ସିମଲା: ହିମାଚଳ ପ୍ରଦେଶରେ ହାଇଡ୍ରାମା । ଭୁନ୍ତର ଏୟାରପୋର୍ଟରେ କୁଲ୍ଲୁ ପୋଲିସ ଏସପି ଓ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ । କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ସ୍ବାଗତ ପାଇଁ ଏୟାରପୋର୍ଟ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ମୁତୟନ ସୁରକ୍ଷାକର୍ମୀ ଓ କୁଲ୍ଲୁ ଏସପି ମୁହାଁମୁହିଁ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଏସପି ଓ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଇନଚାର୍ଜଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଏହି ଯୁକ୍ତତର୍କ ଅଚାନକ ନେଇଥିଲା ସଂଘର୍ଷର ରୂପ । ସୁରକ୍ଷାକର୍ମୀ ଏସପିଙ୍କୁ ଗୋଇଠା ମାରିଥିବା ମଧ୍ୟ ସୂଚନା ରହିଛି ।
ବିମାନବନ୍ଦର ବାହାରେ ଛିଡା ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସିକ୍ୟୁରିଟି ଇନଚାର୍ଜ ଓ ଏସପି ଗୌରବ ସିଂଙ୍କ ସହ କଥାବାର୍ତ୍ତା ସମୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା । ସିଏମଙ୍କ ସିକ୍ୟୁରିଟି ଇନଚାର୍ଜଙ୍କୁ ଏସପି ଗୌରବ ଚାପୁଡ଼ା ମାରିଥିଲେ । ଏହା ପରେ ଅନ୍ୟ ପୋଲିସ କର୍ମଚାରୀ ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସିକ୍ୟୁରିଟି ଅଫିସର ଏବଂ ଏସପି ଗୌରବଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା ।
ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ଏହି ଘଟଣା ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସାମ୍ନାରେ ଘଟିଛି । କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ଗସ୍ତ ଯୋଗୁଁ ସେ କୁଲ୍ଲୁରେ ପହଞ୍ଚିଥିଲେ । ଗଡକରୀଙ୍କ ଗସ୍ତ ସମୟରେ ଏହି ପୂରା ଘଟଣା ଘଟିଛି ।
କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଚାରି ଦିନିଆ ହିମାଚଳପ୍ରଦେଶ ଗସ୍ତରେ ଅଛନ୍ତି । ଏହି ସମୟରେ ସେ କୁଲ୍ଲୁରେ ମଧ୍ୟ ପହଞ୍ଚିଥିଲେ । ତାଙ୍କ ସହ ସିଏମ ଜୟରାମ ଠାକୁର ମଧ୍ୟ ଥିଲେ । ଚାରି ଲେନ ରାସ୍ତା ନିର୍ମାଣ ହେତୁ ପ୍ରଭାବିତ ଲୋକମାନେ ଭୁନ୍ତର ବିମାନବନ୍ଦର ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏହି ସମୟରେ ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରୁଥିଲା ପୋଲିସ ।
ସୁରକ୍ଷା କାରଣରୁ ମୁଖ୍ୟମନ୍ତ୍ରୀଙ୍କ ସିକ୍ୟୁରିଟି ଇନଚାର୍ଜ ଏବଂ ଏସପି ଗୌରବଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଏସପି ମୁଖ୍ୟମନ୍ତ୍ରୀଙ୍କ ସିକ୍ୟୁରିଟି ଇନଚାର୍ଜଙ୍କୁ ଚାପୁଡ଼ା ମାରିଥିଲେ । ତେବେ ଏପର୍ଯ୍ୟନ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି କି ନାହିଁ ଏ ବାବଦରେ ସମସ୍ତେ ନୀରବ ଅଛନ୍ତି ।