକୁ ଅଟକାଇ ନଥିଲେ ଚାଳକ । ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
ସେହିପରି ଉତ୍ତର ପ୍ରଦେଶରୁ ଅନୁରୂପ ଘଟଣା ସାମ୍ନାକୁ ଆସିଥିଲା କିଛି ମାସ ତଳେ । ଏକ ଟ୍ରକ ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କା ଦେବା ସହ ୨ କିଲୋମିଟର ଯାଏଁ ଘୋଷାଡି ନେଇଥିଲା ଫଳରେ ଏଥିରେ ଜେଜେବାପା ଏବଂ ନାତିଙ୍କ ମୃତ୍ୟୁ ହୋଇଥିଲା । ଉତ୍ତରପ୍ରଦେଶର ମୋହବା ଅଞ୍ଚଳର ସାଗର ହାଇୱେ ନିକଟସ୍ଥ କବରାଇ ରୋଡ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ସବୁ ଘଟଣାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଥିଲେ ସୁଦ୍ଧା କିଛି ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏପରି ଘଟଣା ଘଟି ଯାଉଛି ।