ଲକ୍ଷ୍ନୌ: ମୃତ୍ୟୁ ପରେ ଶରୀର ଦାନ(Body Donation) ଭାରତୀୟ ପରମ୍ପରା ନୁହେଁ । ସବୁ ଧର୍ମରେ ମୃତଦେହର ଅନ୍ତ୍ୟେଷ୍ଟି ପଦ୍ଧତି ଭିନ୍ନ । କିନ୍ତୁ ବିଗତ ଦିନରେ ବ୍ୟାପକ ସଚେତନତା କାରଣରୁ ସମାଜରେ ଅଙ୍ଗଦାନ ଓ ଶରୀର ଦାନ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏଥିରେ ମେଡିକାଲ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି ଏବଂ ସମାଜର ମଙ୍ଗଳ ସାଧନ ହୋଇପାରୁଛି । ଭାରତରେ ମୋଟ ୫୯୫ ମେଡିକାଲ କଲେଜ ରହିଛି । ସେଥିମଧ୍ୟରୁ ୩୦୨ ସରକାରୀ ମେଡିକାଲ କଲେଜ, ୩ଟି ସେଣ୍ଟ୍ରାଲ ୟୁନିଭରସିଟି ଏବଂ ୧୯ଟି ଏମ୍ସ ମେଡିକାଲ ଇନଷ୍ଟିଚ୍ୟୁଟ ରହିଛି । ଏହିସବୁ ମେଡିକାଲରେ ପଢୁଥିବା MBBS ଛାତ୍ରଛାତ୍ରୀ ଏଠାରେ ଦାନ ଭାବେ ମିଳୁଥିବା ଅଙ୍ଗପ୍ରତ୍ୟଙ୍ଗ ଓ ମୃତଦେହ ଉପରେ ଅଧ୍ୟୟନ କରିଥାନ୍ତି । ହେଲେ ଆପଣ ଜାଣନ୍ତି କି, ସେମାନେ ମୃତଦେହଗୁଡିକୁ ଚିରିବା ପୂର୍ବରୁ ପ୍ରଥମେ ତାକୁ ସମ୍ମାନ ଜଣାଇଥାନ୍ତି । ଏହାସହିତ ମୃତକଙ୍କ ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଥାନ୍ତି ।
ଉତ୍ତରପ୍ରଦେଶ ପ୍ରୟାଗରାଜ ସ୍ଥିତ ମୋତିଲାଲ ନେହେରୁ ମେଡିକାଲ କଲେଜ (MLN medical College)ରେ ଶରୀର ଦାନ ସଂଖ୍ୟା ବଢିବାରେ ଲାଗିଛି । ଏହି ମେଡିକାଲ କଲେଜର ପ୍ରିନ୍ସିପାଲ ଡ. ଏସପି ସିଂହ କହିଛନ୍ତି, ''ବର୍ତ୍ତମାନ ସୁଦ୍ଧା କଲେଜକୁ ୭୭ଟି ଶରୀର ଦାନ ରୂପେ ମିଳିଛି । ପ୍ରାୟ ୬୫୦ରୁ ଊର୍ଦ୍ଧ୍ବ ଲୋକେ ନିଜ ଶରୀର ଦାନ ପାଇଁ ଆବେଦନ କରିଛନ୍ତି । ପୂର୍ବରୁ ଦେହଦାନ ସଂଖ୍ୟା ଏଠାରେ ଖୁବ୍ କମ୍ ରହିଥିଲା । କ୍ରମଶଃ ସମାଜରେ ଶିକ୍ଷିତଙ୍କ ସଂଖ୍ୟା ବୃଦ୍ଧି ଓ ସଚେତନତାର ପ୍ରସାର ଯୋଗୁଁ ଏହି ସଂଖ୍ୟା ବୃଦ୍ଧି ପାଉଛି ।''
ଶରୀର ଦାନ ପାଇଁ ଇଚ୍ଛୁକ ବ୍ୟକ୍ତିବିଶେଷ ମେଡିକାଲ କଲେଜ ସହ ଯୋଗାଯୋଗ କରି ଏକ ଫର୍ମ ପୂରଣ କରିଥାନ୍ତି । ତାଙ୍କର ମୃତ୍ୟୁ ଖବର ମିଳିବା ମାତ୍ରେ ଡାକ୍ତରୀ ଟିମ୍ ମୃତକଙ୍କ ଘରେ ପହଞ୍ଚିଥାନ୍ତି । ସେଠାରୁ ସମ୍ମାନର ସହ ମୃତଦେହକୁ ମେଡିକାଲ କଲେଜକୁ ଅଣାଯାଏ । କଲେଜର ପ୍ରଦର୍ଶନୀ କକ୍ଷରେ ମୃତଦେହକୁ ରଖି ସମସ୍ତଙ୍କୁ ସମ୍ମାନର ସହ ନତମସ୍ତକ ହେବାକୁ କୁହାଯାଏ । ଡାକ୍ତର, ପ୍ରଫେସର, ଛାତ୍ରଛାତ୍ରୀ ମୃତଦେହରେ ମାଲ୍ୟାର୍ପଣ କରି ସମ୍ମାନ ଜଣାଇଥାନ୍ତି । ଏହାସହିତ ଆତ୍ମାର ସଦ୍ଗତି ପାଇଁ କିଛି ସମୟ ନୀରବ ପ୍ରାର୍ଥନା କରାଯାଏ । ଏହାପରେ ହିଁ ଶିକ୍ଷା ପାଇଁ ଉକ୍ତ ମୃତଦେହର ବ୍ୟବହାର କରାଯାଏ ।
ଏହାମଧ୍ୟ ପଢନ୍ତୁ: ପ୍ରେମିକାକୁ ଗଳାକାଟି ହତ୍ୟା କରିବା ପରେ ଟ୍ରେନ ଆଗକୁ ଡେଇଁଲା ପ୍ରେମିକ
ଦାନ ରୂପେ ପ୍ରାପ୍ତ ମୃତଶରୀର ଜରିଆରେ ସମାଜର ମଙ୍ଗଳ ସାଧିତ ହୋଇଥାଏ । କାରଣ ମେଡିକାଲ ଛାତ୍ରଛାତ୍ରୀ ମୃତଦେହ ଉପରେ ଅଧ୍ୟୟନ କରି ମନ୍ୟୁଷ୍ୟ ଶରୀର ସମ୍ପର୍କରେ ବାସ୍ତବିକ ଜ୍ଞାନ ଆହରଣ କରିଥାନ୍ତି । ମଣିଷର ଆଭ୍ୟନ୍ତରୀଣ ଅଙ୍ଗ ଠାରୁ ପାଦ ଯାଏଁ ସମସ୍ତ ଗଠନ ଜଣାପଡେ । ଶରୀର ଭିତରେ କେଉଁ ଅଙ୍ଗ କେଉଁଠି ରହିଛି ଏବଂ ତାହା କେମିତି କାମ କରେ ସେସବୁ ସୂଚନା ମିଳିଥାଏ । ଏହିସବୁ ଜ୍ଞାନ ପରବର୍ତ୍ତୀ ସମୟରେ ରୋଗୀ ଚିକିତ୍ସା ସହାୟକ ହୁଏ ।