ବେଙ୍ଗାଲୁରୁ: ବଢିଲା ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କ ଅଡୁଆ । ଲଭ ଜିହାଦକୁ ନେଇ ଆପତ୍ତିଜନକ ମନ୍ତବ୍ୟକୁ ନେଇ ତାଙ୍କ ନାଁରେ ମାମଲା ରୁଜୁ । ପ୍ରଜ୍ଞା ଠାକୁରଙ୍କ ନାମରେ କର୍ଣ୍ଣାଟକ ଶିବମୋଗା ଜିଲ୍ଲାରେ ମାମଲା ରୁଜ୍ଜୁ ହୋଇଛି । ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି ମାମଲା ଦାୟର ହୋଇଛି । କୋଟେ ପୋଲିସ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଥିବା ସୂଚନା ।
ଶିବମୋଗା ଜିଲ୍ଲା କଂଗ୍ରେସ କଂଗ୍ରେସ କମିଟି ସଭାପତି ଏଚ ଏସ ସୁନ୍ଦରରେଶଙ୍କ ଏତଲାକ୍ରମେ ଆଇପିସି ଦଫା 153ଏ, 153ବି, 268, 295ଏ, 298, 504 ଏବଂ 508 ବଳରେ ଏହି ମାମଲା ରୁଜୁ ହୋଇଛି । ପ୍ରକାଶ ଥାଉକି, ଡିସେମ୍ବର 26 ତାରିଖରେ ଭୋପାଳ ସାଂସଦ ପ୍ରଜ୍ଞା ଠାକୁର 'ହିନ୍ଦୁ ଜାଗରଣ ବେଦିକା'ର ବାର୍ଷିକ ମହୋତ୍ସବରେ ଯୋଗଦେଇ ଲଭ ଜିହାଦକୁ ନେଇ ଏକ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସେ ବିବାଦ ଭିତରକୁ ଟାଣି ହୋଇଥିଲେ । ଏହାକୁ ନେଇ ଶିବମୋଗା ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ତାଙ୍କୁ ଅଡୁଆରେ ପକାଇଛି ।
ଏହା ବି ପଢନ୍ତୁ...ବିମାନ ଭିତରେ 2 ଯାତ୍ରୀ ହାତାହାତି, ଭିଡିଓ ଭାଇରାଲ
ଲଭ ଜିହାଦକୁ ନେଇ ସାଂସଦ ପ୍ରଜ୍ଞା ଠାକୁର କହିଥିଲେ, ''ଲଭ ଜିହାଦ ପ୍ରତି ସତର୍କ ରୁହନ୍ତୁ । ପ୍ରେମରେ ବି ସେମାନେ ଜିହାଦ କରିଥାନ୍ତି ଏହା ସେମାନଙ୍କ ପରମ୍ପରା । ସେମାନଙ୍କ ନିକଟରେ ଲଭ ଜିହାଦ ଲାଗି ଜିହାଦି ପରମ୍ପରା ରହିଛି । ଯଦି ସେମାନେ ପ୍ରେମ କରୁଛନ୍ତି ତ ସେଥିରେ ଜିହାଦ କରୁଛନ୍ତି । ଆମେ (ହିନ୍ଦୁ) ମଧ୍ୟ ପ୍ରେମ କରୁ । ଭଗବାନଙ୍କୁ ପ୍ରେମ କରିଥାଉ । ଲଭ ଜିହାଦ କରୁଥିବା ଲୋକଙ୍କୁ ସେମାନଙ୍କ ଢଙ୍ଗରେ ଜବାବ ଦେବା ଉଚିତ । ନିଜ ଘରର ଝିଅଙ୍କୁ ରକ୍ଷା କର ଏବଂ ସେମାନଙ୍କୁ ସଠିକ କେଉଁଟା ଶିଖାଇବା ଆବଶ୍ୟକ ।''
ଏହାସହିତ ସେ କର୍ଣ୍ଣାଟକ ଶିବମୋଗା ହିନ୍ଦୁ କର୍ମୀଙ୍କ ହତ୍ୟା ପ୍ରସଙ୍ଗକୁ ନେଇ କହିଥିଲେ ଯେ, ''ସମସ୍ତଙ୍କୁ ନିଜର ରକ୍ଷା କରିବାର ଅଧିକାର ରହିଛି । ଲୋକେ ନିଜ ଆତ୍ମରକ୍ଷା କରିବା ଲାଗି ଘରେ ଧାରୁଆ ଅସ୍ତ୍ରକୁ ରଖିବା ଆବଶ୍ୟକ । ଅତିକମରେ ଘରର ଛୁରୀକୁ ଧାରୁଆ ରଖ । ଯେଉଁ ଛୁରୀକୁ ପରିବା କାଟିବା ଲାଗି ବ୍ୟବହାର କରାଯାଏ । କେଉଁ ମୁହୂର୍ତ୍ତରେ କେଉଁ ପରିସ୍ଥିତି ସୃଷ୍ଟି ହେବ ତାହା ଜଣାନାହିଁ । ଏଣୁ ନିଜ ଆତ୍ମରକ୍ଷା ଲାଗି ପ୍ରସ୍ତୁତ ରହିବା ଆବଶ୍ୟକ । ଯଦି କେହି ଆମ ଘରେ ପଶି ଆମକୁ ଆକ୍ରମଣ କରୁଛି, ତେବେ ତାକୁ ଉଚିତ ଜବାବ ଦେବା ଆମର ଅଧିକାର ।''