ନୂଆଦିଲ୍ଲୀ: ଦେଶର 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ମଧ୍ୟରେ ପୁଣି ଦାନା ବାନ୍ଧୁଛି ରାଫେଲ ଝଡ । ଫ୍ରାନ୍ସ ମିଡିଆ ୱେବସାଇଟର ଏକ ରିପୋର୍ଟରେ ରାଫେଲ ଡିଲର ଖୁଲାସା ପରେ କଂଗ୍ରେସକୁ ମିଳିଛି ଟାର୍ଗେଟ କରିବାର ସୁଯୋଗ ।
ଫ୍ରାନ୍ସ ମିଡିଆର ଖୁଲାସା ପରେ ମୋଦି ସରକାରଙ୍କ ଉପରେ ପୁଣି ଟାର୍ଗେଟ କରିଛି କଂଗ୍ରେସ । ରାଫେଲ ଡିଲରେ ସତ୍ୟ ସାମ୍ନାକୁ ଆସିଥିବା କହିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜୱାଲା । ଏହାସହ ସୁରେଜୱାଲା କହିଛନ୍ତି ସରକାର ସିଏଜି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ କେହିବି ସ୍ପଷ୍ଟୀକରଣ ଦେଉନାହାଁନ୍ତି ଯେ ରାଫେଲ ବିମାନର ମୂଲ୍ୟ କେତେ ?
କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି, ରାଫେଲ ସହ 60 ହଜାର କୋଟି ମୂଲ୍ୟର ପ୍ରତିରକ୍ଷା ଚୁକ୍ତି ସମ୍ପର୍କିତ ମାମଲାରେ ସତ୍ୟ ପଦାକୁ ଆସିଛି। ଫ୍ରାନ୍ସର ଏକ ଏଜେନ୍ସି ପକ୍ଷରୁ ଏହା ପ୍ରକାଶ କରାଯାଇଛି । ଲାଞ୍ଚ ଏବଂ ବ୍ରୋକରଙ୍କ ମଧୁଚନ୍ଦ୍ରିକା ସାମ୍ନାରେ ରହିଛି । 60 ହଜାର କୋଟି ଟଙ୍କା ରାଫେଲ କିଣିବାକୁ ଘୋଷଣା କରାଯାଇଥିଲା । କୌଣସି ଟେଣ୍ଡର ବିନା କଦଳୀ ଏବଂ ଆପୁଲ କିଣିବା ଭଳି ଡିଲ କରାଯାଇଛି ।
ଫ୍ରାନ୍ସର ରିପୋର୍ଟ ଅନୁଯାୟୀ, ସୁରେଜୱାଲା ଅଭିଯୋଗ କରିଛନ୍ତି, ବ୍ରୋକରକୁ 1.1 ମିଲିଅନ ୟୁରୋ ଦିଆଯାଇଥିଲା । ତେବେ ବ୍ରୋକରକୁ ଦିଆଯାଇଥିବା କମିଶନ ପାଇଁ ଆଇନର ଅନୁମତି ଥିଲା କି ବୋଲି ପ୍ରଶ୍ନ କରିଛନ୍ତି ସୁରେଜୱାଲା ।
ଫ୍ରାନ୍ସର ମିଡିଆ ୱେବସାଇଟରେ ରାଫେଲ ଡିଲରେ ଦୁର୍ନୀତି ହୋଇଥିବା ନେଇ କରାଯାଇଛି ଦାବି । ଏହି ରିପୋର୍ଟରେ ଦାବି କରାଯାଇଛି, ଡିଲରେ ଦୁର୍ନୀତି ହୋଇଛି । ରିପୋର୍ଟ ଅନୁଯାୟୀ, ରାଫେଲ ଯୁଦ୍ଧ ବିମାନ ଡିଲରେ ଅନିୟମିତତାର ଖୁଲାସା ସର୍ବପ୍ରଥମେ 2016ରେ ଫ୍ରାନ୍ସର ଦୁର୍ନୀତି ନିବାରଣ ଏଜେନ୍ସି ଏଏଫଏ ଜରିଆରେ ସାମ୍ନାକୁ ଆସିଥିଲା ।
ଏଏଫଏ ଜାଣିବାକୁ ପାଇଲା ଯେ ରାଫେଲ ତିଆରି କରୁଥିବା କମ୍ପାନୀ ଦାସୋ ଆଭିଏସନ ବ୍ରୋକରକୁ 10 ମିଲିୟନ୍ ୟୁରୋ ଦେବାକୁ ରାଜି ହୋଇଥିଲା । ରିପୋର୍ଟ ଅନୁଯାୟୀ, ଅକ୍ଟୋବର 2018 ରେ ଫ୍ରାନ୍ସର ପବ୍ଲିକ ପ୍ରସିକ୍ୟୁସନ ଏଜେନ୍ସି ପିଏନଏଫ ରାଫେଲ ଡିଲରେ ହୋଇଥିବା ଅନିୟମିତତା ପାଇଁ ସୂଚନା ପାଇଥିଲା ।
ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଦାସୋ ଆଭିଏସନ ଏଏଫଏକୁ 30 ମାର୍ଚ୍ଚ 2017ର ଏକ ବିଲ୍ ପ୍ରଦାନ କରିଛି, ଯାହା ଭାରତର DefSys Solutions ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟ କରାଯାଇଛି । ରାଫେଲ ଯୁଦ୍ଧ ବିମାନର 50ଟି ମଡେଲ ତିଆରି କରିବାକୁ ଦିଆଯାଇଥିବା ଅର୍ଡର ପାଇଁ ଏହି ବିଲ୍ ଥିଲା ।
ସମ୍ପୂର୍ଣ୍ଣ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ତେବେ ଏହି ରିପୋର୍ଟ ଓ ଅଭିଯୋଗରେ କେତେ ସତ୍ୟତା ରହିଛି ତାହା ସମୟ ଆସିଲେ ଜଣାପଡିବ ।