ନୂଆଦିଲ୍ଲୀ: ଅଗ୍ନିବୀରମାନଙ୍କ ଲାଗି ବଡ଼ ଘୋଷଣା କଲେ କେନ୍ଦ୍ର ସରକାର । ଏହି ଘୋଷଣାରେ ବିଏସଫ (BSF)ରେ ଭର୍ତ୍ତି ହେବା ଲାଗି ଅଗ୍ନିବୀରଙ୍କ ଲାଗି ରହିଛି ବଡ଼ ସୁଯୋଗ । ବିଏସଏଫରେ ଖାଲି ଥିବା ପଦବୀକୁ ପୂରଣ କରିବା ଲାଗି କେନ୍ଦ୍ର ସରକାର ଅଗ୍ନିବୀରଙ୍କ ଲାଗି ୧୦ ପ୍ରତିଶତ ସିଟକୁ ସଂରକ୍ଷିତ ରଖିଥିବା ଘୋଷଣା କରିଛନ୍ତି । ଗୁରୁବାର ଗୃହ ବିଭାଗ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇ ଏ ନେଇ ଘୋଷଣା ହୋଇଛି । ଯେକୌଣସି ବ୍ୟାଚ ଏହି ସୁବିଧାର ଲାଭ ଉଠାଇପାରିବେ ବୋଲି ନୋଟିସରେ ଦର୍ଶାଯାଇଛି ।
ମନ୍ତ୍ରଣାଳୟ ୧୯୬୮ ବିଏସଏଫ ସମ୍ବନ୍ଧିତ ଅଧିନୟମ ଆଧାରରେ ଏ ନେଇ ଘୋଷଣା କରିଛି । ଅଗ୍ନିବୀରଙ୍କ ନିଯୁକ୍ତ ଲାଗି ବୟସ ସୀମାକୁ ମଧ୍ୟ ବର୍ଦ୍ଧିତ କରାଯାଇଛି । ଅଗ୍ନିବୀର ପ୍ରଥମ ବ୍ୟାଚର ଆଶାୟୀଙ୍କ ଲାଗି ୫ବର୍ଷ ଓ ପରବର୍ତ୍ତୀ ବ୍ୟାଚ ଲାଗି ୩ବର୍ଷ ବୟସ ସୀମା ହ୍ରାସ କରାଯାଇଛି । ଏହାସହିତ ପୂର୍ବତନ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା ମଧ୍ୟ ଦେବାକୁ ପଡ଼ିବ ନାହିଁ । ଗତ ବର୍ଷ ଜୁନ ୧୪ ତାରିଖରେ ଭାରତୀୟ ସେନାରେ ନିଯୁକ୍ତି ଲାଗି କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଆଣିଥିଲେ । ଏହି ଯୋଜନା ଅନୁସାରେ ଭାରତୀୟ ସେନା, ନୌ ସେନା ଓ ବାୟୁସେନାରେ ୧୭ରୁ ୨୧ ବର୍ଷର ଯୁବକଙ୍କୁ ନିଯୁକ୍ତି ଦିଆଯିବା ସହିତ ସେମାନଙ୍କୁ ୪ବର୍ଷ ଲାଗି ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଥିଲା ।
ଏହା ବି ପଢନ୍ତୁ- ପୁଣି ଡରାଇଲା ଆଉ ଏକ ଭାଇରସ, H3N2ରେ ଭାରତରେ ୨ମୃତ
ଯେଉଁମାନେ ଏହି ଯୋଜନା ଅନୁସାରେ ନିଯୁକ୍ତି ପାଇବେ ସେମାନଙ୍କୁ 'ଅଗ୍ନିବୀର' କୁହାଯିବ । ୪ବର୍ଷ ଚୁକ୍ତିଭିତ୍ତିକ ସେବା ଯୋଗାଇବା ପରେ ପ୍ରତି ବ୍ୟାଚରୁ ପ୍ରାୟ ୨୫ ଜଣ ଅଗ୍ନିବୀରଙ୍କୁ ରେଗୁଲାର ନିଯୁକ୍ତି ଦିଆଯିବ । ଏହି ସମୟରେ ଗୃହ ମନ୍ତ୍ରଣାଳୟ ଘୋଷଣା କରିଥିଲା ଯେ ଯେଉଁ ୭୫ ପ୍ରତିଶତ ଅଗ୍ନିବୀର ନିଯୁକ୍ତି ନ ପାଇବେ ସେମାନଙ୍କୁ ପରବର୍ତ୍ତୀ ସମୟରେ କେନ୍ଦ୍ର ପାରାମିଲିଟାରୀ ଫୋର୍ସ ଓ ଆସାମ ରାଇଫଲରେ ନିଯୁକ୍ତି ମିଳିବ । ଏହାସହିତ ସେମାନଙ୍କ ୧୦ ପ୍ରତିଶତ ସିଟ ସଂରକ୍ଷିତ ମଧ୍ୟ ରହିବ । ଏହାସହ ପ୍ରଥମ ବ୍ୟାଚର ପୂର୍ବତନ ଅଗ୍ନିବୀରଙ୍କ ଲାଗି ୫ବର୍ଷ ଓ ପରବର୍ତ୍ତୀ ବ୍ୟାଚ ଲାଗି ୩ବର୍ଷ ନିଯୁକ୍ତି ବୟସ ସୀମାକୁ ହ୍ରାସ କରାଯିବ ।
ପାରାମିଲିଟାରୀ ଫୋର୍ସରେ ନିଯୁକ୍ତି ଲାଗି ସ୍ବତନ୍ତ୍ର ବୟସ ସୀମା ୧୮ରୁ ୨୩ ବର୍ଷ ରହିଛି । ତେବେ ଅଗ୍ନିପଥ ଯୋଜନା ଆଧାରରେ ଯେଉଁମାନେ ୨୧ ବର୍ଷ ବୟସରେ ସଶସ୍ତ୍ର ବଳରେ ନିଯୁକ୍ତି ପାଇଥିବେ ସେମାନେ ୪ବର୍ଷର ଚୁକ୍ତିଭିତ୍ତିକ ସେବା ଯୋଗାଇବା ପରେ ପୁଣି BSFରେ ୩୦ ବର୍ଷ ବୟସ ପର୍ଯ୍ୟନ୍ତ ଭର୍ତ୍ତି ହୋଇପାରିବେ । ସେହପରି ବାୟୁସେନା ଓ ନୌସେନାର ପ୍ରଥମ ବ୍ୟାଚର ଅଗ୍ନିବୀରମାନେ ୨୮ବର୍ଷ ବୟସ ପର୍ଯ୍ୟନ୍ତ ବିଏସଏଫରେ ନିଯୁକ୍ତି ପାଇପାରିବେ ।