ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବାଲିଆ ଜିଲ୍ଲାରେ ଅଭାବନୀୟ ଘଟଣା । ଗଙ୍ଗା ନଦୀରେ ବୁଡ଼ିଲା ଯାତ୍ରୀବାହୀ ଡଙ୍ଗା । 40 ଜଣ ଯାତ୍ରୀଙ୍କୁ ନେଇ ନଦୀ ପାର ହେଉଥିବା ଡଙ୍ଗା ବୁଡି 4 ଜଣଙ୍କର ମୃତ୍ୟୁ ହୋଇଛି । ମୁଣ୍ଡନସ୍କର ସଂସ୍କାର ସମାରୋହରେ ସାମିଲ ହେବା ପାଇଁ ଗଙ୍ଗାନଦୀର ଗୋଟିଏ ଘାଟରୁ ଅନ୍ୟ ଏକ ଘାଟକୁ ଯାଉଥିବା ବେଳେ ହଠାତ୍ ଡଙ୍ଗାଟି ହଲଚଲ ହେବାକୁ ଲାଗିଲା । କିଛି ସମୟ ପରେ ଗଭୀର ନଦୀରେ ବୁଡ଼ିଯିବାରୁ ଯାତ୍ରୀମାନେ ମଧ୍ୟ ବୁଡି ଯାଇଥିଲେ । ବର୍ତ୍ତମାନ ସୁଦ୍ଧା 4ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 24 ଜଣ ନିଖୋଜ ଥିବା ସୂଚନା ମିଳିଛି । ମୃତ୍ୟ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି(ସୋମବାର) ସକାଳ ସମୟରେ ବାଲିଆ ଜିଲ୍ଲାର ମାଲଦେପୁର ଘାଟରୁ ଏକ ଡଙ୍ଗା 40 ଯାତ୍ରୀଙ୍କୁ ନେଇ ନଦୀ ସେପଟେ ଥିବା ମୁଣ୍ଡନସ୍କର ସଂସ୍କାର ଅଭିମୁଖେ ବାହାରିଥିଲା । କିନ୍ତୁ ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବାରୁ ଭାରସାମ୍ୟ ହରାଇ ଡଙ୍ଗାଟି ନଦୀରେ ବୁଡି ଯାଇଥିଲା । ଏହି ସମୟରେ ଯାତ୍ରୀମାନେ ଚିତ୍କାର କରିବାରୁ ସ୍ଥାନୀୟ ମତ୍ସଜୀବୀମାନେ ଉଦ୍ଧାର ନଦୀକୁ ଡେଇଁ ପଡି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଫଳରେ ଅଳ୍ପକେ କିଛି ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା ।
ଏହା ମଧ୍ୟ ପଢନ୍ତୁ-G20 Srinagar summit: ଆଜିଠୁ ଶ୍ରୀନଗରରେ ଜି୨୦ ସମ୍ମିଳନୀ, ସୁରକ୍ଷା ବ୍ୟବସ୍ଥା କଡାକଡି
ଡଙ୍ଗା ବୁଡ଼ିବା ଖବର ପାଇବା ପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି । କିଛି ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର 4ଜଣଙ୍କୁ ମୃତ ଘୋଷଣା କରିଥିଲେ । ସମସ୍ତ ମୃତକ ହେଉଛନ୍ତି ମହିଳା । ସେହିପରି ଜଣଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଥିବା ସୂଚନା ମିଳିଛି । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଆବଶ୍ୟକତାଠାରୁ ଡଙ୍ଗାଟିରେ ଅଧିକ ଯାତ୍ରୀ ନଦୀପାର ହେଉଥିଲେ । ଡଙ୍ଗାରେ ମହିଳାଙ୍କ ସମେତ ଶିଶୁ ମଧ୍ୟ ରହିଥିଲେ । ଡଙ୍ଗା ବୁଡିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 24 ଜଣ ନିଖୋଜ ଥିବା କୁହାଯାଉଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।
ଚଳିତ ମାସରେ କେରଳ ମଲପ୍ପୁରମର ଜିଲ୍ଲାର ତନୁରଠାରେ ନୌକା ଦୁର୍ଘଟଣାରେ 22ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର 14 ଜଣ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ 8 ମାସର ଶିଶୁ ରହିଥିବା ଜଣାପଡିଥିଲା । ପରିବାରର 14 ଜଣଙ୍କୁ ହରାଇ ଅନ୍ୟ ସଦସ୍ୟ ଭାଙ୍ଗି ପଡିଛନ୍ତି । ବୋଟରେ 40ରୁ ଅଧିକ ପର୍ଯ୍ୟଟକ ଥିଲେ ।