ଥିରୁଅନନ୍ତପୁରମ: କୋଚିର ଭାରତୀୟ ନୌସେନା ବେସ ‘ଆଇଏନଏସ ଗରୁଡ’ ରେ ନୌସେନାର ଏକ ‘ଚେତକ’ ହେଲିକପ୍ଟର କ୍ରାସ ହୋଇଛି । ଏଥିରେ ଜଣେ ଗ୍ରାଉଣ୍ଡ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ତେବେ ଏହା ଏକ ପ୍ରଶିକ୍ଷଣ ହେଲିକପ୍ଟର ଥିଲା । ହେଲିକପ୍ଟରଟି ରନଓ୍ବେରୁ ଉଡାଣ ଭରିବାର ମାତ୍ର କିଛି ସମୟ ମଧ୍ୟରେ ଦୁର୍ଘଟଣାର ଶିକାର ହୋଇ ଖସିପଡିଥିଲା । ଦୁର୍ଘଟଣାର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନଥିଲା ବେଳେ ନୌସେନା ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି । ନୌସେନାର ବୈଷୟିକ ଟିମ ତଦନ୍ତ ଆରମ୍ଭ କରିଛନ୍ତି ।
ନୌସେନା ପ୍ରବକ୍ତାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ଆପରାହ୍ନ ପ୍ରାୟ 2.30 ରେ ଗରୁଡ ନାଭାଲ ବେସ ଏୟାରପୋର୍ଟରୁ ଏହି ହେଲିକପ୍ଟରଟି ଉଡାଣ ଭରିବାର ମାତ୍ର କିଛି ସେକେଣ୍ଡ ମଧ୍ୟରେ ଦୁର୍ଘଟଣାର ଶିକାର ହୋଇଥିଲା । ଏହା ଦୁର୍ଘଟଣାର ଶିକାର ହୋଇ ରନଓ୍ବେକୁ ଖସିପଡିଥିଲା । ଏଥିରେ ଜଣେ ଗ୍ରାଉଣ୍ଡ କ୍ର୍ୟୁ ସଦସ୍ୟ ଗୁରୁତର ହୋଇଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଛି । ନିୟମିତ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଉଡାଣ ଭରିଥିବା ଏହି ‘ଚେତକ’ ହେଲିକପ୍ଟରଟି 7 ସିଟର ହୋଇଥିବା ବେଳେ ଏଥିରେ 2 ପାଇଲଟ ଥିଲେ । ଜଣେ ପାଇଲଟ ମଧ୍ଯ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ନାଭାଲ ବେସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି ।
କୋଚି ହରବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ନୌସେନା ମଧ୍ୟ ବୋର୍ଡ ଅଫ ଇନକ୍ଯୁରୀ ନିର୍ଦ୍ଦେଶ ଦେଇଛି । ଏକ ଉଚ୍ଚସ୍ତରୀୟ ବୈଷୟିକ ଟିମ ଏହି ଦୁର୍ଘଟଣାର ତଦନ୍ତ କରୁଛି । ପ୍ରାଥମିକ ସ୍ଥିତିରେ ଏହା ଯାନ୍ତ୍ରିକ ତ୍ରୁଟିରୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଏବେ ସୁଦ୍ଧା କୌଣସି କାରଣରୁ ଔପଚାରିକ ଭାବେ କୁହାଯାଇନାହିଁ । ଦୁର୍ଘଟଣା ପରେ କାରଣ ସମ୍ପର୍କରେ ସ୍ପଷ୍ଟ ହେବ ।
ନିକଟରେ ବାୟୁସେନା ଓ ନୌସେନାର କିଛି ବିମାନ ଓ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିବା ନଜିର ରହିଛି । ଗତବର୍ଷ ବାୟୁସେନାର ଏମଆଇ-17 ହେଲିକପ୍ଟର ତାମିଲନାଡୁରେ କ୍ରାସର ଶିକାର ହେବା ପରେ ପ୍ରତିରକ୍ଷା ପ୍ରମୁଖ ଜେନେରାଲ ବିପିନ ରାଓ୍ବତ ଓ ପତ୍ନୀଙ୍କ ସମେତ ମୋଟ 14ଜଣଙ୍କ ପ୍ରାଣହାନୀ ହୋଇଥିଲା । ଏହା ଖରାପ ପାଗ ଓ ଲୋ-ଭିଜିବିଲିଟି କାରଣରୁ ହୋଇଥିବା ତଦନ୍ତ ରିପୋର୍ଟରୁ ଜଣାପଡିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ