ଭୁବନେଶ୍ବର: ପୋଲିସରେ ଥାଇ ବିଭାଗକୁ ବଦନାମ । ବେଆଇନ ବାର ଲିଙ୍କରେ ବଡ଼ କାର୍ଯାନୁଷ୍ଠାନ । ତମାଣ୍ଡୋର ହୋଟେଲ ସାଉଥସିଟି ଚଲାଇବା ଅଭିଯୋଗରେ ଚାକିରିରୁ ବିଦା ହେଲେ କନଷ୍ଟେବଳ ପ୍ରସନ୍ନ ବେହେରା । ସମ୍ବିଧାନର ଧାରା 311 (2) (ଖ) ଅନୁଯାୟୀ କ୍ଷମତା ପ୍ରୟୋଗ କରି ତୁରନ୍ତ ପ୍ରଭାବ ସହିତ ଓଡିଶା ପୋଲିସରୁ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ବରଖାସ୍ତ କରିଛନ୍ତି ଭୁବନେଶ୍ବର ଡିସିପି ।
ରେକର୍ଡ ଅନୁଯାୟୀ କନେଷ୍ଟବଳ ବେହେରାଙ୍କ ପାଖରେ 8ଟି ବିଭାଗୀୟ ପ୍ରକ୍ରିୟା ଏବଂ ବିଭିନ୍ନ ପର୍ଯ୍ୟାୟରେ ତାଙ୍କ ବିରୋଧରେ 5ଟି ଅପରାଧିକ ମାମଲା ରହିଥିଲା । ଏପରିକି ମନିଷ ମୃତ୍ୟୁ ମାମଲା ସାମ୍ନାକୁ ଆସିବା ପରେ ହୋଟେଲ ସାଉଥ୍ ସିଟିକୁ କନେଷ୍ଟବଳ ପ୍ରସନ୍ନ ବେହେରା ବେଆଇନ ଭାବେ ଚଲାଉଥିଲେ ବୋଲି ଜଣାପଡିଛି । ଯାହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ କର୍ତ୍ତୃପକ୍ଷ ତଦନ୍ତ କରି ପ୍ରଥମେ ନିଲମ୍ବନ ପରେ ଗିରଫ ସହ ଚାକିରିରୁ ବହିଷ୍କାର କରାଯାଇଛି । ପ୍ରସନ୍ନ ବେହେରା ହାବିଲଦାର ଓ କନଷ୍ଟେବଳ ମହାସଂଘର ସଭାପତି ଥିଲେ ।
![ବିବାଦିୟ ସାଉଥସିଟି ବାର ଲିଙ୍କ୍, ଚାକିରିରୁ ବିଦା ହେଲେ କନଷ୍ଟେବଳ ପ୍ରସନ୍ନ](https://etvbharatimages.akamaized.net/etvbharat/prod-images/od-bbs-02-bar-link-suspend-avo-7203832_24102021185214_2410f_1635081734_547.jpg)
ମନୀଷ ମୃତ୍ୟୁ ମାମଲାରେ ସାଉଥ୍ ସିଟି ବାରରେ ରେଡ କରିଥିଲା କମିଶନରେଟ ପୋଲିସ । ଏହି ସମୟରେ ବାର୍ ଭିତରୁ ବିଡ଼ାବିଡ଼ା ଟଙ୍କା, ବେଆଇନ ବିଦେଶୀ ମଦ ଓ ନିଶା ସାମଗ୍ରୀ ଜବତ ହୋଇଥିଲା । ବାର୍ ଚଳାଉଥିବା ପୋଲିସ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ବେଆଇନ ବାର ଚଲାଇବା ଲିଙ୍କରେ ତାଙ୍କୁ ଗିରଫ କରିଛି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ