ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବିରୋଧୀ ମହାମେଣ୍ଟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଆତଙ୍କୀ ଆକ୍ରମଣ ନେଇ ହୋଇଥିବା ଷଡ଼ଯନ୍ତ୍ରର ଖୁଲାସା ହେବାରେ ଲାଗିଛି । ଏନେଇ 17 ତାରିଖରେ 5 ଆତଙ୍କୀଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଜଣେ ଗିରଫ ସନ୍ଦିଗ୍ଧ ଆତଙ୍କୀର ଘରୁ ଉଦ୍ଧାର କରାଯାଇଛି ଏକାଧିକ ହ୍ୟାଣ୍ଡ ଗ୍ରେନଡ । ଜେରା ପରେ ଏମାନଙ୍କ ନିକଟରେ ବିପୁଳ ପରିମାଣରେ ମାରଣାସ୍ତ୍ର ଓ ବସ୍ଫୋରକ ଥିବା ପୋଲିସ ଜାଣିବାକୁ ପାଇଥିଲା । ଆଜି କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚ (CCB) ଜଣେ ଗିରଫ ଆତଙ୍କୀ ଜାୟଦ ତାବରେଜର ଘରୁ 4ଟି ହ୍ୟାଣ୍ଡ ଗ୍ରେନେଡ ଜବତ କରିବାରେ ସଫଳ ହୋଇଛି ।
CCB ଯୁଗ୍ମ କମିଶନର ପ୍ରେସମିଟ୍ କରି କହିଛନ୍ତି, "ଏହି ମାମଲାରେ ସୁହେଲ, ଜାୟଦ, ମୁଦାସିର, ଫୈଜାର ଏବଂ ଉମର ନାମକ 4ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରାଯାଇ ସାରିଛି । ସେମାନଙ୍କ ନିକଟରୁ 7ଟି ଦେଶୀ ବନ୍ଧୁକ ଓ 42 ଗୁଳି, 4ଟି ଓ୍ବାକି-ଟକି 2 ଡ୍ରାଗର ଓ 12ଟି ମୋବାଇଲ ଫୋନ ଜବତ ହୋଇଥିଲା । ସେମାନଙ୍କ ନିକଟରେ ଏହା ବ୍ୟତୀତ ଅନ୍ୟ ବିସ୍ଫୋରକ ମଧ୍ୟ ଆକ୍ରମଣରେ ବ୍ୟବହାର ହେବା ପାଇଁ ରଖାଯାଇଥିବା ଜେରା ବେଳେ ଜଣାପଡିଥିଲା । ସୂଚନା ଅନୁସାରେ ଆଜି ଜଣେ ସନ୍ଦିଗ୍ଧ ଘରେ ଚଢାଉ କରି 4ଟି ହ୍ୟାଣ୍ଡ ଗ୍ରେନେଡ ମଧ୍ୟ ଜବତ କରିଛି । ଏହି ହ୍ଯାଣ୍ଡ ଗ୍ରେନେଡ ବିସ୍ଫୋରଣରେ ବ୍ୟବହାର କରିବା ପାଇଁ ଜୁନେଦ ନାମକ ଜଣେ ଆତଙ୍କବାଦୀ ସେମାନଙ୍କ ନିକଟକୁ ପଠାଇଥିଲା । ଜୁନେଦର ସୀମାପାର ଆତଙ୍କୀ ସଂଗଠନ ସହ ସମ୍ପର୍କ ରହିଛି । ସେ ଏବେ ଫେରାର ରହଥିବା ବେଳେ ବିଦେଶରେ ଆତ୍ମଗୋପନ କରିଥିବା ସନ୍ଦେହ କରାଯାଉଛି ।
17 ତାରିଖରେ ବେଙ୍ଗାଲୁରୁରେ ମିଳିତ ବିରୋଧୀଙ୍କ ମହାମେଣ୍ଟ ବୈଠକ କାର୍ଯ୍ୟକ୍ରମରେ ଥିଲା ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା । ବେଙ୍ଗାଲୁରୁରୁ ଗିରଫ ହୋଇଥିବା 5 ସନ୍ଦିଗ୍ଧ ଆତଙ୍କୀଙ୍କୁ ପ୍ରାଥମିକ ଜେରା ପରେ ଏପରି କିଛି ସୂଚନା ଗୁଇନ୍ଦା ବିଭାଗ ହାତରେ ଲାଗିଥିବା ଜଣା ପଡ଼ିଥିଲା । ରାଜ୍ୟ ଗୁଇନ୍ଦା ବିଭାଗ ଏପରି ଏକ ଆକ୍ରମଣ ଯୋଜନା ଥିବା ରାଜ୍ୟ ଗୃହମନ୍ତ୍ରୀ ଡକ୍ଟର ଜି ପରମେଶ୍ବର ଓ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ କାର୍ଯ୍ୟାଳୟକୁ ଏକ ରିପୋର୍ଟ ପଠାଇଥିଲେ ।
17 ତାରିଖରେ ଗିରଫ ହୋଇଥିବା ଏହି 5 ଆତଙ୍କୀଙ୍କୁ ଜେରା ପରେ ଏହି ଭୟଙ୍କର ତଥ୍ୟ ସାମ୍ନାକୁ ଆସିଥିଲା । ସେମାନଙ୍କ ଟାର୍ଗେଟରେ ବିଧାନସଭା ପରିସରରେ ଥିବା ମୁଖ୍ଯମନ୍ତ୍ରୀ ସିଦ୍ଧରମୈୟାଙ୍କ କାର୍ଯ୍ୟାଳୟ ଥିଲା । ସେହିପରି 17 ତାରିଖ ଓ ଗତକାଲି(18 ତାରିଖ) ବେଙ୍ଗାଲୁରୁରେ ଆୟୋଜିତ ହୋଇଥିବା ବିରୋଧୀ ମହାମେଳିରେ ମଧ୍ୟ ବିସ୍ଫୋରଣ କରିବା ନେଇ ଯୋଜନା କରିଥିଲେ ଏହି ସନ୍ଦିଗ୍ଧ ଆତଙ୍କୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ