ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ କ୍ୟାମ୍ପସକୁ ସୁରକ୍ଷା ଯୋଗାଇବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(CISF) । ଶମିରପେଟ ସ୍ଥିତ ନୋମ ଉପତ୍ୟକାରେ ଥିବା କମ୍ପାନୀର ରେଜିଷ୍ଟର ଅଫିସ ଏବଂ ଉତ୍ପାଦନ ପ୍ଲାଣ୍ଟକୁ CISFର 64 ଜଣ ସଶସ୍ତ୍ର ଯବାନ ସୁରକ୍ଷା ଦେବେ । ଏହି ଟିମ ଜଣେ ଇନସ୍ପପେକ୍ଟର ସ୍ତରୀୟ ଅଧିକାରୀଙ୍କ ନେତୃତ୍ବରେ କାର୍ଯ୍ୟ କରିବେ ଏବଂ ଆସନ୍ତା 14 ତାରିଖରୁ ଏହି ସୁରକ୍ଷା ପ୍ରଦାନ କରାଯିବ ବୋଲି CISFର ଡେପୁଟି ଇନ୍ସପେକ୍ଟର ଜେନେରାଲ ତଥା ମୁଖ୍ୟ ମୁଖପାତ୍ର ଅନିଲ ପାଣ୍ଡେ ଗଣମାଧ୍ୟମକୁ କହିଛନ୍ତି ।
ନିକଟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଭାରତ ବାୟୋଟେକ ପ୍ଲାଣ୍ଟର ସୁରକ୍ଷା ପାଇଁ CISF ମୁତୟନ କ୍ଷେତ୍ରରେ ମଞ୍ଜୁରୀ ଦେଇଛି । ଦେଶର ସ୍ବାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଭାରତ ବାୟୋଟେକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛି । ଏଣୁ ଏହି କମ୍ପାନୀ କୌଣସି ବି ସମୟରେ ଅଜଣା ଆତଙ୍କର ଶିକାର ହେବା ନେଇ ଆଶଙ୍କା ରହିଛି । ଯାହାକୁ ଏଡାଇବାକୁ CISF ଟିମକୁ କମ୍ପାନୀ ପରିସରରେ ମୁତୟନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।
ସୂଚନାଥାଉ କି, ସ୍ବୀକୃତପ୍ରାପ୍ତ ଦୁଇ ସ୍ବଦେଶୀ ଟିକା ମଧ୍ୟରେ ଭାରତ ବାୟୋଟେକର କୋଭାକ୍ସିନ ଅନ୍ୟତମ । ଦେଶର ଟୀକାକରଣ ଅଭିଯାନର ସଫଳ ରୂପାୟନ କ୍ଷେତ୍ରରେ କୋଭାକ୍ସିନ ବହୁଳ ବ୍ୟବହୃତ ହେଉଛି । ଯାହା ବର୍ତ୍ତମାନ ବଜାରରେ ମଧ୍ୟ ଉପଲବ୍ଧ ଅଟେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ