ଚଣ୍ଡିଗଡ: ଭାରତ ଯୋଡ ଯାତ୍ରାରେ ଅଘଟଣ । ହୃଦଘାତରେ ଚାଲିଗଲେ ପଞ୍ଜାବ ସାଂସଦ ଚୌଧରୀ ସନ୍ତୋଖ ସିଂହ । ଆଜି(ଜାନୁଆରୀ 14)ରେ ଭାରତ ଯୋଡ ଯାତ୍ରା ସମୟରେ ହଠାତ୍ ତଳେ ପଡିଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା ପ୍ରତାପ ସିଂ ବାଜୱା।
ଖବର ଅନୁସାରେ, କେଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବାଧୀନ ଭାରତ ଯୋଡ ଯାତ୍ରା ପଞ୍ଜାବରେ ପହଞ୍ଚିଛି । ଏହି ଅବସରରେ ଆଜି(ଶନିବାର) ପଞ୍ଜାବର ଜଳନ୍ଧର ସାଂସଦ ଚୌଧରୀ ସନ୍ତୋଖ ସିଂହ ଯୋଗ ଦେଇଥିଲେ । ଏହି ସମୟରେ ସେ ହଠାତ୍ ଛାତି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଫାଗୱାରର ଡାକ୍ତରଖାନାକୁ ନିଆ ଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ହୃଦଘାତରେ ସନ୍ତୋଖ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଡାକ୍ତର । ମୃତ୍ୟୁ ବେଳକୁ ତାଙ୍କୁ 76 ବର୍ଷ ବୟସ ହୋଇଥିଲା ।
ତେବେ ସନ୍ତୋଖ 18 ଜୁନ 1946 ମସିହାରେ ଜଳନ୍ଧର ଧଲିୱାଲରେ ଜନ୍ମ ଗ୍ରହଣ କରିଥିଲେ । 2014ରେ ପ୍ରଥମ ଥର ପାଇଁ କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ପୁନର୍ବାର ଦ୍ବିତୀୟ ଥର ମଧ୍ୟ 2019ରେ ସାଂସଦ ହୋଇଥିଲେ ସନ୍ତୋଖ । ସେ ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଜଣେ ଓକିଲ ଥିଲେ । ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ମଧ୍ୟ ଅଛନ୍ତି ।
ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଭାରତ ଯୋଡ ଯାତ୍ରା ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ହରିୟାଣାରୁ ଯାତ୍ରା କରି ଆସିବା ପରେ ବୁଧବାର ପଞ୍ଜାବ ଫତେହଗଡ ସାହିର ସିରହିଣ୍ଡରୁ ଆରମ୍ଭ ହୋଇଥିଲା । ସେଠାରେ ଗୋଟିଏ ଦିନର ବିଶ୍ରାମ ପରେ ଆଜି ସକାଳେ ଲୁଧିଆନାର ଲଧୋୱାଲ ଟୋଲ ପ୍ଲାଜାରୁ ପୁନର୍ବାର ଆରମ୍ଭ ହୋଇଥିଲା । ଖବର ଅନୁସାରେ ସେପ୍ଟେମ୍ବର 7 ରେ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜାନୁଆରୀ 30 ସୁଦ୍ଧା ଶ୍ରୀନଗରରେ ଶେଷ ହେବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ଯାତ୍ରା ଶେଷ ପୂର୍ବରୁ ଜଣେ ସାଂସଦଙ୍କ ଜୀବନ ଯାତ୍ରା ଶେଷ ହୋଇଯିବା ଖବର ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।